Sat. Mar 7th, 2026

ଅସୁରକ୍ଷିତ ଏମ୍‌ସ ବିଲ୍‌ଡିଂ! : କାନ୍ଥ ଦବିଥିଲା, ଏବେ ସିଲିଂ ଖସୁଛି

266 Views

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସ ବିଲ୍‌ଡିଂର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଲାଣି। କାଜୁଆଲିଟି ବିଭାଗର କାନ୍ଥ ଦବିବା ଭୟ ଲୋକଙ୍କ ମନରୁ ନ ଯାଉଣୁ, ଏବେ ଆଉଟ୍‌ଡୋର୍‌ର(ଟିକେଟ୍‌ କାଉଣ୍ଟର୍‌) ସିଲିଂ ଖସି ପଡ଼ିଛି। ଫଳରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏମ୍‌ସ କର୍ତୃପକ୍ଷ ବିଲ୍‌ଡିଂ ନିରାପଦ ବୋଲି କହୁଥିଲେ ହେଁ ଗୋଟିଏ ପରେ ଗୋଟିଏ ଅଘଟଣ ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିପାରୁ ନଥିବା ସ୍ପଷ୍ଟ ହୋଇଛି।

 

 

ସବୁଦିନ ଭଳି ଶୁକ୍ରବାର ସକାଳେ ଟିକେଟ୍‌ କାଉଣ୍ଟର୍‌ରେ ପ୍ରବଳ ଭିଡ଼ ଲାଗି ରହିଥିଲା। ରୋଗୀଙ୍କ ସମ୍ପର୍କୀୟମାନେ ଟିକେଟ୍‌ କରିବା ପାଇଁ ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିଲେ। ଏତିକିବେଳେ ହଠାତ୍‌ ଛାତ ସିଲିଂର ଏକ ବଡ଼ ଅଂଶ ଖସି ପଡ଼ିିଥିଲା। ସୌଭାଗ୍ୟକୁ ଠିକ୍‌ ସେହି ସ୍ଥାନରେ କେହି ଠିଆ ହୋଇ ନଥିଲେ। ତେଣୁ ଏଥିରେ କାହାର କିଛି କ୍ଷତି ହୋଇ ନଥିଲା। ମାତ୍ର ସିଲିଂ ଖସିବା ଜାରି ରହିବା ଭୟରେ ଲାଇନ୍‌ରେ ଅପେକ୍ଷା କରିଥିବା ଲୋକେ ଅତଙ୍କିତ ହୋଇ ପଡ଼ିଥିଲେ।

ଏମିତିକି ଅନେକ ଲୋକ ଲାଇନ୍‌ରୁ ବାହାରି କାଉଣ୍ଟର୍‌ ବାହାରକୁ ପଳାଇ ଯାଇଥିଲେ। କିଛିି ସମୟ ପର୍ଯ୍ୟନ୍ତ ସେଠାରେ ଭୟର ବାତାବରଣ ଖେଳି ଯାଇଥିଲା। ଖବର ପାଇ ଏମ୍‌ସର କିଛି ବରିଷ୍ଠ ଡାକ୍ତର ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପରେ ନିର୍ଦେଶିକା ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସିଲିଂ ଛିଡ଼ିଥିବା ସ୍ଥାନକୁ ତନଖି କରିବା ପାଇଁ ଟେକ୍‌ନିସିଆନ୍‌ଙ୍କୁ ଡକାଯାଇଥିଲା। ଯାଞ୍ଚ ପରେ ଜଣାଯାଇଥିଲା ଯେ ସିଲିଂ ହୋଇଥିବା ଗୋଟିଏ ଅଂଶର ନଟ୍‌ ବୋଲ୍‌ଟଖସି ଯିବାରୁ ସେହି ଅଂଶ ତଳକୁ ଖସି ପଡ଼ିଛିି। ବାକି ଅନ୍ୟ ସମସ୍ତ ଅଂଶ ଠିକ୍‌ଠାକ୍‌ ଥିଲା। ତେଣୁ ଟିକେଟ୍‌ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଏମ୍‌ସ କର୍ତୃପକ୍ଷ ଆଶ୍ୱାସନା ଦେଇଥିଲେ ଓ ପରେ ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା।

By amfnews

Related Post