Sun. Mar 8th, 2026

୭ ଲକ୍ଷ ଟଙ୍କା ଋଣ କରି ସ୍ତ୍ରୀ ଚମ୍ପଟ: ମାନସିକ ଚାପରେ ସ୍ବାମୀର ଆତ୍ମହତ୍ୟା

189 Views

ଯାଜପୁର ଟାଉନ୍‌/ସଦର : ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ସ୍ବାମୀର ଅଜାଣତରେ ଋଣ କଲେ ପତ୍ନୀ। ଏହାପରେ ସବୁ ଟଙ୍କା ନେଇ ଚମ୍ପଟ ମାରିଲେ। ଋଣ ପରିଶୋଧ ପାଇଁ ଚାପ ବଢ଼ିବାରୁ ମାନସିକ ଭାରସାମ୍ୟ ହରାଇଲେ ସ୍ବାମୀ। ଆଉ ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ। ଏଭଳି ଏକ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ସାହସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରେ। ବେକରେ ଦଉଡ଼ି ଲଗାଇ ବୀରସେନ ଓଝା (୪୭) ଆତ୍ମହତ୍ୟା କରିଛନ୍ତି।

ଆଜି ସକାଳେ ଗୋବିନ୍ଦପୁର ଗ୍ରାମର ବୀରସେନ ଓଝା (୪୭) ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଲୋକଲଜ୍ଜା ଓ ମାନସିକ ଚାପ ଯୋଗୁ ବୀରସେନ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ସଦର ଥାନାରେ ଅଭିଯୋଗ କରିଛନ୍ତି।

ବୀରସେନଙ୍କ ପତ୍ନୀ ଉମାରାଣୀ ସ୍ବୟଂସହାୟକ ଗୋଷ୍ଠୀ, ଏସକେଏସ ଲୋନ୍, ସୂର୍ଯ୍ୟଉଦୟ, ଆରୋହନ ପରି ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥାଠାରୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଋଣ ଆଣିଥିଲେ। ଏହା ପୁଣି ସ୍ବାମୀଙ୍କ ଅଗୋଚ‌େର। ଏହା ଜଣାପଡ଼ିବା ପୂର୍ବରୁ ପତ୍ନୀ ଉମାରାଣୀ ‌ଟଙ୍କା ନେଇ ଘର ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ବୀରସେନ ସଦର ଥାନାରେ ଅଭିଯୋଗ କରିଥିଲେ। ତେବେ ଗତ ଶୁକ୍ରବାର ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ବୀରସେନଙ୍କ ଘରେ ପହଞ୍ଚି ଋଣ ଅର୍ଥ ପଇଠ କରିବାକୁ ତାଗିଦ୍‌ କରିବା ସହ ଦିନତମାମ ତାଙ୍କ ଘର ଆଗରେ ବସି ରହିଥିଲେ।

ଗ୍ରାମାବାସୀଙ୍କ ବୁଝାଇବା ପରେ ସେମାନେ ଫେରି ଯାଇଥିଲେ। ଏହି ଘଟଣା ବୀରସେନକୁ ମାନସିକ ଆଘାତ ଦେଇଥିଲା। ଗୋଟିଏପଟେ ଅର୍ଥ ଲଗାଣକାରୀ ସଂସ୍ଥାର ଚାପ ଓ ଅନ୍ୟପଟେ ସ୍ତ୍ରୀ ଘର ଛାଡ଼ି ଚାଲିଯିବା ଘଟଣାରେ ବ୍ୟତିବ୍ୟସ୍ତ ହୋଇ ଗତକାଲି ରାତିରେ ସେ ନିଜର ଶୋଇବା ଘରେ ଥିବା ପଙ୍ଖାରେ ଓହଳି ଆତ୍ମହତ୍ୟା କରିଥିଲେ। ସକାଳୁ ବୀରସେନଙ୍କ ଦୁଇ ପୁଅ ବାପାଙ୍କ ଝୁଲନ୍ତା ଶବ ଦେଖି ସମସ୍ତଙ୍କୁ ଡାକିଥିଲେ। ବୀରସେନଙ୍କ ବଡ଼ଭାଇ ନିରଜଂନ ଓଝା ସଦର ଥାନାରେ ଅଭିଯୋଗ ଦେବା ପରେ ପୁଲିସ କେସ ନମ୍ବର ୨୮/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସଂପର୍କରେ ପୁଲିସ ଅଧିକ ତଦନ୍ତ ଚଳାଇଥିବା ବେଳେ ମୃତ ବୀରସେନଙ୍କ ପତ୍ନୀ ଉମାରାଣୀଙ୍କ ଖୋଜ୍‌ଖବର ମିଳିନି।

By amfnews

Related Post