Fri. Mar 14th, 2025

ଜଗନ୍ନାଥ ସଂସ୍କୃତିର ପଟାନ୍ତର ନାହିଁ

By amfnews Mar 21, 2020 #Featured
231 Views

ପୁରୀ :  ବିଶ୍ବ ମହାମାରୀ କରୋନାକୁ ନେଇ ସବୁଠି ଏବେ ଆତଙ୍କ। ଏହାର ମୁକାବିଲା ପାଇଁ ସମଗ୍ର ବିଶ୍ବ ଏବେ କରୋନା ସହିତ ଲଢୁଛି। ଭାରତ ମଧ୍ୟ ଏହାର କଡ଼ା ମୁକାବିଲା କରୁଛି। ରାଜ୍ୟ ସରକାର ମଧ୍ୟ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି ସାରିଛନ୍ତି। ବିଦେଶରୁ ଫେରିଥିବା ନାଗରିକଙ୍କୁ ଅନ୍‌ଲାଇନରେ ନାମ ପଞ୍ଜୀକୃତ କରିବାକୁ କୁହାଯାଉଛି। ଏପରିକି ସନ୍ଦେହ ଥିଲେ ବା କରୋନା ପ୍ରଭାବିତ ଅଞ୍ଚଳରୁ ଆସିଥିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନର କ୍ବାରାଣ୍ଟିନ୍‌ (ସଙ୍ଗରୋଧ)ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଆଦି ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ବିଦେଶରୁ ଫେରିବା ପରେ ନିଜେ ଓ ନିଜ ପରିବାରକୁ ୧୪ ଦିନ ପାଇଁ ହୋମ୍‌ କ୍ବାରାଣ୍ଟିନ୍‌ରେ ରଖିଛନ୍ତି। ମହାମାରୀକୁ ରୋକିବାକୁ ଏବେ ୧୪ ଦିନର କ୍ବାରାଣ୍ଟିନ୍‌ କଥା ଉଠିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ୧୪ ଦିନର କଟକଣା ଲଗାଇଛନ୍ତି। ୧୪ ଦିନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ତେବେ ହଜାର ହଜାର ବର୍ଷ ତଳୁ, ଜଗନ୍ନାଥ ସଂସ୍କୃତି ଆରମ୍ଭ ହେବା ଦିନ ଠାରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରଭୁଙ୍କ ସେବା ପୂଜାରେ ରହିଛି ଆଧୁନିକ ବ୍ୟବସ୍ଥାରେ ଉଭା ହୋଇଥିବା ଏହି ୧୪ ଦିନର କ୍ବାରାଣ୍ଟିନ୍‌ର ବାର୍ତ୍ତା। ଯାହା ବିଳମ୍ବରେ ହେ‌ଲେ ବି ସମଗ୍ର ବିଶ୍ବ ଏବେ ବୁଝିବାକୁ ବାଧ୍ୟ ହୋଇଛି। ମାନବୀୟ ଲୀଳାର ଠାକୁର ମହାପ୍ରଭୁ ( ଚତୁର୍ଦ୍ଧାମୂର୍ତ୍ତି) ମଧ୍ୟ କେଉଁ ଯୁଗରୁ ‌ମାନବ ସମାଜକୁ ଏହି କ୍ବାରାଣ୍ଟିନ୍‌ର ବାର୍ତ୍ତା ଦେଇଆସିଛନ୍ତି। ମହାପ୍ରଭୁଙ୍କ ଅନବସର ବା ଅଣସର ଓ ଏବେର କ୍ବାରାଣ୍ଟିନ୍‌ ମଧ୍ୟରେ କିଛି ପ୍ରଭେଦ ନାହିଁ ବୋଲି ବିଶିଷ୍ଟ ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାଶ କହିଛନ୍ତି। ମହାପ୍ରଭୁଙ୍କ ପ୍ରତିଟି ସେବା, ପୂଜା ପରମ୍ପରାରେ ଏକ ମହାନ ବାର୍ତ୍ତା ରହିଛି ଯାହାକୁ କେହି ଟାଳିପାରିବେ ନାହିଁ ବୋଲି ସେ କହିଛନ୍ତି। ସ୍ନାନପୂର୍ଣ୍ଣିମା ଦିନ ସ୍ନାନମଣ୍ଡପରେ ମହାପ୍ରଭୁ ସ୍ନାନ କରିଥା’ନ୍ତି।

ମାତ୍ରାଧିକ ସ୍ନାନ ଯୋଗୁଁ ମହାପ୍ରଭୁଙ୍କ ଦେହ ଖରାପ ହୋଇଥାଏ। ସେହି ଦିନ ଠାରୁ ନବଯୌବନ ଦର୍ଶନ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ମହାପ୍ରଭୁ ଅନବସରରେ ରହନ୍ତି। ଯାହାକୁ ପ୍ରତିଟି ଓଡ଼ିଆ ଅଣସର ବୋଲି କହିଥା’ନ୍ତି। ମହାପ୍ରଭୁ ‌ଜ୍ବରରୁ ଭଲ ହେବା ପାଇଁ ୧୪ ଦିନ ପାଇଁ ଅନବସରରେ ରହନ୍ତି। ବୈଦ୍ୟରାଜ ବିଭିନ୍ନ ଆୟୁର୍ବେଦ, ଫୁଲରି ତେଲ ଓ ଓଷ ଦେଇ ମହାପ୍ରଭୁଙ୍କ ସୁସ୍ଥ କରିଥା’ନ୍ତି। ସେହି ଓଷ ଖାଇ ମହାପ୍ରଭୁ ସୁସ୍ଥ ହୋଇଥା’ନ୍ତି। ପରେ ଦଇତାପତିମାନେ ଗଜପତି ମହାରାଜଙ୍କୁ ମହାପ୍ରଭୁ ସୁସ୍ଥ ବାର୍ତ୍ତା ଦେବାପରେ ନବଯୌବନ ଦର୍ଶନ ଓ ରଥଯାତ୍ର ଅନୁଷ୍ଠିତ ହୋଇଥାଏ। ଏ ପରମ୍ପରା ଜଗନ୍ନାଥ ସଂସ୍କୃତି ସହ ହଜାର ହଜାର ବର୍ଷ ଧରି ଜଡିତ। ଯଦିଓ ଏ ସମୟରେ ମହାପ୍ରଭୁଙ୍କ କିଛି ଗୁପ୍ତ ସେବା ହୋଇଥାଏ। ତେବେ ମାନବୀୟ ଲୀଳରେ ମହାପ୍ରଭୁଙ୍କ ଏହି ୧୪ ଦିନର ଅନବସର ବା ଆଧୁନିକ ବ୍ୟବସ୍ଥାର କ୍ବାରାଣ୍ଟିନ୍‌ ବୋଲି କୁହାଯାଇପାରିବ। ନିଜେ ସୁସ୍ଥ ହେବା ପାଇଁ ମହାପ୍ରଭୁ ୧୪ ଦିନ ଅନବସରରେ ରହିଥା’ନ୍ତି। ତେଣୁ କରୋନାକୁ ଭୟ କରିବାର କାରଣ ନାହିଁ ବୋଲି ଶ୍ରୀମନ୍ଦିର ଲୋକସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜା ପଣ୍ଡା କହିଛନ୍ତି।

ଜଗନ୍ନାଥ ସଂସ୍କୃତିର ପଟାନ୍ତର ନା‌ହିଁ। ଯାହା ଆଧୁନିକ ବ୍ୟବସ୍ଥା ଏବେ ଚିନ୍ତା କରୁଛି ତାହା ହଜାର ହଜାର ବର୍ଷ ତଳୁ ଆମ ପରମ୍ପରା ସହିତ ଯୋଡ଼ି ହୋଇରହିଛି। ଏହାକୁ ସମସ୍ତ ଦେଶ ଓ ବିଶ୍ବବାସୀ ଅନୁସରଣ କରି କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହୁଅନ୍ତୁ। ମହାପ୍ରଭୁଙ୍କ ଭଳି ସମସ୍ତେ ନିଜ ଘରେ ଅନବସର କରନ୍ତୁ ବା କ୍ବାରାଣ୍ଟିନ୍‌ରେ ରୁହନ୍ତି ବୋଲି ଶ୍ରୀ ପୂଜାପଣ୍ଡା କହିଛନ୍ତି।

By amfnews

Related Post