Sat. Mar 7th, 2026

୩୫୦ ‌କୋଟିର ୨୦ଟି କୃଷି ବିକାଶ ପ୍ରକଳ୍ପ ମଞ୍ଜୁରି ପାଇଲା

191 Views

ଭୁବନେଶ୍ବର : କୃଷି ଭିତ୍ତିଭୂମିର ବିକାଶ ଓ କୃଷକଙ୍କ ରୋଜଗାର ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩୫୦ କୋଟି ଟଙ୍କାର ୨୦ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ରାଜ୍ୟସ୍ତରୀୟ ମଞ୍ଜୁରି କମିଟି ଏସବୁ ପ୍ରକଳ୍ପକୁ ନୀତିଗତ ଅନୁମୋଦନ ଦେଇଛି।

ଏସବୁ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ ଅବସରରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସାରିବା ସହିତ ସେଗୁଡ଼ିକର ସୁଫଳ ଯେପରି ଚା‌ଷୀମାନଙ୍କ ନିକଟକୁ ଯାଇପାରିବ ସେଥିପାଇଁ ନିର୍ଦେଶ ଦେଇଥିଲେ। କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ବିଭିନ୍ନ ପ୍ରକଳ୍ପର ବୈଷୟିକ ଓ ଆର୍ଥିକ ଦିଗ ସଂପର୍କରେ ଆଲୋକପାତ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ମୁଖ୍ୟତଃ କୀଟ ନିରୀକ୍ଷଣ ବ୍ୟବସ୍ଥା, ଆଧୁନିକ କୃଷି ଯନ୍ତ୍ରପାତି ଯୋଗାଣ, ଜୈବ ନିୟନ୍ତ୍ରଣ ପରୀକ୍ଷାଗାରର ଦୃଢ଼ୀକରଣ, କୃଷି ବର୍ଜ୍ୟରୁ ଜୈବ ସାର ପ୍ରସ୍ତୁତି, କୀଟନାଶକର ନିରାପଦ ଉପଯୋଗ, ଖରିଫ ଋତୁରେ ଆଳୁ ଉତ୍ପାଦନ, ମାଛ ଜାଆଁଳ ଉତ୍ପାଦନ ପ୍ରଭୃତି ଅନ୍ତର୍ଭୁକ୍ତ।

ଏ ସମସ୍ତ ପ୍ରକଳ୍ପ ବାବଦରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ବହନ କରିଥାନ୍ତି। ବୈଠକରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଯୋଗ ଦେଇଥିଲେ।

By amfnews

Related Post