Sat. Mar 7th, 2026

୮ହଜାରରୁ ଅଧିକ ଓ ୨୦୮ ଘରୋଇ ହସ୍ପିଟାଲରେ ବିଏସ୍‌କେଓ୍ଵାଇ ସୁବିଧା

260 Views

ଭୁବନେଶ୍ୱର   :   ରାଜ୍ୟର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେଓ୍ଵାଇ ଆରମ୍ଭ ହୋଇଛି। ମେଡିକାଲ କଲେଜ ସମେତ ୮୫୦୦ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନ ଓ ୨୦୮ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନରେ ଏହି ସୁବିଧା ମିଳିବ।

ରାଜ୍ୟର ୭୦ଲକ୍ଷ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କ ପାଇଁ ୭ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ। ବିଜୁ କୃଷକ କଲ୍ୟାଣ ଯୋଜନା ବା ବିକେକେଓ୍ଵାଇ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ବା ଆରଏସ୍‌ବିଓ୍ଵାଇ କାର୍ଡଧାରୀ ଓ ଗ୍ରାମାଞ୍ଚଳରେ ବାର୍ଷିକ ୫୦ହଜାର ଟଙ୍କାରୁ କମ୍‌ ଓ ସହରାଞ୍ଚଳରେ ୬୦ହଜାର ଟଙ୍କାରୁ କମ୍‌ ଆୟକାରୀ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।

ସାମିଲ ହୋଇଥିବା ପରିବାର ସଦସ୍ୟଙ୍କୁ ରାଜ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ମିଳିପାରିବ।

ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କରେ ଏହି ଯୋଜନାରେ ଉପକୃତ କାର୍ଡଧାରୀଙ୍କୁ ମାଗଣା ଚିକିତ୍ସା ସୁବିଧା ମିଳିବ। ତେବେ ସାମିଲ ହୋଇଥିବା ୭୦ଲକ୍ଷ ପରିବାର ବ୍ୟତିତ ଅନ୍ୟମାନଙ୍କୁ ମେଡିକାଲ କଲେଜରେ ପାଥୋଲୋଜିକାଲ ଓ ରୋଗ ନିରୂପଣ ପରୀକ୍ଷା, କର୍କଟ ରୋଗ ସେବା, ଏମ୍‌ଆରଆଇ, ସିଟି ସ୍କାନ୍‌ ଓ ଡାଏଲିସିସ୍‌ ସେବା ମାଗଣାରେ ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

By amfnews

Related Post