ପୀତାମ୍ବର ରାଉତ
ଆଜି ସେ ନାହିଁନ୍ତି, କିନ୍ତୁ ତାଙ୍କ ହସ ହସ ମୁହଁ ଦରଦୀ ବ୍ୟବହାର ଏବେବି ଭୁଲିବାର ନୁହେଁ । ଜୀବନରେ ମୃତ୍ୟୁ ହିଁ ଧ୍ରୁବ ସତ୍ୟ । କାଳ କାହାକୁ କ୍ଷମା କରେନାହିଁ । ପୁଣି ସେହି କାଳ ମଧ୍ୟ କାଳଜୟୀ କରେ କୀର୍ତ୍ତିମାନ ମହାପୁରୁଷମାନଙ୍କୁ । ଯେଉଁମାନେ ମରିବି ଅମର ରହନ୍ତି ଜନତାଙ୍କ ହୃଦୟରେ ପୀଢ଼ି ପରେ ପୀଢ଼ି । ସେ ବାଲ୍ୟକାଳରୁ ଖୁବ୍ ସାଧାସିଧା ଥିଲେ । କିନ୍ତୁ ରାଜନୀତିର କଷଟି ପଥରରେ ତାଙ୍କ ମାନବା ସେବାର ଅସାଧାରଣ ଦିଗଟି ବାରି ହୋଇ ପଡ଼ିଥିଲା । ସର୍ବକନିଷ୍ଠ ରାଜନେତା ଭାବେ ରାଜନୀତିକୁ ପ୍ରବେଶ କରି ସେ ହୋଇଥିଲେ ନୀତିନିଷ୍ଟ, କର୍ମଯୋଗୀ ଅନ୍ୟତମ ଶ୍ରେଷ୍ଠ ରାଜନେତା । ମଣିଷ ହୋଇ ଆସିଥିଲେ ଦେବତ୍ୱର ପରିଚୟ ଦେଇ ଚାଲିଗଲେ । ଖୁବ୍ କମ୍ ବ୍ୟକ୍ତିଙ୍କ ଜୀବନରେ ଏହା ଘଟିଥାଏ । ସେ ହେଉଛନ୍ତି ସ୍ୱର୍ଗତଃ ନଳିନୀକାନ୍ତ ମହାନ୍ତି । କଳିଙ୍ଗର ବରପୁତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ସେ ଏକାନ୍ତ ବିଶ୍ୱାସୀ ଓ ମାନସପୁତ୍ର ଭାବେ ପରିଚିତ । ବିଜୁବାବୁ କହିଥିଲେ ନଳିନୀଙ୍କୁ ଜିତାଇବା ଯାହା ମୋତେ ଜିତାଇବା ସେୟା । ନଳିନୀ ବାବୁ ଭଳି ସର୍ବକନିଷ୍ଠ ୨୮ ବର୍ଷ ବୟସ୍କ ସଂଗ୍ରାମୀ ଯୁବକର ଚେତନାରେ ଦେଖିଥିଲେ ଓ ଅନୁଭବ କରିଥିଲେ ନିଜ ଆଦର୍ଶକୁ, ଦେଶପ୍ରେମକୁ, ମାନବ ସେବାକୁ, ରାଜ୍ୟ ପ୍ରଗତିକୁ ଓ ରାଜନୀତିର ସଫଳ ଦିଗକୁ ।
(ସପ୍ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ତା.୨୦.୦୪.୨୦୧୯) ଫଟୋ
୧୯୪୯ ଜାନୁଆରୀ ୨୦ରେ ରାଜନଗର ବନ୍ଧପଡ଼ା ପଞ୍ଚାୟତ ଅନ୍ତର୍ଗତ ଫିରିକିଦାଣ୍ଡି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଗାଁ ସ୍କୁଲ, ମଦନପୁର ମହାବୀର ମଧ୍ୟ ଇଂରାଜୀ ସ୍କୁଲ, ପଟ୍ଟାମୁଣ୍ଡେଇ ମନ୍ମଥନାଥ ଉଚ୍ଚ ଇଂରାଜୀ ସ୍କୁଲରୁ ମାଟ୍ରିକ୍ ପାଶ୍ କରିବା ପରେ କଟକ ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସ୍ନାତ୍ତକ, ମଧୁସୁଦନ ଆଇନ୍ ମହାବିଦ୍ୟାଳୟରୁ ଏଲ୍.ଏଲ୍.ବି ଡ଼ିଗ୍ରୀ ହାସଲ କରିଥିଲେ । ୧୯୬୯ ମସିହାରେ ଛାତ୍ର ରାଜନୀତିରେ ଅଂଶ ଗ୍ରହଣ କରିିଥିଲେ । ୧୯୭୭ ମସିହାରେ ପ୍ରଥମଥର ପାଇଁ ବିଜୁବାବୁଙ୍କ ନେତୃତ୍ୱରେ ରାଜନଗର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ।
ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାଁନ୍ତି । ୧୯୭୭ରେ ଜନତା ଦଳରୁ, ୧୯୮୦ରେ ଲୋକଦଳରୁ, ୧୯୮୪ରେ ଜନତାପାର୍ଟିରୁ, ୧୯୯୦ ଓ ୯୫ ରେ ଜନତା ଦଳରୁ, ୨୦୦୦ରେ ବିଜେଡ଼ିରୁ ଓ ୨୦୦୪ରେ କଂଗ୍ରେସ ଦଳରୁ ସାଧାରଣ ନିର୍ବାଚନରେ ନଳିନୀ ବାବୁ ବିଜୟଲାଭ କରିଥିଲେ । ୧୯୯୦ରେ ବିଜୁବାବୁଙ୍କ ସରକାରରେ ପୂର୍ତ୍ତ ଓ ନଗର ଉନ୍ନୟନ ଓ ଗୃହ ନିର୍ମାଣ ମନ୍ତ୍ରୀ ତଥା ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରରେ ପୂର୍ତ୍ତ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ସେ ଦକ୍ଷତାର ସହ ଦାୟୀତ୍ୱ ତୁଲାଇଥିଲେ । ୧୯୯୦ରେ ତାଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ‘ସହରାଞ୍ଚଳ ବିକାଶ ବିଲ୍’ ପାରିତ ହୋଇଥିଲା । ଭିତରକନିକା ଅଭୟାରଣ୍ୟକୁ ଜାତୀୟମାନ୍ୟତା ପ୍ରଦାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯାହାକି ଆଜି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବା ସଙ୍ଗେ ସଙ୍ଗେ ପର୍ଯ୍ୟଟନ କ୍ଷେତ୍ର ରୂପେ ବେଶ୍ ପରିଚିତ । ସେ ଯେତିକି ଶାନ୍ତିପ୍ରିୟ ଥିଲେ ସେତିକି ମଧ୍ୟ ସଂଗ୍ରାମୀ ଥିଲେ । ତାଙ୍କ ନୀତି ଥିଲା ଦାନ ହିଁ ଜୀବନ, ସଂଘର୍ଷ ହିଁ ଜୀବନ, କ୍ଷମା ଧର୍ମର ମେରୁଦଣ୍ଡ, ସାଧନା ନଥିଲେ ସିଦ୍ଧି ନାହିଁ, ନୀରବତା ଶ୍ରେଷ୍ଠ ଅସ୍ତ୍ର, ଦୃଢ଼ ବିଶ୍ୱାସ ରଖି କାମ କଲେ ସଫଳତା ମିଳେ । ସେ ଅତ୍ୟନ୍ତ ମିଷ୍ଟଭାଷୀ ଓ ଅମାୟିକ ବ୍ୟକ୍ତି ଥିଲେ । ତାଙ୍କର ବ୍ୟକ୍ତିତ୍ୱ ଥିଲା ଦଳମତର ଉଦ୍ଧ୍ୱର୍ରେ । ସେ ଥିଲେ ଧର୍ମ ନିରପେକ୍ଷତାର ମୂର୍ତ୍ତିମନ୍ତ ପ୍ରତୀକ । ସେ ଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଏକ ନିଷ୍ଠ ଈଶ୍ୱର ବିଶ୍ୱାସୀ ଓ ପୂଜାରୀ । ତାଙ୍କରି ପ୍ରେରଣାରେ ଗଢ଼ି ଉଠିଛି ଓଡ଼ିଶା ବାୟାଚଢ଼େଇ ସୁରକ୍ଷା ଅଭିଯାନ । ଯାହା ଆଜି ସମଗ୍ର ରାଜ୍ୟରେ ଆଦୃତଲାଭ କରିଛି । ସେ ସାରା ଓଡ଼ିଶାର ଜନତାଙ୍କ ଦୃଷ୍ଟିରେ ଅଜାତଶତ୍ରୃ ରୂପେ ପରିଚିତ ।
ତା. ୨୦.୦୪.୨୦୧୨ ରିଖ ଦିନ ଏହି ମହାମାନବଙ୍କର ଦେହାନ୍ତ ହୋଇଥିଲା । ଏହି ଦାରୁଣ ଦୁଃଖ ସମ୍ବାଦ ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଇଥିଲା । ଦଳମତ ନିର୍ବିଶେଷରେ ରାଜନୀତି ମହଲରେ ଶୋକର ଛାୟା ଖେଳିଗଲା, ସତେ ଯେମିତି ଓଡ଼ିଶାର ମାଟି, ବ୍ରାହ୍ମଣୀ, ଖରସୁଆ ନଈବି କାନ୍ଦି କାନ୍ଦି ଲୋଟି ପଡ଼ୁଥିଲେ ଏଇ ଦୁଃଖଦ ମୁହୂର୍ତ୍ତରେ । ବିଶିଷ୍ଟ ସାହିତ୍ୟିକ,ଗବେଷକ ଡଃ. ଲିଙ୍ଗରାଜ ରଥଙ୍କ ଭାଷାରେ:-
ତୁମେ କମନୀୟ,ତୁମେ ନମନୀୟ,ତୁମେ ତ ଅତୁଳନୀୟ
ହେ ନଳିନୀଭାଇ! ଆଜି ଏ ଲଗନେ ଆମର ପ୍ରଣାମ ନିଅ ।
ଜନତା-ହୃଦୟେ ତୁମେ ତ ରହିଛ,ରହିଥିବ ସବୁଦିନ
ତୁମ ଯଶ-ଗାଥା ଗରିବ ଗାଉଛି,ତୁମ ସ୍ମୃତି ଅମ୍ଲାନ ।ା