Mon. May 19th, 2025

୬ ଦିନର ଶିଶୁକୁ ରଖିବାକୁ ମନା କରିଦେଲା ମା’

By amfnews Sep 19, 2019 #Featured
196 Views

ମାଲକାନଗିରି  : ମା’ ବିନା ଜୀବନ ଅର୍ଥହୀନ। ସବୁ ବିପଦଆପଦରେ ଛୁଆକୁ ସାହା ହୋଇଥାଏ ମା’। ମା’ ପଣତକାନିରେ ପଶିଥିଲେ ଛୁଆକୁ କିଛି ଡର ନ ଥାଏ। ହେଲେ ମାଲକାନଗିରି ଜିଲ୍ଲା ଚିତାପାରି-୩ ଗ୍ରାମରେ ଦେଖିବାକୁ ମିଳିଛି ବ୍ୟତିକ୍ରମ।

ଏଠାରେ ଏକ ୬ ଦିନର ଶିଶୁ ପୁତ୍ରକୁ ରଖିବାକୁ ମନା କରିଦେଲା ମା’। ଦାରିଦ୍ର୍ୟ ତାଡ଼ନାରେ ଜର୍ଜରିତ ମା’ ପାଖରେ ହାର୍‌ ମାନିଛି ବାତ୍ସଲ୍ୟ ମମତା। ପୂର୍ବରୁ ମହିଳାଙ୍କର ୨ଟି ଛୁଆ ଥିବା ବେଳେ ଏହି ଛୁଆର ଭରଣପୋଷଣ ଚିନ୍ତା ଘାରିଲା ତାଙ୍କୁ । ଶେଷରେ ମହିଳା ଜଣକ ନିଷ୍ପାପ ଶିଶୁଟିକୁ  ସିଡବ୍ଲ୍ୟୁସିକୁ ଟେକିଦେଇଛନ୍ତି।

ଦାରିଦ୍ର୍ୟ ସହ ସଂଘର୍ଷ କରୁଥିବା ଏହି ମହିଳାଙ୍କର ସ୍ୱାମୀ ନ ଥିବା ବେଳେ ୮ ବର୍ଷର ପୁଅ ଓ ୫ ବର୍ଷର ଝିଅ ଅଛି। ସେମାନଙ୍କ ମୁହଁରେ ଦୁଇ ମୁଠା ଆହାର ଦେବାକୁ  ବହୁ ସଂଘର୍ଷ କରିବାକୁ ପଡୁଥିବା କହିଛନ୍ତି ମହିଳାଜଣକ। ଏପରି ସ୍ଥିତିରେ ଗତ ୧୩ ତାରିଖରେ ମହିଳା ଜଣକ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ  ଏକ ଶିଶୁ ପୁତ୍ର ପ୍ରସବ କଲେ।

ଛୁଆଟିକୁ ରଖିବାକୁ ତାଙ୍କ ମା’ଙ୍କର ଆଗ୍ରହ ନ ଥିବା ଜାଣିପାରି ଆଶା ଦିଦି ଏ ସମ୍ପର୍କରେ ଚାଇଲ୍ଡ ଲାଇନକୁ ଖବର ଦେବା ପରେ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଓ ସିଡବ୍ଲୁସି ପହଞ୍ଚି ଶିଶୁଟିକୁ ଉଦ୍ଧାର କରିନେଇଛନ୍ତି।  ଅସୁସ୍ଥତା ହେତୁ ଶିଶୁଟି ଏବେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି। ଶିଶୁଟିର ଲାଳନପୋଷଣ ସହ ତାକୁ ପୋଷ୍ୟ ସନ୍ତାନ ଭାବେ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜିଲ୍ଲ ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ କହିଛନ୍ତି।

By amfnews

Related Post