Wed. Mar 11th, 2026

୨୮ ଜିଲ୍ଲାକୁ ସମ୍ପ୍ରସାରିତ ହେବ ‘ଗଣିତ କଳିକା’

246 Views

ଭୁବନେଶ୍ବର : ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଗଣିତ ପାଠ୍ୟକ୍ରମରେ ଶ୍ରେଣୀ ଉପଯୋଗୀ ଦକ୍ଷତା ହାସଲ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ‘ଅକ୍ଷର’ ଫାଉଣ୍ଡେସନ୍‌ ସହାୟତାରେ ଚାଲିଥିବା ‘ଗଣିତ କଳିକା’ କାର୍ଯ୍ୟକ୍ରମ ୨୮ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବ। ପୂର୍ବରୁ ପରୀକ୍ଷାମୂଳକ ଭାବେ ‘ଗଣିତ କଳିକା’ କାର୍ଯ୍ୟକ୍ରମ ବଲାଙ୍ଗୀର ଓ ରାୟଗଡ଼ା ଜିଲ୍ଲାରେ ପ୍ରଚଳିତ ଥିଲା। ଉକ୍ତ ଦୁଇ ଜିଲ୍ଲାର ୪୨୦୦ ପ୍ରାଥମିକ ବିଦ୍ୟାଳୟକୁ ଏହି ଯୋଜନାରେ ଗଣିତ କିଟ୍‌ ଯୋଗାଇ ଦିଆଯାଇଥିଲା। ଶିକ୍ଷାଦାନ ନିମନ୍ତେ ୩୫୦ଜଣଙ୍କୁ ପ୍ରଧାନ ସାଧନ ଶିକ୍ଷକ ଭାବେ ବେଙ୍ଗାଲୁରୁ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ତାଲିମ୍‌ ପ୍ରଦାନ କରାଯାଇଥିଲା।

ଏହି ପାଇଲଟ୍‌ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଏବେ ରାଜ୍ୟର ଅବଶିଷ୍ଟ ୨୮ଟି ଜିଲ୍ଲାକୁ ଏହାକୁ ସମ୍ପ୍ରସାରଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି ଜିଲ୍ଲାକୁ ନିଆଯାଇ ୩୪ହଜାର ୬୪୨ ପ୍ରାଥମିକ ବିଦ୍ୟାଳୟର ୧୯ଲକ୍ଷ ପିଲାଙ୍କୁ ଗଣିତ କଳିକା କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କରାଯିବ। ୨୦୨୦ ଶେଷ ସୁଦ୍ଧା ଅବଶିଷ୍ଟ ୮ଟି ଜିଲ୍ଲାକୁ ଏଥିରେ ସାମିଲ କରିବାକୁ ପ୍ରସ୍ତାବ ରହିଛି। ଅନୁଗୁଳ, ବରଗଡ଼, ବୌଦ୍ଧ, ଦେବଗଡ଼, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାକୁ ଖୁବ୍‌ଶୀଘ୍ର ଗଣିତ କିଟ୍‌ ଯୋଗାଇ ଦିଆଯିବ। ଏନେଇ ଆଜି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତୃପକ୍ଷ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଓ ‘ଅକ୍ଷର’ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅଶୋକ କାମାତ୍‌ଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

By amfnews

Related Post