Wed. Mar 19th, 2025

ଆଜି ଛତ୍ରପୁର କୋର୍ଟ ହଲ୍ଟ ଗଳାଶଙ୍ଖ ନିର୍ମାଣ : ଭୁବନେଶ୍ବର-ବିଶାଖାପାଟଣା ରୁଟ୍‌ରେ ୬ ଘଣ୍ଟା ଟ୍ରେନ୍‌ ବନ୍ଦ

By amfnews Jun 9, 2019 #Featured
466506979
175 Views

ଛତ୍ରପୁର : ଛତ୍ରପୁର କୋର୍ଟ ହଲ୍ଟ ଲେବଲ କ୍ରସିଂଠାରେ ଗଳାଶଙ୍ଖ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାମକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରବିବାର ଭୁବନେଶ୍ବର-ବିଶାଖାପାଟଣା ରୁଟ୍‌ରେ ଦିନ ୧୧ଟା ୨୫ ମିନିଟରୁ ଅପରାହ୍ନ ୫ଟା ୫୦ ପର୍ଯ୍ୟନ୍ତ ସମସ୍ତ ‌ରେଳ ଚଳାଚଳ ବନ୍ଦ ରହିବ ବୋଲି ଖୋର୍ଦ୍ଧା ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୀର୍ଘ ୬ ଘଣ୍ଟା ଧରି ରେଳଧାରଣା ଉପରେ ଗଳାଶଙ୍ଖ ନିର୍ମାଣ କାର୍ଯ୍ୟ ଚାଲିବ।

ଆଜି ଖୋର୍ଦ୍ଧା ଡିଭିଜନ୍ ସିନିୟର ଡିଭିଜନାଲ ଇଞ୍ଜିନିୟର ପ୍ରୀତିରାଜ ପାଣିଗ୍ରାହୀ, ସିନିୟର ସେକ୍ସନ୍ ଇଞ୍ଜିନିୟର (ଓ୍ବାର୍କ) ବି.ଭେଙ୍କେଟ ରାଓ ଓ ସିନିଅର ସେକ୍ସନ୍ ଇଞ୍ଜିନିୟର(ପି-ଓ୍ବେ) ଆର୍.ଆର୍.ପାଣିଗ୍ରାହୀ ପ୍ରମୁଖ ପହଞ୍ଚି ନିର୍ମାଣ କାମ ତଦାରଖ କରିଥିଲେ। କୋର୍ଟ ହାଲ୍ଟ ଲେବଲ କ୍ରସିଂ ଠାରେ ଗଳାଶଙ୍ଖ ନିର୍ମାଣ ପାଇଁ ୫.୫ କୋଟି ମଞ୍ଜୁର ହୋଇଛି। ଏହା ସହିତ ଗଳାଶଙ୍ଖର ଉଭୟ ପାର୍ଶ୍ବ କୋର୍ଟହଲ୍ଟଠାରୁ ରିକାପଲ୍ଲୀ ଲେବଲ କ୍ରସିଂ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ଯୋଜନା ରହିଛି। ସେହିପରି ଛତ୍ରପୁର ଷ୍ଟେସନ ପ୍ଲାଟଫର୍ମ ଚଉଡ଼ା କରିବା, ଟ୍ରାକ୍ଗୁଡିକ ସିଫ୍ଟିଂ ବାବଦରେ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖୁବ୍ ଶୀଘ୍ର ସମସ୍ତ କାମ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

ପୂର୍ବରୁ ଛତ୍ରପୁର କୋର୍ଟ ହଲ୍ଟ ଲେବଲ କ୍ରସିଂରେ ଗଳାଶଙ୍ଖ ନିର୍ମାଣ ଦାବି ହୋଇ ଆସୁଥିଲା। ଆଜି ଆଇନଜୀବୀ ବି.ଶ୍ରୀନିବାସ ରାଓ, ୟୁଥ୍ ମାସ ସେବା ସଂଘର ସଂପାଦକ ସୟଦ ମୁକ୍ତାର, କେ.ରାମବାବୁ ପ୍ରମୁଖ ରେଳ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରିକାପଲ୍ଲୀ ଲେବଲ କ୍ରସିଂ ଏବଂ କୋର୍ଟ ହଲ୍ଟ ଲେବଲ କ୍ରସିଂ ପାଇଁ କେବଳ ଗୋଟିଏ ଗଳାଶଙ୍ଖ ନିର୍ମାଣ କରାଗଲେ ଟ୍ରାଫିକ ସମସ୍ୟା ରହିବ। ଏଣୁ ଏହା ମଧ୍ୟରେ ଆଉ ଗୋଟିଏ ଗଳାଶଙ୍ଖ ନିର୍ମାଣ କରିବା ଅଧିକାରୀ ମାନଙ୍କୁ ପ୍ରସ୍ତାବ ଦେଇଥିଲେ।

By amfnews

Related Post