Sun. Mar 8th, 2026

୭ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ : ଅଟୋ ଚାଳକଙ୍କ ସମେତ ୨ ଗିରଫ

268 Views

ଭୁବନେଶ୍ୱର , ଡିସେମ୍ବର ୧୧: ବ୍ରାଉନ୍‌ ସୁଗାର ବ୍ୟବସାୟ କରୁଛନ୍ତି ଅଟୋ ଚାଳକ। ଆଜି ଏଭଳି ଏକ ପ୍ରମାଣ କଟକ ଫ୍ଲାଇଙ୍ଗ୍‌ ସ୍କ୍ବାଡ୍‌ ସହାୟତାରେ ପାଇଛି ଭୁବନେଶ୍ବର ଅବକାରୀ ବିଭାଗ। ବରମୁଣ୍ଡା ଓ କୋଳଥିଆ ଛକରେ ଦୁଇଟି ଦଳ ମିଳିତ ଭାବେ ଚଢ଼ଉ କରି ୭୦ ଗ୍ରାମ୍‌ ଅର୍ଥାତ୍‌ ୭ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିଛନ୍ତି।

ଏଥିରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ଏକ ବାଇକ୍‌ ଓ ଅଟୋ ରିକ୍ସା ଜବତ କରାଯାଇଛି। ବରମୁଣ୍ଡା ଛକରେ ଅଟୋ ଚଳାଉଥିବା ନୟାଗଡ଼ ଜିଲ୍ଲା ସୁବର୍ଣ୍ଣଦେଈପୁରର ପ୍ରକାଶ ପ୍ରଧାନଙ୍କ ଠାରୁ ୩୦ ଗ୍ରାମ ଜବତ ହୋଇଥିବା ବେଳେ ବାଲେଶ୍ବରରୁ ଭୁବନେଶ୍ବରର ବିଭିନ୍ନ ଖୁଚୁରା ବେପାରୀଙ୍କୁ ଏହି ନିଶା ଦ୍ରବ୍ୟ ଯୋଗାଉଥିବା ଗୁରୁଜଙ୍ଗର ଟୁକୁନା ଦାସଙ୍କଠାରୁ ୪୦ ଗ୍ରାମ୍‌ ଜବତ ହୋଇଛି। ପ୍ରଥମେ କୋଳଥିଆରୁ ଟୁକୁନାଙ୍କୁ ଗିରଫ କରାଯିବା ପରେ ପ୍ରକାଶଙ୍କୁ ବରମୁଣ୍ଡାରୁ ଗିରଫ କରାଯାଇଛି।

ଏହି ଦୁଇଜଣ ଅଭିଯୁକ୍ତଙ୍କ ସୂଚନା ଆଧାରରେ ଅନ୍ୟ ଜଣେ ପ୍ରମୁଖ ବ୍ୟବସାୟୀଙ୍କ ସହ ଅନ୍ୟ ଅଟୋ ଚାଳକ, ଲସି ବ୍ୟବସାୟୀ, ପାନ ଦୋକାନୀ ପ୍ରଭୃତିଙ୍କୁ ବିଭାଗ ସ୍କାନର୍‌ରେ ରଖିଛି। ବ୍ୟବସାୟ ନିୟନ୍ତ୍ରଣ କରୁଥିବା ମୁଖିଆ ଖୁବ୍‌ଶୀଘ୍ର ଧରା ଯିବ‌ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି। ପୂର୍ବରୁ ଏମ‌ାନେ ବରମୁଣ୍ଡା, ଖଣ୍ଡଗିରି, ପାତ୍ରପଡ଼ା ପ୍ରଭୃତି ସ୍ଥାନରେ ନିଶାଦ୍ରବ୍ୟ ବ୍ୟବସାୟ କରିଆସୁଥିଲେ। ଦୀର୍ଘ ଦିନ ହେବ ଅବକାରୀ ବିଭାଗ ଏହି ବ୍ୟବସାୟୀଙ୍କ ପିଛା କରୁଥିଲା। ବିଭିନ୍ନ ସମୟରେ ସେମାନେ ଚକ୍‌ମା ଦେଇ ଖସି ଯାଉଥିଲେ।

ତେବେ ଆଜି ଭୋର୍‌ରୁ ଖବର ପାଇ ମିଳିତ ଭାବେ ଦୁଇ ଦଳ ଚଢ଼ଉ କରିଥିଲା। ଚଢ଼ଉ ବେଳେ ସେମାନେ ଏହି ନିଶାଦ୍ରବ୍ୟକୁ ବିକ୍ରି କରିବା ପାଇଁ ପକେଟ୍‌ରେ ପୁଡ଼ିଆ ପ୍ରସ୍ତୁତ କରି ରଖିଥିଲେ। ସାଧାରଣତଃ ରାତିରେ ଚଢ଼ଉ ହେଉଥିବାରୁ ସେମାନେ ଏହି ବେପାର ଦିନରେ କରୁଥିବା କହିଛନ୍ତି। ତେବେ ଏହି ଦୁଇ ଜଣ ବଡ଼ ବ୍ୟବସାୟୀ ନୁହନ୍ତି, ଏମାନେ ବଡ଼ ବ୍ୟବସାୟୀଙ୍କ ପାଖରୁ ଅଳ୍ପ ଆଣି ଖୁଚୁରା ବ୍ୟବସାୟ କରିଥାନ୍ତି ବୋଲି ତଦନ୍ତରେ ଜଣାପଡ଼ିଛି। ଚଢ଼ଉ କରିଥିବା ଅଧିକାରୀଙ୍କ ମଧ୍ୟରେ ଶରତ ଚନ୍ଦ୍ର ଭଞ୍ଜ, ଡିପି ଦାସ, ହୃଦୟ ସାମନ୍ତ, ହିତାଂଶୁ ମଲ୍ଲିକ ଓ ସୁଜିତ ମୁଦୁଲି ପ୍ରମୁଖ ନେତୃତ୍ବ‌ ନେଇଥିଲେ।

By amfnews

Related Post