Sun. Mar 8th, 2026

ଅଯୋଧ୍ୟା ରାୟକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

157 Views

ଭୁବନେଶ୍ବର : ସୁପ୍ରିମକୋର୍ଟ ଦେଇଥିବା ବହୁ ଚର୍ଚିତ ଅଯୋଧ୍ୟା ରାୟକୁ ବିରୋଧ କରିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ସୁପ୍ରିମକୋର୍ଟ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାର କୌଣସି ଯଥାର୍ଥତା ନାହିଁ। ଏହି ୫ ଏକର ଜମିରେ ଯେଉଁ ମସଜିଦ ନିର୍ମାଣ ହେବ ଏହା ଆଉ ଏକ ମକ୍କା ହୋଇଯିବ। ଏହା ଆତଙ୍କବାଦର ପ୍ରବେଶ ଦ୍ବାର ହେବ। ଉତ୍ତର ପ୍ରଦେଶ ଆଉ ଏକ ପାକିସ୍ତାନରେ ପରିଣତ ହୋଇଯିବ।

ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି, ଶାନ୍ତି ଓ ବିକାଶ ପ୍ରତିଷ୍ଠା ନାଁରେ ହିନ୍ଦୁମାନଙ୍କ ଅସ୍ତିତ୍ବ ଓ ଆଦର୍ଶକୁ ଭୂଲୁଣ୍ଠିତ କରାଯାଉଛି। ଯାହା ସମଗ୍ର ହିନ୍ଦୁଙ୍କ ପାଇଁ ଏକ ସତର୍କ ଘଣ୍ଟି। ଯେଉଁମାନଙ୍କୁ ଧର୍ମଗୁରୁ ବୋଲି କୁହାଯାଉଛି ସେମାନଙ୍କୁ ଧର୍ମଗୁରୁ ମାନ୍ୟତା ଦେଇଛି କିଏ ବୋଲି ସେ ପ୍ରଶ୍ନ କରିଛନ୍ତି। ରାୟ ବାହାରିବା ପୂର୍ବରୁ ୪ ଧାମ ଶଙ୍କରାଚାର୍ଯ୍ୟମାନଙ୍କ ମତାମତ ଆଦୌ ନିଆଯାଇ ନାହିଁ। ଏପରିକି ମୋ ସହିତ କେହି ମଧ୍ୟ ଆଲୋଚନା କରି ନାହାନ୍ତି କିମ୍ବା ମୋର ପରାମର୍ଶ ନେଇ ନାହାନ୍ତି। ରାଜନେତାମାନେ ନିଜ ସ୍ବାର୍ଥ ସାଧନ ପାଇଁ ଧର୍ମଗୁରୁ ବନାଇଛନ୍ତି। ରାମଦେବ ବାବା ହେଉଛନ୍ତି ସେମାନଙ୍କ ଧର୍ମଗୁରୁ। ସେମାନେ ମୋତେ ଧର୍ମଗୁରୁ ବୋଲି ମାନନ୍ତି ନାହିଁ। ଶଙ୍କରାଚାର୍ଯ୍ୟମାନଙ୍କୁ ସରକାର ଦବାଇ ରଖିବାକୁ ଉଦ୍ୟମ କରୁଛନ୍ତି। ତେଣୁ ଗଣମାଧ୍ୟମ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାର୍ତା ଦେଉଛି କି, ଏଭଳି ଐତିହାସିକ ଭୁଲ ନିଷ୍ପତ୍ତିରୁ ଓହରି ସଂସଦରେ ସ୍ବତନ୍ତ୍ର ଅଧିବେଶନ ଆଣି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଖାରଜ କରାଯିବା ଆବଶ୍ୟକତା ରହିଛି ବୋଲି ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି।

By amfnews

Related Post