କଲ୍ୟାଣସିଂହପୁର : ଗରିବ ହିଁ ଗରିବକୁ ଚିହ୍ନିଥାଏ। ଦୁଃଖ କ’ଣ ନିଜେ ଅନୁଭବ କରିଥିବାରୁ ଦୁଃଖୀ ଦରିଦ୍ରଙ୍କ କଥା ମଧ୍ୟ ବୁଝିପାରନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଶେଖ୍ ମହମ୍ମଦ କାଶିମ। ସେ ସପ୍ତାହର ପ୍ରତି ଗୁରୁବାର ଦିନ ଗରିବ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଅନ୍ନଦାନ କରିଥାନ୍ତି।
ଏନେଇ ଶେଖ୍ ମହମ୍ମଦ କାଶିମ୍ କହିଛନ୍ତି, “ଭଗବାନଙ୍କ ଦୟାରେ ଏହି ଗାଁକୁ ଆସିଲା ପରେ ଦୋକାନ କରି ଭଲରେ ଚଳୁଛି। ଏବେ ଖାଇବାର କିଛି ଅସୁବିଧା ହେଉନାହିଁ। ତେଣୁ ଗରିବ ଲୋକଙ୍କୁ କିଛି ଖାଇବାକୁ ଦେବା ଉଦ୍ଦେଶ୍ୟରେ ମୁଁ ଏହି କାମ କରୁଛି। ପ୍ରତି ଗୁରୁବାର ୪୫ରୁ ୫୦ ମଧ୍ୟରେ ଲୋକ ଆସୁଛନ୍ତି। ବିଶ୍ୱାସରେ ଲୋକମାନେ ଆସୁଥିବାରୁ ସେମାନଙ୍କୁ ପେଟ ପୂରାଇ ଖାଇବାକୁ ଦେବା ଆମର ଧର୍ମ ଓ କର୍ତ୍ତବ୍ୟ। ଆଉ ୧୦୦ ଲୋକ ଆସିଲେ ମଧ୍ୟ ମୁଁ ଖାଇବାକୁ ଦେବି। ଗରିବଙ୍କୁ ଖାଇବାକୁ ଦେଇ ଶାନ୍ତି ଅନୁଭବ କରୁଛି।“
ତାଙ୍କର ଏହି ମହତ୍ କାର୍ଯ୍ୟକୁ ପରିବାର ଲୋକେ ସହଯୋଗ କରୁଛନ୍ତି। କେବଳ ପରିବାର ଲୋକେ ନୁହେଁ ତାଙ୍କର କାମ ପାଇଁ ଏହି କଲ୍ୟାଣପୁର ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟି ପାରିଛନ୍ତି। ସରକାରଙ୍କ ପକ୍ଷରୁ ଶେଖ ମହମ୍ମଦ କାଶିମଙ୍କୁ କ’ଣ ସହଯୋଗ ମିଳିପାରିବ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବି ବୋଲି କଲ୍ୟାଣସିଂହପୁରର ଅତିରିକ୍ତ ତହସିଲଦାର ଗଣେଶ ଦଳେଇ କହିଛନ୍ତି।