Sat. Jan 11th, 2025

ଅସୁରକ୍ଷିତ ପୁରୀ: ଭକ୍ତଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ

By amfnews Dec 26, 2018 #Featured
234 Views

ପୁରୀ, ଡିସେମ୍ବର ୨୬ : ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ଅପରାଧିଙ୍କ ରାଜ୍‌ । ଗୋଟିଏ ଦିନରେ ଘଟିଛି ତିନି ତିନୋଟି ଅପରାଧ । ଗତକାଲି ଦିନରେ ଗୁଣ୍ଡିଚା ମନ୍ଦିର ନିକଟରେ ଗୁଳି ଫୁଟିଥିବାବେଳେ ସନ୍ଧ୍ୟାରେ କଲେଜ ଛାତ୍ରଙ୍କୁ ଆକ୍ରମଣ ଏବଂ ରାତିରେ ଜଣେ ଭକ୍ତଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ ଓ ଏହା ସହିତ ଲୁଟ୍‌ । ଜଗନ୍ନାଥବଲ୍ଲଭ ପାର୍କିଂଠାରେ ଭକ୍ତଙ୍କ ତଣ୍ଟି କାଟି ତାଙ୍କଠାରୁ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଗୁରୁତର ପ୍ରମୋଦ ଜେନାଙ୍କୁ ପୁରୀରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେ କଟକର ବୋଲି ଜଣାପଡ଼ିଛି । 

ସୂଚନାନୁଯାୟୀ, କଟକର ପ୍ରମୋଦ ଜେନା ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀ ଯାଇଥିଲେ । ଜଗନ୍ନାଥବଲ୍ଲଭ ପାର୍କିଂ ପାଖରେ କିଛି ଦୁର୍ବୃତ୍ତ ଦାଦାବଟି ମାଗିଥିଲେ । ଏହା ସହିତ ତାଙ୍କର ମନିପର୍ସ ଓ ସୁନା ଚେନ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପ୍ରମୋଦ ବିରୋଧ କରିବାରୁ ଦୁର୍ବୃତମାନେ ତାଙ୍କ ତଂଟି କାଟି ଚମ୍ପଟ୍‌ ମାରିଥିଲେ । ଏଥିରେ ପ୍ରମୋଦଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟଲୋକେ ଗୁରୁତର ପ୍ରମୋଦଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏନେଇ ଟାଉନ ଥାନା ପୋଲିସ ନିକଟରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗତ ୨୦ଦିନ ମଧ୍ୟରେ ପ୍ରାୟ ୬ଟି ଅପରାଧିକ ଘଟଣା ପୁରୀରେ ଘଟି ଯାଇଛି । ଗତକାଲି ଗୁଣ୍ଡିଚାମନ୍ଦିର ଆଗରେ ସଞ୍ଜୟ ବେହେରା ଓରଫ ପାରାକୁ କିଛି ଦୁର୍ବୃତ ଗୁଳି କରିଥିଲେ । ଭୁବନେଶ୍ୱର ଏମସ୍ ହସ୍ପିଟାଲରେ ତା’ର ମୃତ୍ୟୁ ହୋଇଛି । ସେହିପରି ସନ୍ଧ୍ୟାରେ ନରେନ୍ଦ୍ର କୋଣ ନିକଟରେ ଏକ କଲେଜ ଛାତ୍ରଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଛି । ସର୍ବଦା ଚଳଚଞ୍ଚଳ ପର୍ଯ୍ୟଟନସ୍ଥଳୀ ପୁରୀ ସହରରେ ଲଗାତର ଏଭଳି ଅପରାଧିକ କାର୍ଯ୍ୟକଳାପକୁ ନେଇ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ସ୍ଥାନୀୟ ଲୋକେମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି । ପୁରୀ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

By amfnews

Related Post