200 Views
ନୂଆଦିଲ୍ଲୀ, ଅକ୍ଟୋବର ୨୭ : ଛୁଟିରେ ପଠାଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମାଙ୍କ ସୁରକ୍ଷା ପାଇଁ ନିୟୋଜିତ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ଦିଲ୍ଲୀ ପୋଲିସ ହଟାଇ ଦେଇଛି । ଏହି ସୁରକ୍ଷାକର୍ମୀଙ୍କୁ କୌଣସି ଏକ ଅଜ୍ଞାତ ସ୍ଥାନରେ ପୋଷ୍ଟିଂ କରାଯାଇଛି । ଏହି କର୍ମୀମାନେ ହେଉଛନ୍ତି ସେହି ପୋଲିସ ଅଧିକାରୀ ଯେଉଁମାନେ ଆଲୋକ ବର୍ମାଙ୍କ ସରକାରୀ ବାସଭବନ ଆଗରେ ଆଇବିର ଚାରିଜଣ ଅଧିକାରୀଙ୍କୁ ଗିରଫ କରିଥିଲେ ।
ଏହି ଘଟଣାପରେ ଆଇବିର ବରିଷ୍ଠ ଅଧିକାରୀମାନେ ଅସନ୍ତୁଷ୍ଟ ଥିଲେ । ଏହି ସୁରକ୍ଷାକର୍ମୀଙ୍କୁ ହଟାଇ ଆଇବି ଅଧିକାରୀଙ୍କ ରାଗ ଶାନ୍ତ କରିବାକୁ ପୋଲିସ ଚେଷ୍ଟା କରୁଛି । ଅନ୍ୟପକ୍ଷେ ଦିଲ୍ଲୀ ପୋଲିସ ପ୍ରବକ୍ତା ଅନିଲ ମିତଲ କହିଛନ୍ତି ଯେ ଏପରି କିଛି କାରଣ ନାହିଁ । ମାମଲାକୁ ଯାଂଚ କରାଯାଉଛି । ସୂଚନାଯୋଗ୍ୟ କି, ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଦିଲ୍ଲୀ ପୋଲିସଠାରୁ ସୁରକ୍ଷା ନେଇଥିଲେ ।
ଅଜ୍ଞାତ ସ୍ଥାନରେ ନୂତନ ନିଯୁକ୍ତି
ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ଆଲୋକ ବର୍ମାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ପୋଲିସ କର୍ମୀଙ୍କୁ ହଟାଇ ଦିଆଯାଇଛି । ସେମାନଙ୍କୁ ଏକ ଅଜଣା ସ୍ଥାନକୁ ପଠାଯାଇଛି । ଯେଉଁ ଭଳି ଭାବେ ପୋଲିସ କର୍ମୀମାନେ ଆଇବିର ଅଧିକାରୀଙ୍କୁ ଗିରଫ କରିଥିଲେ ସେହି ଘଟଣାକୁ ନେଇ ଆଇବି ଅସନ୍ତୁଷ୍ଟ ଅଛି । ଆଇବି ଆହୁରି ମଧ୍ୟ ତାଙ୍କ ଅଧିକାରୀଙ୍କ ପରିଚୟ ପ୍ରଘଟ ହୋଇଯାଇଥିବା କହିଛି ।