Sat. Mar 7th, 2026

ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ୧୬ ଲକ୍ଷ ଟଙ୍କା ଆତ୍ମସାତ୍‌; ସରପଞ୍ଚ ଓ ଜେଇଙ୍କ ନାଁରେ ମାମଲା ରୁଜୁ

216 Views

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ପଦନିପାଳ ପଞ୍ଚାୟତରେ ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ପାଖାପାଖି ୧୬ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗରେ ସଂପୃକ୍ତ ସରପଞ୍ଚ ଓ ଜେଇଙ୍କ ନାଁରେ ମାମଲା ରୁଜୁ ହୋଇଛି। ପ୍ରାଥମିକ ତଦନ୍ତରୁ ସରକାରୀ ଅର୍ଥ ଆତ୍ମସାତ୍ ହୋଇଥିବା ନେଇ ପ୍ରମାଣ ମିଳିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ାଙ୍କ ଏତଲା କ୍ରମେ ଆଳି ଥାନା ପୁଲିସ୍ ସରପଞ୍ଚ ରାକେଶ ରୋଶନ ରାଉତ ଓ ଜେଇ ମନୋଜ କୁମାର ବେହୁରିଆଙ୍କ ନାଁରେ ମାମଲା ରୁଜୁ କରିଛି।

ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ସୋଶାଲ୍ ମିଡିଆରେ ଆସିଥିବା ଖବର ତଥା ସୋଶିଆଲ୍ ଅଡିଟ୍‌ ଆଧାରରେ ସେ ଘଟଣାର ତଦନ୍ତ କରିବାକୁ ଫେବୃଆରୀ ୭ ତାରିଖରେ ପଦନିପାଳ ପଞ୍ଚାୟତକୁ ଯାଇଥିଲେ। ତାଙ୍କ ସହିତ ଆଳି ବିଡିଓ ବି ସେଠାକୁ ଯାଇଥିଲେ। ତଦନ୍ତରୁ ଏହା ଜଣାପଡ଼ିଥିଲା ଯେ ସେଠାରେ କୌଣସି ନୂତନ କୋଠା ନିର୍ମାଣ ହୋଇନାହିଁ। ଯେଉଁ କୋଠାଟିକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବୋଲି କୁହାଯାଉଛି, ତାହା ଏକ ଓବିବି କୋଠା, ଯାହା ପୂର୍ବରୁ ଅସମ୍ପୂର୍ଣ୍ଣ ହୋଇ ରହିଥିଲା ଓ ସେଠାରେ ପଦନିପାଳ ହରିଜନ ସାହିର ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି। ତେଣୁ ସୋଶାଲ୍ ମିଡିଆ ଖବର ଓ ସୋଶିଆଲ୍ ଅଡିଟ୍‌ ରିପୋର୍ଟରେ ସତ୍ୟାସତ୍ୟ ରହିଛି ଏବଂ ସରପଞ୍ଚ ରାକେଶ ରୋଶନ ରାଉତ ଓ ଜେଇ ମନୋଜ କୁମାର ବେହରୁଆ ଏହି ଦୁର୍ନୀତିରେ ସିଧାସଳଖ ସଂପୃକ୍ତ ଅଛନ୍ତି।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଏଫ୍‌ଆଇଆର୍‌ କପି

ଅନ୍ୟପକ୍ଷରେ ଏହି ଅର୍ଥ ଆତ୍ମସାତ୍‌ ଘଟଣାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ବିଡିଓଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ସେମାନଙ୍କୁ ଖସାଇଦେବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଅନୁଯାୟୀ, ପଦନିପାଳ ପଞ୍ଚାୟତରେ ରାଜୀବ ଗାନ୍ଧି ସେବା କେନ୍ଦ୍ର ନିର୍ମାଣ ହୋଇ ନଥିବା ବେଳେ ଜେଇ କାଗଜପତ୍ରରେ ମିଥ୍ୟା ବିଲ୍‌ କରିଥିଲେ। ଆଉ ଏହି ବିଲ୍‌କୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ଚେକ୍‌ ମେଜର ମେଣ୍ଟ କରିବା ପରେ ଆଳି ବିଡିଓଙ୍କ ଡଙ୍ଗଲରୁ ପେମେଣ୍ଟ ହୋଇଥିଲା। ସେହିପରି ରାଜୀବ ଗାନ୍ଧି ସେବା କେନ୍ଦ୍ରର କାମ ପାଇଁ ଆଳି ବ୍ଲକ୍ କାର୍ଯ୍ୟାଳୟରେ ଯେଉଁ ଫାଇଲ୍‌ ଖୋଲାଯାଇଥିଲା ସେ ଫାଇଲ୍‌କୁ କିଛି ଅସାଧୁ କର୍ମଚାରୀ ଗାଏବ କରିଥିବା ମଧ୍ୟ ଅଭିଯୋଗ ହୋଇଛି।

By amfnews

Related Post