149 Views
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମକୁ ବୁଧବାର ସିବିଆଇ ନିଜର ନିୟନ୍ତ୍ରଣରେ ରଖିଛି। ସିବିଆଇ ବହୁ ସମୟଧରି ପଚାରାଉଚରା କରିବା ପରେ ପି. ଚିଦାମ୍ବରମଙ୍କୁ ତାଙ୍କ ବାସଭବନରୁ ସିବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଚିଦାମ୍ବରମ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଛନ୍ତି।
ଏକ ନାଟକୀୟ ଘଟଣାକ୍ରମରେ ଗତ କାଲିଠାରୁ ନିଖୋଜ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ କିଛି ସମୟ ପୂର୍ବେ ହଠାତ କଂଗ୍ରେସ (ଏଆଇସିସି) ମୁଖ୍ୟାଳୟରେ ପହଞ୍ଚିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଲେ ଯେ ସେ କୌଣସି ବେଆଇନ କାର୍ଯ୍ୟକରିନାହାନ୍ତି । ସିବିଆଇ ଏଫଆଇର ଓ ଚାର୍ଜସିଟରେ ତାଙ୍କ ନାଁ ମଧ୍ୟ ନାହିଁ । ସେ କହିଛନ୍ତି ଯେ ହାଇକୋର୍ଟ ଗତ ୧୩-୧୫ ମାସ ଧରି ତାଙ୍କୁ ସୁରକ୍ଷା ଦେଇଥିଲେ । ଏବେ ପ୍ରାୟ ୭ ମାସ ପରେ ତାଙ୍କର ଅଗ୍ରୀମ ଜାମିନ ଆବେଦନକୁ ବାତିଲ କରିଦେଇଛନ୍ତି । ସେ କହିଛନ୍ତି ଯେ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ସେ ମାନିବେ ଓ ଏଥିପାଇଁ ଶୁକ୍ରବାର ପର୍ଯ୍ୟନ୍ତ ଅପେକ୍ଷା କରିବେ ।
ଫେରାର ଥିବା ଅଭିଯୋଗକୁ ସେ ଖଣ୍ଡନ କରି ସେ କହିଛନ୍ତି ଯେ ସେ ଆଇନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି । ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ, ଅଭିଷେକ ମନୁସିଂଘଭୀ, ସଲମାନ ଖୁର୍ସିଦ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ସିବିଆଇର ଏକ ଦଳ କଂଗ୍ରେସ ମୁଖ୍ୟାଳୟ ଅଭିମୁଖେ ବାହାରିଛି ।