Tue. Dec 24th, 2024

୨ ବର୍ଷରେ ବୁର୍ଲା ପାୱାର ଚ୍ୟାନେଲ ନେଇଛି ୮ ଅମୂଲ୍ୟ ଜୀବନ

By amfnews Mar 5, 2019 #Featured
470 Views

ସମ୍ବଲପୁର : ୨ ବର୍ଷ ମଧ୍ୟରେ ବୁର୍ଲା ପାଓ୍ବାର ଚ୍ୟାନେଲରେ ବୁଡ଼ି ୮ ଜଣଙ୍କ ଅମୂଲ୍ୟ ଜୀବନ ଯାଇଛି। ଏଥିମଧ୍ୟରୁ କେବଳ ୨୦୧୮ ମସିହାରେ ୨ଟି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ପ୍ରଥମ ଥର ପାଇଁ ଜଣେ ଡାକ୍ତରୀ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ହୋଇଛି।

କିଛି ମାସ ପୂର୍ବରୁ ୨୦୧୮ ମସିହା ଅଗଷ୍ଟ ମାସ ୩ ତାରିଖରେ ସମ୍ବଲପୁର ଅରବିନ୍ଦ ସ୍କୁଲର ୨ ଜଣଙ୍କ ଛାତ୍ରଙ୍କ ଝାଙ୍କରପାଲି ପାୱାର ଚ୍ୟାନେଲରେ ମୃତ୍ୟୁ ଘଟିଥିଲା। ସେହି ବର୍ଷ ମେ ୩୧ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ଭିଏସଏସୟୁଟି ତୃତୀୟ ବର୍ଷ ଛାତ୍ର ବୁଡ଼ି ଯାଇଥିଲେ। ୨୦୧୭ ମସିହା ମେ ୨୬ ତାରିଖରେ ରାଇଟ୍ ଡାଇକର ଜବାହାର ମିନାରରେ ଜଣେ ଅଧ୍ୟାପକଙ୍କୁ ମିଶାଇ ୩ ଜଣଙ୍କ ଜଳ ସମାଧି ଘଟିଥିଲା। ସେହି ବର୍ଷ ଏପ୍ରିଲ ୨୯ ତାରିଖରେ ଜଣେ ଶିଶୁ ନିଜ ବାପାଙ୍କ ସହିତ ଗାଧୋଉଥିବାବେଳେ ପ‌ାୱାର ଚେନାଲରେ ବୁଡ଼ି ଯାଇଥିଲେ। ୨୦୧୭ ମସିହା ଫେବ୍ରୁଆରି ୬ ତାରିଖରେ ଭିଏସଏସୟୁଟିର ପ୍ରଥମ ବର୍ଷ ଛାତ୍ର ପାୱାର ଚେନାଲକୁ ଗାଧୋଇବା ପାଇଁ ଯାଇ ବୁଡ଼ି ଯାଇଥିଲେ। ୨୦୧୫ ମସିହା ଏପ୍ରିଲ ୨୯ ତାରିଖରେ ପାୱାର ଚେନାଲରେ କାର ଖସିଯିବାରୁ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।

ଡାକ୍ତରୀ ଛାତ୍ର ସଞ୍ଜୀବ ମିଶ୍ର କହିଛନ୍ତି, ପାୱାର ଚ୍ୟାନେଲ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି। ସଚେତନତା ଅଭାବ ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ତେବେ ଡାକ୍ତରୀ ଛାତ୍ର ଯାଇଥିବା ଫିସରି ପଏଣ୍ଟ ପାୱାର ଚ୍ୟାନେଲ ଅନ୍ତର୍ଗତ ହୋଇଥିଲେ ବି ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ନାହିଁ। ବରଂ ଏହାକୁ ପର୍ଯ୍ୟଟନ କେନ୍ଦ୍ର କରାଯାଇଛି। ଏଭଳି ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ର କରାଯିବା ବଦଳରେ ଏହାକୁ ନିଷିଦ୍ଧାଞ୍ଚଳ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି। ଦମକଳ ବାହିନୀର ଦିଲ୍ଲୀପ ପଟେଲ କହିଛନ୍ତି, ଛାତ୍ର ଜଣକ ବୁଡ଼ି ଯାଇଥିବା ଅଞ୍ଚଳ ନିଷିଦ୍ଧାଞ୍ଚଳ ନୁହେଁ। ସେମାନେ ପାଣି ସହିତ ଅଭ୍ୟସ୍ତ ନଥିବାରୁ ସମ୍ଭବତଃ ତାଙ୍କର ମୃତ୍ୟୁ ହୋଇଛି।

By amfnews

Related Post