Sun. Mar 8th, 2026

ଅତିରିକ୍ତ ଜିଲ୍ଲାପାଳ ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଭଙ୍ଗା ହେଲା ‘ରଙ୍ଗଶାଳା’

194 Views

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତ ପିଇଓ(ଭିଏଲ୍‌ଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳ(୩୪)ଙ୍କର ସନ୍ଦେହଜନକ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ରୂପେଶ ଭଦ୍ରଙ୍କ ‘ରଙ୍ଗଶାଳା’କୁ ଅବଶେଷରେ ଆଜି ଭଙ୍ଗାଯାଇଛି। ଏବେ ବି ସେଠାରେ ଭଙ୍ଗା କାମ ଜାରି ରହିଛି। ପ୍ରଥମେ ଗେଟକୁ ଭଙ୍ଗା ଯାଇଥିଲା। ତା’ପରେ ଉପର ମହଲାକୁ ଭଙ୍ଗା ଯାଉଛି।

ଆଜି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ତହସିଲଦାର ସରୋଜ କୁମାର ପଣ୍ଡା ଏବଂ ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁ ଦଳବଳ ଧରି ‘ରଙ୍ଗଶାଳା’କୁ ଭାଙ୍ଗିବା ଲାଗି ପହଞ୍ଚିଥିଲେ। ଘଟଣାସ୍ଥଳରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଭବାନୀ ପଟ୍ଟନାୟକ, ଏସଡିପିଓ ଚିନ୍ମୟ ନାୟକଙ୍କ ସମେତ ବଡ଼ଚଣା, ଧର୍ମଶାଳା, କୁଆଖିଆ ଏବଂ ଜେନାପୁର ଥାନାର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

ସେହି ‘ରଙ୍ଗଶାଳା’କୁ ଭାଙ୍ଗିବା ଲାଗି ଦୁଇଟି ହାଇଡ୍ରା ମେସିନ୍, ଗୋଟିଏ ବୁଲଡ୍ରୋଜର୍ ନିୟୋଜିତ ହୋଇଛି। ତା’ଛଡ଼ା ସେଠାରେ ୩ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି। ‘ରଙ୍ଗଶାଳା’କୁ ଭଙ୍ଗାଯିବା ଆଗରୁ ସେଠାରୁ ୧୦ଟି ଟ୍ରାକ୍ଟରରେ ‘ରଙ୍ଗଶାଳା’ ଭିତରେ ଥିବା ବିଭିନ୍ନ ଆସବାବପତ୍ରକୁ ବୋହି ନିଆଯାଇଛି। ସେଠାରେ ଏବେ ପରିସ୍ଥିତ ଶାନ୍ତିପୂର୍ଣ୍ଣ ରହିଛି।

ସୂଚନାଯୋଗ୍ୟ, ‘ରଙ୍ଗଶାଳା’ ଭାଙ୍ଗିବାକୁ ରୂପେଶ ଭଦ୍ରଙ୍କ ସ୍ତ୍ରୀ ତଥା ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ର ଓ ତାଙ୍କର ସମର୍ଥକମାନେ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତାଇଥିବା ଅଭିଯୋଗରେ (ଦଫା ୩୦୬) ଗେଷ୍ଟ ହାଉସ ମାଲିକ ରୂପେଶଙ୍କୁ ଗିରଫ କରାଯାଇଛି ।

By amfnews

Related Post