Tue. Nov 26th, 2024

ଅସଲ ହିରୋ ଗଙ୍ଗା ଗୌରୀ ପ୍ରସାଦ, ଲାଞ୍ଚ ନେବାକୁ ରୋକ୍‌ଠୋକ୍ ମନା କରିଦେଲେ

By amfnews Nov 23, 2019 #Featured
103 Views

ଭୁବନେଶ୍ବର/ଗଜପତି : ସଚ୍ଚୋଟତାକୁ କିଣି ପାରିଲାନି ଲାଞ୍ଚ। ଲକ୍ଷ ଲକ୍ଷ ଟଙ୍କାର ଲୋଭ ତାଙ୍କୁ ପଥଚ୍ୟୁତ କରି ପାରିଲାନି। ‘ଅପରେସନ ବ୍ଲାକ୍‌ଆଉଟ୍‌’ ୬ ଜଣ ଲାଞ୍ଚୁଆ ଅଧିକାରୀଙ୍କ ମୁଖା‌ ଖୋଲି ଦେଇଥିବାବେଳେ ଏଭଳି ଜଣେ ସଚ୍ଚୋଟ ଅଫିସରଙ୍କ ସାଧୁତାକୁ ମଧ୍ୟ ସାମ୍ନାକୁ ଆଣିଛି। ସେ ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଦ୍ୟୁତ ସବ୍‌ଡିଭିଜନର ନିର୍ବାହୀ ଯନ୍ତ୍ରୀ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ। ସାଧୁତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ହିରୋ ପାଲଟି ଯାଇଛନ୍ତି। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।

ଅନ୍ୟମାନଙ୍କ ଭଳି ପାରଳାଖେମୁଣ୍ଡି ନିର୍ବାହୀ ଯନ୍ତ୍ରୀ ଗଙ୍ଗା ଗୌରୀ ପ୍ରସାଦଙ୍କୁ ମଧ୍ୟ ଫାନ୍ଦରେ ପକାଇବାକୁ ଚେଷ୍ଟା କରିଥିଲେ ଲିକିଂ ଗୁରୁ ଡଟ୍‌କମ୍‌ର ସାମ୍ବାଦିକ। ଆଉ ଇନଭର୍ଟର କମ୍ପାନି ପ୍ରସ୍ତାବରେ ରାଜି ହୋଇଗଲେ ତାଙ୍କୁ ଲକ୍ଷାଧିକ ଟଙ୍କା ଲାଞ୍ଚ ଯାଚିଥିଲେ। କମ୍ପାନି କଥା ମାନି ପିକ୍‌ ଆୱାର୍‌ରେ ବିଦ୍ୟୁତ କାଟିଲେ ମାଲାମାଲ କରିଦେବେ ବୋଲି ଲୋଭ ଦେଖାଇଥିଲେ। ମାତ୍ର ଏଭଳି ପ୍ରସ୍ତାବକୁ ସେ ସିଧାସଳଖ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ରୋକଠୋକ ଶୁଣାଇ ଦେଇଥିଲେ ଯେ ପଇସା ପାଇଁ କେବେ ବି ବିଜୁଳି କାଟି ପାରିବେନି। ଇନଭର୍ଟର କମ୍ପାନିକୁ ବିଦ୍ୟୁତ ବିଭାଗର ପ୍ରତିଦ୍ବନ୍ଦ୍ବୀ କମ୍ପାନି ବୋଲି ଦର୍ଶା‌ଇ ପ୍ରତିଦ୍ବନ୍ଦ୍ବୀ କମ୍ପାନିର ଲାଭ ପାଇଁ ସେ ବିଦ୍ୟୁତ ବିଭାଗର କ୍ଷତି କରିପାରିବେନି ବୋଲି କହି ଏ ବାବଦରେ ଅଧିକ କଥାବାର୍ତ୍ତା ହେବାକୁ ମଧ୍ୟ ଚାହିଁ ନ ଥିଲେ। ଏଥିରୁ ପ୍ରମାଣିତ ହୋଇ ଯାଇଥିଲା ଯେ ସେ ପ୍ରକୃତରେ ଜଣେ ସଚ୍ଚୋଟ ଅଧିକାରୀ।

ଏମିତି ଅଫିସରଙ୍କୁ ଦେଖିବା ପରେ ସରକାରୀ ଅଫିସରେ ଯେ ସାଧୁ ଓ ସଚ୍ଚୋଟ ଅଫିସର ନାହାନ୍ତି, ଏକଥା କହିବା ଭୁଲ ହୋଇଯିବ। ଏବେ ବି ନିଜ କର୍ତବ୍ୟ ଓ ନିଜ ଦାୟିତ୍ୱ ପ୍ରତି ସଚେତନ ବିଦ୍ୟୁତ ବିଭାଗରେ ଏମିତି ଅଧିକାରୀ ଅଛନ୍ତି, ତାହା ସେ ପ୍ରମାଣ କରି ଦେଇଛନ୍ତି। ପୂର୍ବରୁ ତିତଲି ବାତ୍ୟାବେଳେ ଗ୍ରାମାଞ୍ଚଳରେ ଲୋକଙ୍କୁ ତୁରନ୍ତ ବିଦ୍ୟୁତ ସେବା ଯୋଗାଇ ପ୍ରଶଂସିତ ହୋଇଥିବା ଗଙ୍ଗା ଗୌରୀ ପ୍ରସାଦଙ୍କୁ ଏଥିପାଇଁ ସ୍ଥାନୀୟ ଲୋକେ ଭୁରିଭୁରି ପ୍ରଶଂସା କରିଛନ୍ତି।

By amfnews

Related Post