Tue. Apr 29th, 2025

ଆଇନଗତ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିବା ପାଇଁ ଅଦାଲତରେ ପଡ଼ିରହିଥିବା ମାମଲା ଉପଯୋଗ ନ କରିବାକୁ ବିଜୟ ମାଲ୍ୟାଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦେଶ

By amfnews Jan 6, 2020 #Featured
126 Views

ନୂଆଦିଲ୍ଲୀ: ଆଇନଗତ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିବା ନିମନ୍ତେ ‘ପୃଥିବୀର ଯେକୌଣସି ଦେଶର’ ଅଦାଲତରେ ପଡ଼ିରହିଥିବା ମାମଲାଗୁଡ଼ିକୁ ଉପଯୋଗ ନ କରିବାକୁ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମ୍‌ କୋର୍ଟ ସୋମବାର ଦିନ ନିର୍ଦେଶ ଦେଇଛନ୍ତି।

ଇଂଲଣ୍ଡର ଅଦାଲତରେ ବିଜୟ ମାଲ୍ୟାଙ୍କ ମାମଲା ସମାଧାନ ନ ହୋଇ ପଡ଼ି ରହିବା ସହ ଅର୍ଥ ପରିଶୋଧ ନମନ୍ତେ କରାଯାଇଥିବା ଆବେଦନ ମଧ୍ୟ ସୁପ୍ରିମ୍‌ କୋର୍ଟରେ ପଡ଼ି ରହିଥିବାରୁ ଏବେ ରାୟ ନ ଶୁଣାଇବାକୁ ବିଜୟ ମାଲ୍ୟା ନିବେଦନ କରିଥିବା କଥା ସଲିସଟର୍‌ ଜେନେରାଲ୍‌ ତୁଷାର ମେହେଟା କହିବା ପରେ ସୁପ୍ରିମ୍‌ କୋର୍ଟ ଆଜି ଏହି ଆଦେଶ ଦେଇଛନ୍ତି।

ତୁଷାର ମେହେଟା ଯୁକ୍ତି ବାଢ଼ିଥିଲେ, ସବୁ ବକେୟା ଚୁକ୍ତି କରିଦେବି ବୋଲି ୨୦୧୧ରୁ ସେମାନେ କହି ଆସୁଥିଲେ ବି ଏଯାଏଁ ଟଙ୍କାଟିଏ ବି ଦେଇ ନାହାନ୍ତି। ଏହି ମାମଲାର ଶୁଣାଣି ଶୁକ୍ରବାର ଯାଏଁ ସ୍ଥଗିତ ରଖାଯାଇଛି।

ସୁପ୍ରିମ୍‌ କୋର୍ଟରେ ଆବେଦନ ପଡ଼ିରହିଛି ବୋଲି କହି ଇଂଲଣ୍ଡର ଅଦାଲରେ ପଡ଼ିରହିଥିବା ମାମଲାର ବିଚାରକୁ ଅଟକାଇବା ନିମନ୍ତେ ବିଜୟ ମାଲ୍ୟା ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ସରକାର କହିବା ପରେ ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ଏ ଭଳି ଆଦେଶ ଜାରି କରିଛନ୍ତି।

ସେ ଏବଂ ତାଙ୍କ ସମ୍ପର୍କୀୟଙ୍କ ସମ୍ପତ୍ତି ବ୍ୟାଜାପ୍ତି ଉପରେ ରହିତାଦେଶ ଜାରି କରିବାକୁ ମାଲ୍ୟା ଜୁନ୍‌ ୨୭ ତାରିଖ ଦିନ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

ସମ୍ପ୍ରତି ଇଂଲଣ୍ଡରେ ରହୁଥିବା ମାଲ୍ୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ୯୦୦୦ କୋଟି ଟଙ୍କାର ବ୍ୟାଙ୍କ୍‌ ଋଣ ଖିଲାପ ମାମଲା ରୁଜୁ କରିଥିଲା। ଇଂଲଣ୍ଡ ଅଦାଲତରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ମାମଲାର ମଧ୍ୟ ବିଚାର ଚାଲିଛି।

By amfnews

Related Post