Sat. Mar 7th, 2026

ଅବ୍ୟବସ୍ଥା ସାଂଘାତିକ : ବାଇକ୍‌ରେ ବନ୍ଦୀ ଯାଉଛନ୍ତି ୪୦ କିମି

316 Views

ଯାଜପୁରସଦର , ଡିସେମ୍ବର ୧୫ : ବରୀ ବ୍ଲକ୍‌ ଜୁଡୁଙ୍ଗା ଗ୍ରାମର ହୃଷୀକେଶ ସାହୁ। ୨୦୦୮ ମସିହାର ଏକ ମାମଲାରେ ତାଙ୍କ ନାମରେ ୱାରେଣ୍ଟ ଥିଲା। ଏହି ୱାରେଣ୍ଟ ବଳରେ ପୁଲିସ୍‌ ତାଙ୍କୁ ଗିରଫ କରି ଜେଲ୍‌କୁ ନେଇଥିଲା। ତେବେ, ଯେଉଁ ଢଙ୍ଗରେ ତାଙ୍କୁ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି, ତାହା ଯାଜପୁର ପୁଲିସ୍‌ ଢିଲା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯାଜପୁରଟାଉନ୍‌ରେ ଥିବା ସବ୍‌ଜେଲ୍‌ର ପାଚେରି ୪ ମାସ ହେବ ଭାଙ୍ଗିଯାଇଛି। ଏଠାରେ ରହୁଥିବା କଏଦୀ ଓ ବିଚାରାଧୀନ ବନ୍ଦୀ ଏବଂ ଦଣ୍ଡିତ ହେବା ପରେ ଏଠାକୁ ଆସିବାକୁ ଥିବା ବନ୍ଦୀଙ୍କୁ ସେଠାରୁ ୪୦ କିଲୋମିଟର ଦୂର ରଗଡ଼ି ଜେଲ୍‌କୁ ସ୍ଥାନାନ୍ତର କରାଯାଉଛି। ମାତ୍ର, ସ୍ଥା‌ନାନ୍ତର ସମୟରେ ଯେଉଁ ନିୟମ ରହିଛି, ତାହାକୁ ପାଳନ କରାଯାଉନାହିଁ।

ଗତ ୧୨ ତାରିଖର ଏକ ଦୁର୍ଘଟଣାରୁ ଏହି ଘଟଣା ପ୍ରଥମେ ଜଣାପଡ଼ିଥିଲା। ମଙ୍ଗଳପୁର ଥାନାର ଚକ୍ରଧର ସାହୁ ନାମକ ଜଣେ କନେଷ୍ଟବଳ ଆସାମୀକୁ ବାଇକରେ ବସାଇ ରଗଡି ଜେଲରେ ଛାଡି ଫେରୁଥିବା ବେଳେ ଯାଜପୁର ବ୍ଲକ ଚଇନପୁର ପଞ୍ଚାୟତ ବେଲେଶ୍ବର ଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କୁ ଟାଉନ ପୁଲିସ ଉଦ୍ଧାର କରି ଚିକିତ୍ସା କରାଇଛି। ଶ୍ରୀ ସାହୁଙ୍କ ଗୋଡ, ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଆସାମୀକୁ ବାଇକରେ ବସାଇ କୋର୍ଟ ଓ ଜେଲକୁ ନେବା ବିପଦପୂର୍ଣ୍ଣ ହୋଇଥିଲେ ମଧ୍ୟ ବାଧ୍ୟ ହୋଇ କନଷ୍ଟେବଳମାନେ ଆସାମୀଙ୍କୁ ବାଇକରେ ବସାଇ ୪୦ କିମି ଦୂର ରଗଡି ଜେଲକୁ ନେଉଛନ୍ତି। କେତେକ ସ୍ଥାନରେ ମହିଳା କର୍ମଚାରୀଙ୍କୁ ମଧ୍ୟ ବାଇକରେ ଆସାମୀ ନେବା ପାଇଁ କୁହାଯାଉଥିବା ଅଭିଯୋଗ ଉଠିଛି। ଅନ୍ୟପଟେ କେତେକ ଥାନା ବାଇକରେ ଆସାମୀକୁ ନେବା ଆଣିବା ପାଇଁ ହୋମଗାର୍ଡକୁ ଦାୟିତ୍ବ ଦେଇଛନ୍ତି। ବାଇକରେ ଆସାମୀ ଖସି ଯିବାର ଭୟ ଥିଲେ ମଧ୍ୟ ଥାନାଧିକାରୀମାନେ ଏଥିପ୍ରତି ସତର୍କ ହୋଇନାହାନ୍ତି। ୧୨ ତାରିଖ ଘଟଣା ପରେ ପୁଲିସ କନେଷ୍ଟବଳଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ପୁଲିସ ବିଭାଗରେ ଯଥେଷ୍ଟ ଗାଡି ଥିଲେ ମଧ୍ୟ କଣ ପାଇଁ ଆସାମୀକୁ ବାଇକରେ ନେବାଆଣିବା କରାଯାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିରେ ବଡ଼ ଘୋଟାଲାର ସୁରାକ ମିଳୁଛି। ଅନ୍ୟପଟେ ବାଇକରେ ଆସାମୀ ଗଲାବେଳେ ଦୁର୍ଘଟଣା ଘଟି ପ୍ରାଣହାନି ହୁଏ ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। କୌଣସି ଅପରାଧୀକୁ ବାଇକ ନିଆଯାଉଥିବାବେଳେ ଉକ୍ତ ପୁଲିସ କର୍ମୀଙ୍କ ଜୀବନ ଉପରେ ବିପଦ ସୃଷ୍ଟି ହେଉଛି।

କିଛି ବର୍ଷ ହେବ ବରୀ, ମଙ୍ଗଳପୁର, ବିଂଝାରପୁର ଓ ଯାଜପୁର ସଦର ଥାନା ପୁଲିସ ବନ୍ଦୀଙ୍କୁ ନେବା ଆଣିବା ପାଇଁ ଏହି ସହଜ ଉପାୟ ବାଛି ନେଇଛି। ବହୁ ସମୟରେ ପୁଲିସ କବ୍‌ଜାରୁ ଆସାମୀ ଚମ୍ପଟ ମାରୁଥିଲେ ମଧ୍ୟ ଏପରି ଭୁଲକୁ ଦୋହରାଇ ଚାଲିଛନ୍ତି। ଯାହାକି ବଡ ଅଘଟଣ ଘଟିଲେ ସଂପୃକ୍ତ ତଳିଆ କର୍ମଚାରୀଙ୍କ ବେକରେ ଖଣ୍ଡା ଝୁଲୁଛି।

ଏ ସଂପର୍କରେ ଅତିରିକ୍ତ ପୁଲିସ ଆରକ୍ଷୀ ଅଧୀକ୍ଷକ ଅକ୍ଷୟ କୁମାର ଦାସ କହିଛନ୍ତି ଆସାମୀକୁ ବାଇକ ନେବାରେ ନିୟମ ନାହିଁ। କିନ୍ତୁ ବିଭିନ୍ନ ଥାନା ଆସାମୀମାନଙ୍କୁ ବିଳମ୍ବରେ କୋର୍ଟରେ ପହଞ୍ଚାଉଛନ୍ତି। କୋର୍ଟ କାର୍ଯ୍ୟ ସରିବା ବିଳମ୍ବ ହେଉଥିବାରୁ କୋର୍ଟ ଭ୍ୟାନ ଅନ୍ୟ ଆସାମୀଙ୍କୁ ନେଇ ପଳାଇ ଯାଉଛି। ବାଧ୍ୟହୋଇ ଉକ୍ତ ଥାନା କର୍ମଚାରୀ ବାଇକରେ ଆସାମୀକୁ ନେଇ ଜେଲକୁ ଯାଉଛନ୍ତି। ତେବେ ଏପରି ତ୍ରୁଟିପୂର୍ଣ୍ଣ କାର୍ଯ୍ୟପନ୍ଥା ଉପରେ ଗୁରୁତ୍ବ ଦିଆଯାଇ କିପରି ଆସାମୀକୁ ନେବା ଆଣିବା ପାଇଁ କୋର୍ଟ ଭ୍ୟାନ, ଥାନା ଗାଡି କିମ୍ବା ରିଜର୍ଭ ପୁଲିସ ଗାଡିକୁ ବ୍ୟବହାର କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।

By amfnews

Related Post