Fri. Mar 6th, 2026

ଆଉ କିଛି ସମୟ ପରେ ବିଦାୟ ନେବେ ମା’ ଦୁର୍ଗା, ଦର୍ଶନ ପାଇଁ ଶେଷ ମୂହୁର୍ତ୍ତରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

459 Views

ଭୁବନେଶ୍ୱର: ଜଗତ ଜନନୀ ମା’ ଦୁର୍ଗା ଆଉ କିଛି ସମୟ ପରେ ଧରାପୃଷ୍ଠରୁ ବିଦାୟ ନେବେ। ଏଥି ପାଇଁ ଆୟୋଜକଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତ ଚାଲିଛି। ମା’ଙ୍କ ଶେଷ ଦର୍ଶନ ପାଇଁ ରାଜଧାନୀବାସୀ ଘରୁ ବାହାରି ପୂଜାସ୍ଥଳରେ ପହଞ୍ଚିଛନ୍ତି। ସିଆରପି ଛକ ଠାରୁ ଜୟଦେବ ବିହାର ମୁଖ୍ୟ ରାସ୍ତା ଓ ବାଣୀବିହାର ଛକ ଠାରୁ ରୂପାଲି ଛକ ମଧ୍ୟରେ ପ୍ରବଳ ଭିଡ଼ ଥିବାରୁ ଟ୍ରାଫିକ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇଯାଇଛି।

ରାଜଧାନୀର ବ୍ୟସ୍ତବହୁଳ ସ୍ଥାନ ସହିଦ ନଗର, ଚନ୍ଦ୍ରଶେଖରପୁର ଓ ନୂଆପଲ୍ଲୀ ଦୁର୍ଗାପୂଜା କମିଟ ପକ୍ଷରୁ ଭସାଣୀ ଶୋଭାଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରରେ ଏଥର ୧୭୫ ମଣ୍ଡପରେ ପୂଜା କରାଯାଇଥିଲା। ଆଜି ସହିଦ ନଗର ପୂଜା ମଣ୍ଡପ ପଛ ପାର୍ଶ୍ୱରେ ଥିବା ପଡ଼ିଆରେ ବିଏସ୍‌ଏସ୍‌ନଗର, ବମିଖାଲ, ରସୁଲଗଡ଼, ୟୁନିଟ-୯, ପଳାଶୁଣୀ, ହଂସପାଳ ଅଞ୍ଚଳରୁ ମା’ ଦୁର୍ଗାଙ୍କ ପ୍ରତିମା ଭସାଣୀ ଶୋଭାଯାତ୍ରା ପାଇଁ ସହିଦ ନଗର ନିଆଯାଇଛି।

ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆକୁ ବରମୁଣ୍ଡା, ନୟାପଲ୍ଲୀ, ସାମନ୍ତରାପୁର, ପାତ୍ରପଡ଼ା , ଜୟଦେବ ବିହାର ଅଞ୍ଚଳରୁ ଦୁର୍ଗା ପ୍ରତିମା ନିଆଯାଇଛି। ସମସ୍ତ ମେଢ଼ ଏକାଠି ହେବା ପରେ ପୂଜାର୍ଚ୍ଚନା ହେବ। ଏହା ପରେ ସନ୍ଧ୍ୟା ୬ଟା ୩୦ ପରେ ସମସ୍ତ ମେଢ଼କୁ ଭସାଣୀ ଯାତ୍ରାରେ ସାମିଲ କରାଯିବ। ପରିବେଶ ପ୍ରଦୁଷଣ ନ ହେବ ବୋଲି ମା’ ଦୁର୍ଗାଙ୍କ ମୂର୍ତ୍ତି ଭସାଣୀ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦୟାନଦୀ ଓ କୁଆଖାଇରେ ୨ଟି ବଡ଼ ବଡ଼ କୃତ୍ରିମ ପୋଖରୀ ତିଆରି କରାଯାଇଛି। ଏଥିରେ ମା’ ଦୁର୍ଗା, ହନୁମାନ, ଶିବ-ପାର୍ବତୀ ଓ ଅନ୍ୟ ୧୭୫ ପ୍ରତିମା ବିସର୍ଜନ ହେବ।

By amfnews

Related Post