Fri. Mar 6th, 2026

୯୦ ବର୍ଷୀୟ ବୃଦ୍ଧଙ୍କ ନିଆରା ବୃକ୍ଷପ୍ରେମ : ପ୍ରଥମାଷ୍ଟମୀରେ ଗଛ ପଢ଼ୁଅାଁ

317 Views

ଘନଶ୍ୟାମଙ୍କ ବୟସ ୯୦ ଟପିଲାଣି। ତଥାପି ସେ ଥକି ଯାଇନାହାନ୍ତି। ବଡ଼ ପୁଅଝିଅଙ୍କୁ ପଢ଼ୁଅାଁ କରିବାର ପରମ୍ପରାକୁ ବଦଳାଇ ଦେଇଛନ୍ତି ବୃକ୍ଷପ୍ରେମରେ। ଏହି ପ୍ରେମରୁ ତାଙ୍କ ଯତ୍ନରେ ଗଢ଼ିଉଠିଛି ଶତାଧିକ ଗଛ। ସେହି ଗଛଗୁଡ଼ିକ ହିଁ ତାଙ୍କ ପାଇଁ ପୁତ୍ରକନ୍ୟା। ପ୍ରତି ପ୍ରଥମାଷ୍ଟମୀରେ ସେହି ବୃକ୍ଷ ଦେହରେ ସେ ବାନ୍ଧି ଦିଅନ୍ତି ନୂଆ କପଡ଼ା। ପଢ଼ୁଅାଁ କରିଦିଅନ୍ତି ସବୁଜ ବୃକ୍ଷରାଜିଙ୍କୁ। ଏଥିପାଇଁ ତାଙ୍କୁ ୪-୫ ଦିନ ସମୟ ଲାଗିଥାଏ। ପ୍ରଥମାଷ୍ଟମୀ ସକାଳୁ ଏହି ପରମ୍ପରା ଆରମ୍ଭ କରନ୍ତି ସେ। ନୂଆ କପଡ଼ା ବାନ୍ଧି ଫୁଲ ଚନ୍ଦନ ଲଗାଇ ପିଠାପଣା ଅର୍ପଣ କରିଥାନ୍ତି। ଉତ୍ସବ ମନାଇଥାନ୍ତି।

ଅଳତୀ, ବେଲସୁନ୍ଦରୀ, ରାଇଚତାଳା, ପୁରୁଣା ବାନ୍ଧଗୋଡ଼ା, ଜନାର୍ଦ୍ଦନପୁର, ପାଟଣା, ଗଡ଼ବାନ୍ଧଗୋଡ଼ା, ଆଦି ଗ୍ରାମରେ ସେ ଏହି କାର୍ଯ୍ୟ ଦୀର୍ଘବର୍ଷ ଧରି କରିଆସୁଛନ୍ତି। ପ୍ରଥମେ କିଛି ବ‌ର୍ଷ ଲୋକେ ତାଙ୍କୁ ଏଥିପାଇଁ ଟାହିଟାପରା କରୁଥିଲେ। ଏବେ ସେ ଭାବନା ଆଉ ନାହିଁ। ସେ ଲଗାଇଥିବା ଗଛ ଏବେ ବଡ଼ହୋଇ ଫୁଲ, ଫଳ ଦେବା ସହ ଦ୍ରୁମରେ ପରିଣତ ହେଲାଣି।

ଆଜକୁ ୪୧ ବ‌ର୍ଷ ତଳେ ୧୯୭୮ ଏପ୍ରିଲ ୧୬ ତାରିଖରେ ପଡ଼ୋଶୀ ପୁରୁଣା ବାନ୍ଧଗୋଡ଼ା ଗ୍ରାମ ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟାରେ ଧ୍ବଂସ ବିଧ୍ବଂସ ହୋଇଯାଇଥିଲା। ୧୮୨ ଲୋକଙ୍କ ଜୀବନହାନି ହୋଇଥିଲା। ଅନେକେ ଆହତ ହୋଇଥିଲେ। ସମଗ୍ର ଅଞ୍ଚଳ ବୃକ୍ଷଶୂନ୍ୟ ହୋଇଗଲା। ସେଦିନର ସେହି ଦୃଶ୍ୟ ତାଙ୍କ ଭିତରେ ବୃକ୍ଷପ୍ରେମ ଭରିଦେଇଥିଲା। ସେବେଠାରୁ ସେ ସଂକଳ୍ପ ନେଲେ ଗଛ ଲଗାଇବେ। ତା’ର ଯତ୍ନ ନେବେ। ଏହାପରେ ବୃକ୍ଷରୋପଣ ଆରମ୍ଭ କଲେ। ତାଙ୍କ ପାଖରେ ପଇସାଟିଏ ନଥିଲେ ବି ତାହା ବାଧକ ସାଜି ନଥିଲା। ବିଭିନ୍ନ ଆଡୁ ମଞ୍ଜି ସଂଗ୍ରହ କରି ପଲିଥିନ୍‌ରେ ମାଟି ଭର୍ତ୍ତି କରି ନିଜ ଅଗଣାରେ ଚାରା ପକାନ୍ତି। ବଡ଼ ହେଲା ପରେ ତାକୁ ନେଇ ପୋଖରୀହୁଡ଼ା, ରାସ୍ତାକଡ଼ ଖୋଲା ଜାଗା, ପତିତ ଜମି, ସ୍କୁଲ ଓ ମନ୍ଦିର ପରିସରରେ ଲଗାଇ ଦିଅନ୍ତି। ରାତି ପାହିଲେ ତା’ର ଯତ୍ନ ନିଅନ୍ତି। ହାତରେ ଶାବଳ ଓ ବାଲ୍‌ଟି ଧରି ବାଡ଼ ବୁଜି ପାଣି ଦିଅନ୍ତି। ଧୀରେଧୀରେ ଏହା ତାଙ୍କର ନିତିଦିନିଆ କାର୍ଯ୍ୟ ହୋଇଗଲା। ତାଙ୍କର ଏହି ପ୍ରକୃତିପ୍ରେମ ପାଇଁ ଅନେକ ଅନୁଷ୍ଠାନ ‘ଗଛମଣିଷ’ ଭାବେ ସମ୍ମାନିତ କରିଛନ୍ତି।

୨୦୧୦ରେ ଏଥିପାଇଁ ତାଙ୍କୁ ଏକ ଅନୁଷ୍ଠାନ ପକ୍ଷରୁ ଏକଲକ୍ଷ ଟଙ୍କା ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା। ଏହା ତାଙ୍କୁ ଆହୁରି ଉତ୍ସାହିତ କରିଥିଲା ଏ କ୍ଷେତ୍ରରେ କାମ କରିବା ପାଇଁ। ଅନ୍ୟ ଲୋକମାନଙ୍କୁ ଏଥିପ୍ରତି ଆକର୍ଷିତ କରିବା ପାଇଁ ସେ ପ୍ରତିବର୍ଷ ଗଛ ବାହାଘର ଆୟୋଜନ କରିବା ସହ ସାମୂହିକ ଚାରା ରୋପଣ କରୁଛନ୍ତି। ଆଉ ଚାରା ମଧ୍ୟ ବଣ୍ଟନ କରୁଛନ୍ତି।

By amfnews

Related Post