ଅସିତ ମହାନ୍ତି
୧୯୬୯ରୁ ୨୦୧୮- ଦୀର୍ଘ ୫୦ ବର୍ଷ । ଏ ହେଉଛି ଜଣେ ସାମ୍ବାଦିକ ଭାବରେ ପ୍ରଶାନ୍ତ ପଟ୍ଟନାୟକଙ୍କର ଅଭିଯାତ୍ରା । କାରଣ, ୧୯୬୯ରେ “କଳିଙ୍ଗ’ ଦୈନିକରେ ଯୋଗଦେବା ପରେ ଯେଉଁ ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ ସେ, ତାହା ରାଜ୍ୟ ପରିସରରୁ ପ୍ରଥମେ ଜାତୀୟ ସ୍ତରର ମୁଦ୍ରଣ ଗଣମାଧ୍ୟମ ଏବଂ ପରବର୍ତ୍ତୀ କାଳରେ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମ ପଥଦେଇ ପରିପୁଷ୍ଟ ହୋଇଛି । ପରେ ପୁଣି ଆସି ତାହା ଦୈନିକ ସମ୍ବାଦପତ୍ରର ସଂପାଦକ ଦାୟିତ୍ୱରେ କେନ୍ଦ୍ରିତ ହେବାପରେ, ଏବେ ସେଥିରୁ ବିଚ୍ଛିନ୍ନ ହୋଇ ଆତ୍ମସ୍ଥ ହୋଇଛି ନିଜ ଠାରେ । ଏଣୁ ଆଜିର ପୁସ୍ତକ ଉନ୍ମୋଚନ ଉତ୍ସବ ଏକ ସନ୍ଧିକ୍ଷଣ- ଯେଉଁଠି ଅତୀତକୁ ସାଉଁଟି ଏକାଠି କରିବାର ଏକ ପ୍ରବଣତା ଅଛି । ଏ ପ୍ରବଣତା ଆମେ ପ୍ରଶାନ୍ତବାବୁଙ୍କର ଅଳ୍ପଦିନ ପୂର୍ବର ଆଉ କେତୋଟି ପୁସ୍ତକରେ ମଧ୍ୟ ଦେଖିସାରିଛୁ ।
“ତୃତୀୟ ନୟନ’ ତାଙ୍କର ସ୍ତମ୍ଭଲେଖଗୁଡ଼ିକର ଏକ ନିର୍ବାଚିତ ସଂକଳନ । ଯଦିଓ ଏ ପୁସ୍ତକର ମୁଖବନ୍ଧ ଅନୁସାରେ ସେ ୧୯୬୯ ମସିହାରେ ଦୈନିକ “କଳିଙ୍ଗ’ରେ ଯୋଗଦେବା ପରେ “ରାଜଧାନୀ ଚିଠି’ ନାମରେ ସେଥିରେ ଏକ ସ୍ତମ୍ଭ ଆରମ୍ଭ କରିଥିଲେ- ତାହାର ଦଶବର୍ଷ ପରେ, ୧୯୭୯ରେ “ପ୍ରଗତିବାଦୀ’ରେ ଲେଖିଥିବା ସ୍ତମ୍ଭଲେଖଗୁଡ଼ିକୁ ହିଁ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି । ତାହାର ପ୍ରମାଣ ଆମେ ଏ ପୁସ୍ତକର ନାମକରଣରେ ପାଉ । କାରଣ “ପ୍ରଗତିବାଦୀ’ର ସେହି ସ୍ତମ୍ଭର ନାମ ହିଁ ଥିଲା “ତୃତୀୟ ନୟନ’ । ତେବେ ସେ ସ୍ତମ୍ଭ ସହିତ ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ “ବିଶେଷ ଖବର’ରେ ପ୍ରକାଶ ପାଇଥିବା ୧୮ଟି ସ୍ତମ୍ଭଲେଖ ମଧ୍ୟ ଏଥିରେ ସଂକଳିତ ହୋଇଛି । ଏଣୁ ସ୍ତମ୍ଭ ଲେଖର ମୋଟ ସଂଖ୍ୟା ୬୯ ଏବଂ ଶେଷରେ ସଂକଳିତ ଗୋଟିଏ ସାକ୍ଷାତ୍କାରକୁ ମିଶାଇଲେ ଏ ପୁସ୍ତକର କଳେବର ୭୦ଟି ସନ୍ତକରେ ସୁପୁଷ୍ଟ ।
ପାରମ୍ପରିକ ପୁସ୍ତକ ପ୍ରକାଶନର ଧାରାରେ ଗୋଟିଏ ସ୍ପଷ୍ଟ ବ୍ୟତିକ୍ରମ କରି ଶ୍ରୀ ପଟ୍ଟନାୟକ ଏ ପୁସ୍ତକର ସାମ୍ନା “କଭର-ଫ୍ଲାପ୍’ରେ ପାର୍ଥ ଓ ରଶ୍ମିରେଖା ପଟ୍ଟନାୟକଙ୍କ ପୁତ୍ର ଆୟୁଷ୍ମାନ୍ ଆୟୁଷଙ୍କର ଏକ ଫଟୋଚିତ୍ର ଓ ସଂକ୍ଷିପ୍ତ ସୂଚନା ଛାପିଛନ୍ତି ଏବଂ ପଛ “ଫ୍ଲାପ୍’ରେ ବିଶିଷ୍ଟ ଯୁବ ବ୍ୟଙ୍ଗଶିଳ୍ପୀ କମଳାକାନ୍ତ ରଥଙ୍କର ଏକ ରେଖାଚିତ୍ର ଓ ସଂକ୍ଷିପ୍ତ ସୂଚନା ଛାପିଛନ୍ତି । କମଳାକାନ୍ତ ଓରଫ୍ କେ.କେ. ରଥ ତ ଏ ପୁସ୍ତକର ପ୍ରଚ୍ଛଦଶିଳ୍ପୀ । କିନ୍ତୁ ଆୟୁଷ ଏଠି କାହିଁକି ସ୍ଥାନିତ? ଏହାର କାରଣ ହେଉଛି- ଆୟୁଷଙ୍କର ବି ପ୍ରଶାନ୍ତ ପଟ୍ଟନାୟକଙ୍କ ପରି ଫଟୋଚିତ୍ର ଉତ୍ତୋଳନରେ ଆଗ୍ରହ ଅଛି ଏବଂ ସମ୍ଭବତଃ ସେଇଥିପାଇଁ ତାଙ୍କ ଭିତରେ ସେ ନିଜର ଏକ ନୂଆ ପ୍ରଜନ୍ମକୁ ଦେଖୁଛନ୍ତି ।
ଏଣୁ ଏହି ଅବସରରେ ଏ ପୁସ୍ତକପାଇଁ ମୁଁ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶ୍ରଦେ୍ଧୟ ଆୟୁଷଙ୍କୁ ଓ ବ୍ୟଙ୍ଗଚିତ୍ରୀ କମଳାକାନ୍ତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ।
୧୯୬୯ରେ ସାମ୍ବାଦିକ ଜୀବନ ସହିତ ସମ୍ବାଦପତ୍ରରେ ସ୍ତମ୍ଭଲେଖ ଆରମ୍ଭ କରିଥିଲେ ବି ୧୯୭୩ ମାର୍ଚ୍ଚ ୬ରେ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ହେବା ପରେ ଅଚାନକ “କଳିଙ୍ଗ’କୁ ବନ୍ଦ କରିଦେଇଥିଲେ ବିଜୁ ପଟ୍ଟନାୟକ । କିନ୍ତୁ ସାମ୍ବାଦିକତା ଓ ସ୍ତମ୍ଭଲେଖର ଯେଉଁ ଛୁଆଁ ତାଙ୍କୁ ସେଦିନ ଉଚ୍ଚକିତ କରିଥିଲା- ତାହା କିନ୍ତୁ ତିରୋହିତ ହୋଇଯାଇନଥିଲା । ତାହାର ପରିପ୍ରକାଶ ପୁଣି ଘଟିଥିଲା ୧୯୭୯ରେ, “ପ୍ରଗତିବାଦୀ’ ପୃଷ୍ଠାରେ ।
ଦୈନିକ “ପ୍ରଗତିବାଦୀ’ର ସଂପାଦକ ଥିଲେ ପ୍ରଦ୍ୟୁମ୍ନ ବଳ । ମୋର ଆଜି ବି ମନେ ଅଛି ସେଇଦିନଟି- ଯେଉଁଦିନ ସକାଳେ ଭୁବନେଶ୍ୱରର ସୂଚନା ଭବନ (ଆଜିର ଜୟଦେବ ଭବନ)ରେ ସେଦିନର ଉଦୀୟମାନ ସାମ୍ବାଦିକ ଓ ସଂପାଦକ ଏମ୍. ଜେ. ଆକବର ଉନ୍ମୋଚନ କରିଥିଲେ “ପ୍ରଗତିବାଦୀ’ର ପ୍ରଥମ ସଂଖ୍ୟା । ତାହା ଥିଲା ୧୯୭୯ ମସିହାର ମଇ ପହିଲା । ଏ ପୁସ୍ତକର ଗୋଟିଏ ଲେଖାର ଶୀର୍ଷକ “ଛଳନାହୀନ ପ୍ରଦ୍ୟୁମ୍ନ ବଳ’ । ସେଥିରେ ପ୍ରଦ୍ୟୁମ୍ନବାବୁଙ୍କ ବ୍ୟକ୍ତିତ୍ୱର ଚମକ୍ରାର ଚିତ୍ରଣ କରିଛନ୍ତି ପ୍ରଶାନ୍ତବାବୁ । କିନ୍ତୁ ସେ ଲେଖାଟି ପଢ଼ି ମୋର ମନେପଡ଼ିଗଲା ଗୋଟିଏ ଛବିି- ଯାହା ସେଦିନ ସେଇ ପ୍ରଥମ ସଂଖ୍ୟାର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା । ତାହା ଥିଲା- ରାଜଧାନୀର ରାସ୍ତାକଡ଼ରେ ଅଚେତ ହୋଇ ପଡ଼ିଥିବା ଗୋଟିଏ ଭିକାରୁଣୀ ଓ ତା’ ପାଖରେ ବସିଥିବା ତା’ କ୍ଷୁଧାର୍ତ୍ତ ପୁଅର ଫଟୋଚିତ୍ର । ଏବଂ ବ୍ୟଞ୍ଜନାପୂର୍ଣ୍ଣ ଦୃଶ୍ୟଟି ଏହି ଯେ ଠିକ୍ ସେଇଠି ଲଗାଯାଇଥିଲା ହିନ୍ଦୀ ସିନେମା “ରଖୱାଲା’ର ଏକ ପୋଷ୍ଟର ।
ଏ ବହିର କୌଣସି ଲେଖାରେ ଅବଶ୍ୟ ଉଲ୍ଲେଖ ନାହିଁ- କିନ୍ତୁ ଓଡ଼ିଶାରେ ଫଟୋ-ସାମ୍ବାଦିକତା କ୍ଷେତ୍ରରେ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ ପ୍ରଶାନ୍ତବାବୁ । ମୋର ମନେପଡ଼ୁଛି- ୧୯୭୭ରୁ ୭୯ ମଧ୍ୟରେ ଆମେ ଯେତେବେଳେ ସଟଲ୍ ଟ୍ରେନ୍ରେ ଭୁବନେଶ୍ୱରରୁ ଯାଉଥିଲୁ କଟକ, ରେଭେନ୍ସା କଲେଜରେ ଏମ୍.ଏ. ପଢ଼ିବାପାଇଁ, ସେତେବେଳେ ଭୁବନେଶ୍ୱର ଷ୍ଟେସନ୍ରୁ ଟଙ୍କିକିଆ ଇଂରାଜୀ ସାପ୍ତାହିକ “ସଣ୍ଡେ’ ଏବଂ ପ୍ରତିମାସରେ “ଆସନ୍ତାକାଲି’ ପତ୍ରିକା କିଣିଥିଲୁ । ମଝିରେ କିଛି ଦିନ ବନ୍ଦ ରହିବା ପରେ ସେତେବେଳେ ତାହା ସାହିତ୍ୟ ସହିତ ଫିଚରକୁ ଗୁରୁତ୍ୱ ଦେଇ ପ୍ରକାଶ ପାଉଥିଲା ନୂଆ ରୂପରେ ଏବଂ ସେଥିରେ ଫଟୋ ଓ ଫିଚର୍ର ମୁଖ୍ୟ ଦାୟିତ୍ୱ ଓ କୃତିତ୍ୱ ଥିଲା ପ୍ରଶାନ୍ତ ପଟ୍ଟନାୟକଙ୍କର ।
ଏଠି କହିବାରେ ମୋର ଆଦୌ ଦ୍ୱିଧା ନାହିଁ ଯେ ଯୁଗପତ୍ ସାହିତ୍ୟ ଓ ସାମ୍ବାଦିକତାକୁ ଏକାଠି ନେଇ ମୋ ପରି କେତେକଙ୍କର ଗଢ଼ି ଉଠିବାର ଯେଉଁ ପର୍ବ- ସେ ପର୍ବର ଆଦର୍ଶ ରୂପେ ଆଦ୍ୟରେ ହିଁ ରହିଆସିଛନ୍ତି ପ୍ରଶାନ୍ତ ପଟ୍ଟନାୟକ ଏବଂ ସେଇଥିପାଇଁ ଆଜି ଏ ପୁସ୍ତକର ଜନ୍ମଲଗ୍ନରେ ଦି’ପଦ କହିବାର ସୁଯୋଗ ପାଇ ମୁଁ କୃତଜ୍ଞ ।
ତେବେ ଆଉ ଗୋଟିଏ ସୂଚନା ନିଶ୍ଚିତ ଭାବରେ ଏଠି ଦେବି । ୧୯୮୬ ମସିହାରେ “ସମାବେଶ’ ଓ କ୍ୱାଲିଟି ପ୍ରେସ୍ ଛାଡ଼ି ମୁଁ ଯେତେବେଳେ ଯାଇ “ପ୍ରଜାତନ୍ତ୍ର’ରେ ଯୋଗଦେଲି ଏବଂ ପରେ ପରେ ମୁଁ ସଂଯୋଜକ ଥାଇ ସେଠୁ ଯେଉଁ “ପ୍ରଜାତନ୍ତ୍ର ସାପ୍ତାହିକୀ’ ପ୍ରକାଶ ପାଇଲା- ସେତେବେଳେ ପ୍ରଶାନ୍ତ ପଟ୍ଟନାୟକ ଓ ଅନିଲ୍ ମିଶ୍ରଙ୍କ ଲେଖା ଓ ଫଟୋକୁ ନେଇ ଅନେକ ପ୍ରସଙ୍ଗ ସେଥିରେ ପ୍ରକାଶ ପାଉଥିଲା । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶାସନର ବିରୋଧୀ ଅନେକ ଲେଖା ଅବଶ୍ୟମ୍ଭାବୀ ଭାବରେ ସେତେବେଳେ ପ୍ରମୁଖତା ପାଉଥିଲା । ତାହା ମଧ୍ୟ ଥିଲା ସମଧିକ ଗୁରୁତ୍ୱପୂର୍ଣ୍ଣ । ଅନେକ ପ୍ରସଙ୍ଗ ମଧ୍ୟରୁ ଏବେ ଯେଉଁ ଦୁଇଟି ମନେପଡ଼ୁଛି, ତାହା ହେଉଛି- “ଲଢ଼୍କେ ଲେଙ୍ଗେ ଝାଡ଼ଖଣ୍ଡ ଷ୍ଟେଟ୍’ ଏବଂ “ଜଗନ୍ନାଥ ବନାମ ଯୀଶୁ’ । ମୁଁ ଆଶା କରେ, ସେ ସବୁ ଲେଖାକୁ ନେଇ ଏକ ସଂକଳନର ପ୍ରସ୍ତୁତି ବି ପ୍ରଶାନ୍ତବାବୁ ଆଗାମୀ ଦିନରେ କରିବେ । ତାହା ହେବ ସେହି ସମୟର ଏକ ଐତିହାସିକ ଦସ୍ତାବିଜ୍ ।
ଆଗରୁ କହିଛି, ଏଥିରେ ଅଛି, ସବା ଶେଷରେ ସଂକଳିତ ସାକ୍ଷାତ୍କାରକୁ ନେଇ ମୋଟ ୭୦ଟି ଲେଖା । ସବୁର ଆକଳନ ଏଠାରେ ସମ୍ଭବ ନୁହେଁ କି ସେଥିପାଇଁ ସମୟ ବି ଏଠି ନାହିଁ । କିନ୍ତୁ ସେସବୁ ମଧ୍ୟରେ ଯାହା ପ୍ରମୁଖତା ପାଇଛି, ତାହା ହେଉଛି ରାଜନୀତି । ସେସବୁ ପଢ଼ିଲେ ବିଗତ ପ୍ରାୟ ୪୦ ବର୍ଷର ରାଜନୈତିକ ଦୃଶ୍ୟପଟ ପୁଣିଥରେ ସ୍ମୃତିରେ ସ୍ପଷ୍ଟ ହୋଇଯାଏ । ତେବେ କହିରଖେ ଯେ ଲେଖାଗୁଡ଼ିକ କାଳାନୁକ୍ରମିକଭାବେ ସଂକଳିତ ହୋଇନାହିଁ । ପୁଣି ୧୯୯୦ରେ “ବିଶେଷ ଖବର’ରେ ପ୍ରକାଶିତ ୧୮ଟି ଲେଖା ପ୍ରଥମରୁ ସଂକଳିତ ହୋଇଥିବା ବେଳେ, ୧୯୭୯ଠାରୁ ଏ ପର୍ଯ୍ୟନ୍ତ ପ୍ରକାଶ ପାଇଥିବା ୫୧ଟି ଲେଖା ପରେ ସଂକଳିତ ହୋଇଛି । ସେହିସବୁ ଲେଖାର ମୁଖ୍ୟ ଆଲୋଚ୍ୟମାନେ ହେଉଛନ୍ତି- ବିଜୁ ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକ, ନବୀନ ପଟ୍ଟନାୟକ ଓ ପ୍ୟାରୀମୋହନ ମହାପାତ୍ର । ତେବେ ସେହିସବୁ ଲେଖାରେ ଏହି ରାଜନୈତିକ ଚରିତ୍ରମାନେ ମୁଖ୍ୟ ନୁହନ୍ତି- ମୁଖ୍ୟ ଓଡ଼ିଶାପାଇଁ ସେମାନେ କରିଥିବା ବା କରିନଥିବା କାମ ।
ପ୍ରଶାନ୍ତବାବୁ ବିଜୁବାବୁଙ୍କର ଜଣେ ସମର୍ଥକ ଭାବରେ ଜଣାଶୁଣା । ପୁଣି ସେ ଜାନକୀବାବୁଙ୍କ ବିରୋଧୀ ବୋଲି ବି ଅନେକେ ଜାଣନ୍ତି । କିନ୍ତୁ ଏ ଲେଖାଗୁଡ଼ିକ ମଧ୍ୟରୁ ଅନେକରେ ବିଜୁବାବୁଙ୍କର ସମାଲୋଚନା ଓ ଜାନକୀବାବୁଙ୍କର ସମର୍ଥନ ଅଛି । ଏହା କାହିଁକି? ଏଇଥିପାଇଁ ଯେ ଜଣେ ସାମ୍ବାଦିକ ଭାବରେ ସେ ସବୁବେଳେ ଚାହିଁଛନ୍ତି- ସେମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଓଡ଼ିଶାପାଇଁ କାମ କରିବାପାଇଁ ହିଁ ଜନସାଧାରଣଙ୍କ ଦ୍ୱାରା ଭୋଟପାଇ ସେମାନେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତାହା ଯଦି ସେମାନେ ନକଲେ ବା କରିବାକୁ ଇଚ୍ଛା କରି ବି ପ୍ରଶାସନର ଅସହଯୋଗରୁ କରିପାରୁ ନାହାନ୍ତି, ତେବେ ତାହା ସେମାନଙ୍କର ଅପାରଗତା ଏବଂ ସେଥିପାଇଁ ସେମାନେ ସମାଲୋଚନାର ଶରବ୍ୟ ହେବାକୁ ବାଧ୍ୟ ।
ଏଇଥିପାଇଁ ହିଁ ଏ ବହିର ପ୍ରଥମ ଲେଖାର ଶୀର୍ଷକ, “ବିଜୁଙ୍କ କଥା ଓ କାର୍ଯର୍୍ୟରେ ପାର୍ଥକ୍ୟ କାହିଁକି?’ । ସେଥିରେ ସେ କହିଛନ୍ତି- ବିଜୁବାବୁ ଦୀର୍ଘ ୨୭ ବର୍ଷ ପରେ ମୁଖ୍ୟମନ୍ତ୍ରୀ ରୂପେ ଫେରିବା ପଛର ପ୍ରତିଶ୍ରୁତି ଥିଲା- କଂଗ୍ରେସର ଦୀର୍ଘ ୧୦ ବର୍ଷର ଶାସନର କଳୁଷ କବଳରୁ ଓଡ଼ିଶାର ଜନସାଧାରଣଙ୍କର ମୁକ୍ତି । କିନ୍ତୁ ରାଜ୍ୟବାସୀଙ୍କୁ ସେ ସେହି ନ୍ୟାୟ ଦେବାରେ ବିଫଳ ହେଲେ । ପ୍ରଥମ ପର୍ଯ୍ୟାୟରେ ସଂକଳିତ “ବିଶେଷ ଖବର’ର ୧୮ଟି ଲେଖା ମଧ୍ୟରୁ ଅନ୍ୟୂନ ପାଞ୍ଚଟି ମୁଖ୍ୟତଃ ଏଇ କଥାକୁ ନେଇ । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ସଂକଳିତ ପ୍ରଥମ ଲେଖାର ଆରମ୍ଭ ବି ସେଇଠୁ । ନିଜର ଦ୍ୱିତୀୟ ପର୍ଯ୍ୟାୟର ମୁଖ୍ୟମନ୍ତ୍ରିତ୍ୱ କାଳରେ ବିଜୁବାବୁ ଆଉ ଲୋକଙ୍କ ମୁଖ୍ୟମନ୍ତ୍ରୀ ନହୋଇ “ବିଜୁ ବାଦ୍ଶାହା’ ହୋଇଯାଇଛନ୍ତି । ବହୁ ଖାମଖିଆଲ ନିଷ୍ପତ୍ତି ତାଙ୍କୁ ଜଣେ ଅବୁଝାମଣା ରାଜାରେ ପରିଣତ କରିଛି- ଏବଂ ସେଥିପାଇଁ ଦାୟୀ ହୋଇଛନ୍ତି ତାଙ୍କର ପାଳବିଣ୍ଡା ମନ୍ତ୍ରୀ । ତେଣୁ ବିଜୁଙ୍କୁ ସେ “ଆଡ଼ବାୟା ସୁଲତାନ୍’ ଓ “ମହମ୍ମଦ ତୋଗଲକ୍’ ବି କହିଛନ୍ତି । ପ୍ୟାରୀମୋହନ ମହାପାତ୍ରଙ୍କ ସମାଲୋଚନା ବି ଏହା ଭିତରେ ଅଛି । ନବୀନ ପଟ୍ଟନାୟକଙ୍କ ସମୟରେ ଓଡ଼ିଆ ଭାଷା କ୍ଷେତ୍ରରେ ମଧ୍ୟ ଏହାହିଁ ହେଉଛି ବୋଲି ସେ ସ୍ପଷ୍ଟ ମତ ଦେଇଛନ୍ତି ।
ସ୍ୱାଭାବିକ ଭାବରେ ଜାନକୀବାବୁଙ୍କ ସମାଲୋଚନା ବି କିଛି କମ୍ ନାହିଁ । ସାମ୍ବାଦିକ ସ୍ୱରୂପ ଜେନାଙ୍କ ଉପରେ ଆକ୍ରମଣ, ତାଙ୍କ ନିଜ ଉପରେ ଆକ୍ରମଣ ଓ ସରକାରୀ ଘରୁ ଉଚ୍ଛେଦ, ମଣ୍ଡଳ କମିସନ୍ ସୁପାରିଶକୁ ନେଇ ବିରୋଧ ଓ ଆନ୍ଦୋଳନ ପଛର ହିଂସା- ଏସବୁପାଇଁ ସେ ସିଧାସଳଖ ଜାନକୀବାବୁଙ୍କୁ ଆକ୍ରମଣ କରିଛନ୍ତି । ଛବିରାଣୀ ଧର୍ଷଣ ଓ ହତ୍ୟା ଘଟଣା, ଯାହା ଓଡ଼ିଶାରେ ସେଦିନ ଚହଳ ପକାଇ ଦେଇଥିଲା- ସେଥିପାଇଁ ବି ସେ ଜାନକୀବାବୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।
କିନ୍ତୁ ଏ ସବୁ ସମାଲୋଚନା ଭିତରେ ତାଙ୍କ ନିଜ ପେସାର ଗୋଷ୍ଠୀ- ଅର୍ଥାତ୍ ସାମ୍ବାଦିକମାନେ ବି ବାଦ୍ ପଡ଼ିନାହାନ୍ତି । ପ୍ରଥମ ପର୍ଯ୍ୟାୟରେ ସଂକଳିତ “ବିଶେଷ ଖବର’ର ତିନିଟି ଲେଖା ଏହାର ପ୍ରକୃଷ୍ଟ ଉଦାହରଣ । ତିନିଟି ଯାକର ଶୀର୍ଷକ “ସାମ୍ବାଦିକ ଓ ଶାଗୁଣା’ ।
ଶାଗୁଣା ସମସ୍ତଙ୍କ ମାଂସ ଖାଏ, କିନ୍ତୁ ଶାଗୁଣା ମାଂସ କେହି ଖାଆନ୍ତିନି- ଏହା ହେଉଛି ତାଙ୍କର ବକ୍ତବ୍ୟ । “ସାମ୍ବାଦିକ, ସରକାର ଓ ଧର୍ମକୁ ଆଖିଠାର’ରେ ଏ ସଂପର୍କରେ ଅଛି ସ୍ପଷ୍ଟ ଉଚ୍ଚାରଣ । ସେ କହିଛନ୍ତି- ସରକାର ବା କ୍ଷମତାରେ ଥିବା ନୀତିହୀନ, ଦୁର୍ବଳ ରାଜନୈତିକ ବ୍ୟକ୍ତିମାନେ ଏବଂ ସରକାରୀ କଳରେ ଥିବା ଦୁର୍ନୀତିଗ୍ରସ୍ତ କେତେକ ପଦସ୍ଥ କର୍ମଚାରୀ କେବେହେଲେ ଚାହାନ୍ତି ନାହିଁ ଯେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ସୁଦୃଢ଼ ହୋଇ ରହୁ ଅଥବା ସମାଜର ସଜାଗ ପ୍ରହରୀ ସର୍ବଦା ସଜାଗ ହୋଇ ରହିଥାଉ । ସେଇଥିପାଇଁ ସାମ୍ବାଦିକମାନଙ୍କୁ ଦୁର୍ବଳ, ଦୁର୍ନୀତିଗ୍ରସ୍ତ ଓ ନୀତିହୀନ କରିଦେବା ଲାଗି ସେମାନଙ୍କ ମନରେ ଚରମ ବ୍ୟାକୁଳତା । କାରଣ ସାମ୍ବାଦିକମାନେ ସେମାନଙ୍କ ଭଳି ଦୁର୍ନୀତିଗ୍ରସ୍ତ ହୋଇପଡ଼ିଲେ, ଭ୍ରଷ୍ଟାଚାରୀ ରାଜନୈତିକ ବ୍ୟକ୍ତି ଓ ସରକାରୀ କର୍ମଚାରୀମାନଙ୍କ ସ୍ୱରୂପକୁ କିଏ ପଦାରେ ପକାଇ ପାରିବ? କିଏ ବା ସେମାନଙ୍କ ମୁଖା ଖୋଲି ବାସ୍ତବ, କୁତ୍ସିତ ରୂପ ଦେଖାଇବା ଲାଗି ଯତ୍ନଶୀଳ ହେବ? ବରଂ “ତୁ ତ ମୂତୁରୀ, ମୁଁ ତ ମୂତୁରୀ’ ନ୍ୟାୟରେ ନିଜ ନିଜ ଭିତରେ ସଲା ସୁତୁରା କରି, ପାରସ୍ପରିକ ସୁବିଧା, ସୁଯୋଗ ପ୍ରତି ଦୃଷ୍ଟି ଦେଲେ ହେଲା ।
ତେବେ, ଏହାର ବ୍ୟତିକ୍ରମ ଯେ ନାହାନ୍ତି ତା’ ନୁହେଁ । “ମା’ ଓ ପେସାର ମୋହ’ ଏ ବାବଦରେ ଏକ ଚମକ୍ରାର ଲେଖା ।
ସେତେବେଳକୁ “ପ୍ୟାଟ୍ରିଅଟ୍’ରେ କାମ କରୁଥାନ୍ତି ପ୍ରଶାନ୍ତବାବୁ । ସଂପାଦକ ଥାଆନ୍ତି ପି. ବିଶ୍ୱନାଥ । “ପ୍ୟାଟ୍ରିଅଟ୍’ ଥାଏ ଇନ୍ଦିରାଗାନ୍ଧୀଙ୍କର ସମର୍ଥକ କିନ୍ତୁ ସଂଜୟ ଗାନ୍ଧୀଙ୍କର ବିରୋଧୀ । ସେତିକିବେଳେ କ୍ୟାନ୍ସରରେ ପୀଡ଼ିତ ହେଲେ ପି. ବିଶ୍ୱନାଥ । ଅରୁଣା ଆସଫ୍ ଅଲି ଥରେ ଓଡ଼ିଶା ଆସିଥିବା ବେଳେ ତାଙ୍କ ସହିତ ଆନ୍ତରିକ ସଂପର୍କ ଗଢ଼ି ଉଠିଥିଲା ପ୍ରଶାନ୍ତବାବୁଙ୍କର । ଇନ୍ଦିରା ଗାନ୍ଧୀ ଯେଉଁଦିନ ପି. ବିଶ୍ୱନାଥଙ୍କୁ ଦେଖିବାକୁ ତାଙ୍କ ଘରକୁ ଆସିଲେ, ସେଦିନ ଅରୁଣା ଆସଫ୍ ଅଲିଙ୍କ ସହ ପ୍ରଶାନ୍ତବାବୁ ବି ତାଙ୍କ ଘରେ ଉପସ୍ଥିତ ଥିଲେ । ପି. ବିଶ୍ୱନାଥଙ୍କୁ ସାକ୍ଷାତ କରି ଫେରିଯିବା ପୂର୍ବରୁ ଗୋଟିଏ ଧଳା ଲଫାଫା ତାଙ୍କ ହାତକୁ ବଢ଼ାଇ ଦେଇ ଯାଇଥିଲେ ଇନ୍ଦିରା ଗାନ୍ଧୀ ।
ସେ ଲଫାଫାରେ ଥିଲା ମାତ୍ର ୪ ଧାଡ଼ିର ଟାଇପ୍ କରା ଗୋଟିଏ ଲେଖା । ଅରୁଣା ଆସଫ୍ ଅଲି ତାହା ପଢ଼ିବା ପରେ ପି. ବିଶ୍ୱନାଥଙ୍କ ହାତକୁ ବଢ଼ାଇଦେଲେ ଆଉ କହିଲେ, “”ବଲ୍ ଇଜ୍ ଇନ୍ ୟୋର୍ କୋର୍ଟ । ୟୁ ହାଭ୍ ଟୁ ଡିସାଇଡ଼୍, ନାଓ ।”
“ମା ଓ ପେସାର ମୋହ’ରେ ପ୍ରଶାନ୍ତବାବୁ ଲେଖିଛନ୍ତି- “”ପାଖ ଟି’ ପୟ ଉପରେ ପଡ଼ିଥିବା ସେଦିନର ସଂସ୍କରଣ “ପାଟ୍ରିଅଟ୍’ଟିକୁ ଉଠାଇ ଆଣି ପି. ବିଶ୍ୱନାଥ କିଛି ସମୟପାଇଁ ଦେଖିଲେ । କେଇଟି ନିର୍ବାକ୍ ମୁହୂର୍ତ୍ତ ବିତିଯିବା ପରେ ଶ୍ରୀ ବିଶ୍ୱନାଥ ମୋ ହାତକୁ ସେଇ କାଗଜଖଣ୍ଡିକ ବଢ଼ାଇ ଦେଇ ସେଇଟିକୁ ତୁରନ୍ତ ଲାଇଟର୍ ଲଗାଇ ପୋଡ଼ିଦେବା ଲାଗି ଇସାରା ଦେଲେ । ରାଷ୍ଟ୍ରୀୟ ଅର୍ଥରେ ବିଦେଶର ସର୍ବାଧୁନିକ କ୍ୟାନ୍ସର ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆରୋଗ୍ୟ ହେବା ଅଥବା ଆଉ କିଛିଦିନ ବଞ୍ଚିବାର ଲୋଭ ତାଙ୍କୁ ତିଳେମାତ୍ର ପ୍ରଭାବିତ କରିପାରି ନଥିଲା । ମୁଁ ଦେଖିଲି, ସେ ଧରିଥିବା “ପ୍ୟାଟ୍ରିଅଟ୍’ ସମ୍ବାଦପତ୍ର ଉପରେ ତାଙ୍କର ଦୁଇଟୋପା ଲୁହ । ତାଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଗସ୍ତ ତାଙ୍କୁ ହୁଏତ ସାମାନ୍ୟତମ ଆନନ୍ଦ ଦେଇପାରି ନଥିଲା ।” ପ୍ରଶାନ୍ତବାବୁ ଏହାର ଉପସଂହାରରେ ଲେଖିଛନ୍ତି, “”ଏହାର କାରଣ ସେତେବେଳେ ମୁଁ ଖୋଜି ପାଇନଥିଲେ ମଧ୍ୟ ପରେ ଅରୁଣାଜୀ ମୋତେ କହିଥିଲେ, ସଂଜୟ ଗାନ୍ଧୀଙ୍କ ପ୍ରତି କଠୋର ନହେବା ଲାଗି ଶ୍ରୀମତୀ ଗାନ୍ଧୀ ସେଇ କାଗଜଖଣ୍ଡିକରେ ତାଙ୍କୁ ଅନୁରୋଧ କରିଥିଲେ ।”
କିନ୍ତୁ ଏ ଲେଖାଟିର ନାଆଁ “ମା ଓ ପେସାର ମୋହ’ କାହିଁକି? ଏହାର ଉତ୍ତର ଲେଖାର ଶେଷ ଧାଡ଼ିରେ ଅଛି । ସେ ଲେଖିଛନ୍ତି- “”ଗୋଟିଏ ପଟେ ଶ୍ରୀମତୀ ଗାନ୍ଧୀଙ୍କର ପୁଅ ପ୍ରତି ପ୍ରଚଣ୍ଡ ମମତା ଓ ଅନ୍ୟ ପଟେ ନିଜର ନୀତି, ଆଦର୍ଶ ଓ ନିଷ୍ଠା ପ୍ରତି ଶ୍ରୀ ବିଶ୍ୱନାଥଙ୍କ ପ୍ରତିବଦ୍ଧତା ମୋତେ ସ୍ତମ୍ଭୀଭୂତ କରି ପକାଇଥିଲା ।”
କେବଳ ପି. ବିଶ୍ୱନାଥ ନୁହନ୍ତି, ଶ୍ରମ ଓ ସ୍ୱାଭିମାନର ପ୍ରତୀକ ଓଡ଼ିଶାର ନଟବର ପ୍ରଧାନ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀ, ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାନିକ ସରକାରଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱର ଚମକ୍ରାର ଚିତ୍ର ବି ଏ ପୁସ୍ତକର ଲେଖାରେ ଅଛି । ନବକୃଷ୍ଟ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସଂପର୍କିତ ଲେଖା “ବିଜ୍ଞାନ, ବିଡ଼ି ଶ୍ରମିକ ଓ ନୁମାଙ୍କ ସଂପର୍କରେ’ରେ ତାଙ୍କର ବକ୍ତବ୍ୟ ହେଉଛି- “”ବୃତ୍ତି ଅପେକ୍ଷା ମାନବିକତା ସବୁବେଳେ ବଡ଼ ।”
ନକ୍ସଲ ସମସ୍ୟା, ଚିଟ୍ଫଣ୍ଡ୍ ଠକେଇ, ବାମପନ୍ଥୀ ଆନ୍ଦୋଳନ, ନିର୍ଭୟା ଗଣଧର୍ଷଣ ଏବଂ ସେ ବାବଦରେ ଆଶାରାମ ବାପୁଙ୍କ ମନ୍ତବ୍ୟ, ତରୁଣ ତେଜପାଲଙ୍କ ଅସଦାଚରଣ ଘଟଣା ଆଦି ଅନେକ ବିଷୟରେ ସେ ଲେଖାମାନ ଲେଖିଛନ୍ତି । ଘଟିଥିବା ଘଟଣାର ଚର୍ଚ୍ଚା କରିବା ସହିତ ସେ ବାବଦରେ ନିଜର ସ୍ପଷ୍ଟ ମତ ଓ ମନ୍ତବ୍ୟ ବି ଅକୁଣ୍ଠ ଭାବରେ ସେହିସବୁ ଲେଖାରେ ସେ ଦେଇଛନ୍ତି ।
ଦୁଇ ଜଣଙ୍କ ଦୃଷ୍ଟାନ୍ତ ଦେଲେ କଥାଟି ସ୍ପଷ୍ଟ ହେବ । ଜଣେ ତରୁଣ ତେଜପାଲ୍ ଓ ଅନ୍ୟ ଜଣକ ଆଶାରାମ ବାପୁ ।
ତରୁଣ ତେଜପାଲ୍ଙ୍କ ସଂପର୍କରେ ତାଙ୍କର ମନ୍ତବ୍ୟ ହେଉଛି- ଯେଉଁ ତରୁଣ ତେଜପାଲ୍ଙ୍କ “ତେଜ’ରେ ଅନୁସନ୍ଧାନମୂଳକ ସାମ୍ବାଦିକତା ତେଜିୟାନ୍ ହୋଇ ଉଠିଥିଲା ଏବଂ ଯାହାଙ୍କୁ ସାମ୍ବାଦିକତା ଜଗତର ଏକ ତେଜସ୍ୱୀ ହୀରା ବୋଲି ସମ୍ମାନିତ କରି ବହୁ ତରୁଣ ସାମ୍ବାଦିକ ତାଙ୍କୁ ଆଦର୍ଶ କରିଥିଲେ, ସାମାନ୍ୟ କ୍ଷଣିକ ଉତ୍ତେଜନାର ଶିକାର ହୋଇ ଗୋଆର ଏକ ହେଟେଲ୍ର ଲିଫ୍ଟ ମଧ୍ୟରେ ନିଜ ଅନୁଷ୍ଠାନରେ କାର୍ଯ୍ୟରତା ଜନୈକା ତରୁଣୀ ସାମ୍ବାଦିକାଙ୍କ ପ୍ରତି ଯୌନ ଉତ୍ପୀଡ଼ନ କରି ସେ ଶୋଚନୀୟ ଭାବରେ ବିବଦମାନ ହୋଇପଡ଼ିବା ପରେ ଏବେ ତାଙ୍କୁ ସାମ୍ବାଦିକତା ଭଳି ଏକ ପବିତ୍ର ପେସାର କଳଙ୍କ ରୂେପ ଅନେକ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି ।
ସେହିପରି ଆଶାରାମ ବାପୁଙ୍କ ସଂପର୍କରେ ତାଙ୍କର ମନ୍ତବ୍ୟ ହେଉଛି- ଶ୍ରୀ ବାପୁଙ୍କ ଛତ୍ରଛାୟା ତଳେ ତାଙ୍କ ଆଶ୍ରମରେ ବିଭିନ୍ନ ସମୟରେ ବହୁ ବ୍ୟଭିଚାର, ଭ୍ରଷ୍ଟାଚାର ଓ ଜଘନ୍ୟ ଅପରାଧ ହୋଇଥିବାର ଅଭିଯୋଗ ହୋଇଆସିଛି ଏବଂ ସେଥିମଧ୍ୟରୁ ଅନେକଗୁଡ଼ିଏ ଏବେ ମଧ୍ୟ ତଦନ୍ତାଧୀନ ରହିଛି । ତେଣୁ ଅପରାଧାତ୍ମକ କାର୍ଯ୍ୟକଳାପକୁ ନିନ୍ଦାକରି ଅପରାଧୀମାନଙ୍କୁ କଠୋର ଦଣ୍ଡ ଦେବାପାଇଁ ଦାବି କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଶ୍ରୀ ବାପୁ ଯୁକ୍ତି କରିବା କିଛି ବିଚିତ୍ର ନୁହେଁ । ଏଭଳି ଏକ ଅତ୍ୟନ୍ତ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାରେ ଶ୍ରୀ ବାପୁ ନାରୀ ଜାତିର ସୁରକ୍ଷାପାଇଁ ଆହ୍ୱାନ ଦେବା ସଙ୍ଗେସଙ୍ଗେ ସେମାନଙ୍କ ନିରାପତ୍ତା ବିପନ୍ନ କରୁଥିବା ଅପରାଧୀମାନଙ୍କୁ କଠୋରତମ ଶାସ୍ତିବିଧାନପାଇଁ ଦାବି କରିବା ଆଶା କରାଯାଉଥିଲା । ମାତ୍ର ଶ୍ରୀ ବାପୁ ଭାରତର ଜନମାନସକୁ ପ୍ରଚଣ୍ଡ ଆଘାତ କରି ଧର୍ଷଣକାରୀଙ୍କ ସପକ୍ଷରେ ପରୋକ୍ଷରେ ଯେଉଁ ଯୁକ୍ତି ବାଢ଼ିଛନ୍ତି, ଦେଶବାସୀ ତାହା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସଙ୍ଗେସଙ୍ଗେ ଅପରାଧୀମାନଙ୍କୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଶ୍ରୀ ବାପୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି ।
ପ୍ରସଙ୍ଗକ୍ରମେ ଆଉ ଗୋଟିଏ ଲେଖାର ଅବତାରଣା ମୁଁ ଏଠି କରିବାକୁ ଚାହେଁ । ସେଇଟି ହେଉଛି- “ନିର୍ଭୟା ଓ ବେବିନାଙ୍କ ପ୍ରଦର୍ଶିତ ପଥ’ । ଦିଲ୍ଲୀର ନିର୍ଭୟାଙ୍କ ପରି ଓଡ଼ିଶାର ବେବିନା । କିନ୍ତୁ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ଓ ତାଙ୍କ ପତ୍ନୀ ମିସେଲ୍ ଓବାମାଙ୍କ ଉପସ୍ଥିତିରେ ନିର୍ଭୟାଙ୍କୁ “ଓମେନ୍ ଅଫ୍ କରେଜ୍’ ଉପାଧି ଦିଆଗଲା । ତାହାର ପ୍ରତିକ୍ରିୟାରେ ପ୍ରଶାନ୍ତବାବୁ ଲେଖିଛନ୍ତି- “ନିର୍ଭୟାଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଆମେରିକା ସରକାର ଯେପରି ସ୍ୱୀକୃତି ଓ ସମ୍ମାନ ଦେଇଛନ୍ତି, ତାହାକୁ ଅନୁକରଣ କରି ବେବିନାଙ୍କୁ ଉପଯୁକ୍ତ ସ୍ୱୀକୃତି ଓ ସମ୍ମାନ ଦେବାପାଇଁ ଓଡ଼ିଶା ତଥା ଭାରତର ସମସ୍ତ ମହିଳା ସଂଗଠନ ସମସ୍ୱରରେ ଦାବି କରିବାର ଆବଶ୍ୟକତା ରହିଛି । ତାହାହେଲେ ବେବିନାଙ୍କ ଆତ୍ମା କେବଳ ଯେ ଶାନ୍ତିପାଇବ ତାହା ନୁହେଁ, ଏହା ସମଗ୍ର ନାରୀ ସମାଜ ମନରେ ଦୃଢ଼ତା, ସାହସ, ପ୍ରତିବାଦ ଓ ଆତ୍ମରକ୍ଷାପାଇଁ ଶକ୍ତି ଯୋଗାଇବ ନିଶ୍ଚୟ ।”
ଏହିପରି ସାଂପ୍ରତିକ ପ୍ରସଙ୍ଗକୁ ନେଇ ମନନ, ଚିନ୍ତନ ଓ ଦିଗ୍ଦର୍ଶନ ସମ୍ବଳିତ ବହୁ ଅଧ୍ୟ।।ୟ ଏ ପୁସ୍ତକରେ ଅଛି । କିନ୍ତୁ ଏସବୁର ଊଦ୍ଧ୍ୱର୍ରେ ଏହାର ଆଉ ଯେଉଁ ବିଶେଷତ୍ୱ, ତାହା ହେଉଛି- ଆତ୍ମକଥାତ୍ମକ ରଚନା । ଯେଉଁସବୁ ଲେଖା ଆତ୍ମକଥାତ୍ମକ, ସେସବୁ ଅଧିକ ସୁଖପାଠ୍ୟ, ଅଧିକ ଆବେଗପ୍ରବଣ ଏବଂ ଅଧିକ ପ୍ରେରଣାପ୍ରଦ । ଏଣୁ ମୋର ଆଶା- ଯେଉଁଥିପାଇଁ ପ୍ରଶାନ୍ତବାବୁ ତାଙ୍କର ପରିଣତ ବୟସରେ ସବୁ ପେସାଗତ ଦାୟିତ୍ୱରୁ ଅବ୍ୟାହତି ନେଇ ଆତ୍ମମୁଖୀ ହୋଇଛନ୍ତି, ତାହା, ଅର୍ଥାତ୍- ସେହି “ଆତ୍ମକଥା’ଟିକୁ ତୁରନ୍ତ ଲେଖି ଶେଷ କରିବେ । ତାହାହିଁ ହେବ ପେସାଗତ ଜୀବନର ଅର୍ଦ୍ଧଶତାବ୍ଦୀରୁ ଊଦ୍ଧ୍ୱର୍ ଏବଂ ବ୍ୟକ୍ତିଗତ ଜୀବନର ସାତଦଶନ୍ଧିରୁ ଊଦ୍ଧ୍ୱର୍କାଳର ଏକ ପ୍ରେରଣାପ୍ରଦ ସୃଷ୍ଟି ।
-ଅସିତ ମହାନ୍ତି
712 Views