Fri. Mar 6th, 2026

୨୮ରେ ଘୂର୍ଣ୍ଣିବଳୟ, ୩୦ ଯାଏଁ ବର୍ଷା ସମ୍ଭାବନା

427 Views

ଭୁବନେଶ୍ବର, ଅକ୍ଟୋବର ୨୫ : ଗତକାଲି ରାଜ୍ୟର ଆଭ୍ୟନ୍ତରୀଣ ଝାରସୁଗୁଡ଼ା, ଢେଙ୍କାନାଳ, ସୁନ୍ଦରଗଡ଼, ବରଗଡ଼ ଆଦି ଜିଲ୍ଲାର ଅଳ୍ପ କିଛି ଅଞ୍ଚଳରେ ବାୟୁମଣ୍ଡଳରେ ରହିଥିବା ଟ୍ରଫ ପ୍ରଭାବରେ ସାମାନ୍ୟ ବୃଷ୍ଟିପାତ ହୋଇଛି। ଆଜି ସନ୍ଧ୍ୟାରେ ଭୁବନେଶ୍ବର ଓ ଏହାର ଆଖପାଖ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବାର ଖବର ମିଳିଛି। କିନ୍ତୁ ଅକ୍ଟୋବର ମାସ ଶେଷ ସପ୍ତାହ ବେଳକୁ ବାତ୍ୟା ହେବାର ଆଶଙ୍କା ଆପାତତଃ ନାହିଁ।

ଏ ନେଇ ପାଣିପାଗ ବିଭାଗ କୌଣସି ଆଗୁଆ ସୂଚନା ଦେଇନାହିଁ। ବରଂ ୨୮ ତାରିଖ ବେଳକୁ ଉପକୂଳ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁଙ୍କ ସୂଚନାନୁସାରେ ବର୍ତମାନ କିଛି ସ୍ଥାନରେ କାଁ ଭାଁ ବର୍ଷା ହେଉଛି। ଏହାର କାରଣ ମୁଖ୍ୟତଃ ଦିନର ବର୍ଧିତ ତାପମାତ୍ରା। କିନ୍ତୁ ବଡ଼ ଧରଣର ବର୍ଷା ହେବନାହିଁ। ଆସନ୍ତା ୨୭ ତାରିଖରେ ଚେନ୍ନାଇ ଆଖପାଖ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏହା ଲଘୁଚାପରେ ପରିଣତ ହୋଇପାରେ। ଏହା ପ୍ରଭାବରେ ଉପକୂଳ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାରେ ୨୮ରୁ ୩୦ ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ୧୯୯୯ ମହାବାତ୍ୟା ପରଠାରୁ ଅକ୍ଟୋବର ଶେଷ ସପ୍ତାହରେ ବଡ଼ ଧରଣର ବାତ୍ୟା ହେବା ନେଇ ଜନସାଧାରଣଙ୍କ ମଧ୍ୟରେ ଆଶଙ୍କା ରହୁଛି। କିନ୍ତୁ ପାଣିପାଗର କୌଣସି ମଡେଲ୍‌ରୁ ବାତ୍ୟା ହେବାର ସୂଚନା ମିଳୁନାହିଁ ବୋଲି ସେ କହିଛନ୍ତିି।

By amfnews

Related Post