Thu. Dec 26th, 2024

୨୭ ଶହ କିମି ରାସ୍ତା ପାଇଁ ଆମ୍ବୁଲାନ୍ସରେ ଖର୍ଚ୍ଚ କଲେ ୧.୬ ଲକ୍ଷ ଟଙ୍କା

By amfnews Apr 21, 2020
162 Views

ଗୌହାଟୀ: ଲକଡାଉନ ଯୋଗୁ ଉପାୟଶୂନ୍ୟ ହୋଇପଡ଼ିଥିବା ଜଣେ ସ୍କୁଲ ଶିକ୍ଷକ ନିଜ ରୋଗୀଣା ବାପାଙ୍କୁ ଧରି ୨୭ ଶହ କିମି ରାସ୍ତା ଆସିବା ପାଇଁ ୧.୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଆସାମର ଏହି ଶିକ୍ଷକ ଜଣଙ୍କ ବାପାଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଠାରେ ଥିବା ଆପୋଲ ହସ୍ପିଟାଲ ଯାଇଥିଲେ।

ହେଲେ ଲକଡାଉନ ଯୋଗୁ ସେ ଆସାମ ଫେରି ପାରି ନଥିଲେ। ଏଥିପାଇଁ ସେ ଆସାମର ବୋନଗାଇଗାଓଁକୁ ଆସିବା ପାଇଁ ଆମ୍ବୁଲାନ୍ସର ସହାୟତା ନେଇଥିଲେ। ଏହି ୬୦ ଘଣ୍ଟାର ରାସ୍ତା ପାଇଁ ତାଙ୍କୁ ୧.୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ବ୍ୟକ୍ତିଙ୍କ ଦାଦା ମଧ୍ୟ ତାମିଲନାଡୁକୁ ଚେକଅପ ପାଇଁ ଯାଇଥିଲେ। ସେ ବି ଏହି ଆମ୍ବୁଲାନ୍ସ ଯୋଗେ ଘରକୁ ଫେରିଛନ୍ତି।

ବାହାରୁଲ ଇସଲାମ ନାମକ ବ୍ୟକ୍ତି ଜଣଙ୍କ କହିଛନ୍ତି, “ମୋ ବାପାଙ୍କ ହାର୍ଟରେ ବ୍ଲକେଜ ଥିବାରୁ ମୁଁ ତାଙ୍କୁ ମାର୍ଚ୍ଚ ୪ ତାରିଖରେ ଟ୍ରେନ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ନେଇଥିଲି। ସେଠାରେ ଡାକ୍ତରମାନେ ତାଙ୍କ କିଡନୀରେ ସମସ୍ୟା ଥିବା କହିଥିଲେ। ସେ ସୁସ୍ଥ ହେବା ପରେ ମାର୍ଚ୍ଚ ୧୮ରେ ଆମେ ବିମାନ ଟିକେଟ ବୁକିଂ କରିଥିଲୁ।

କିନ୍ତୁ ୧୭ ତାରିଖରେ ବାପାଙ୍କ ଦେହ ଖରାପ ହେବାରୁ ସେ ଆଇସିୟୁକୁ ଚାଲି ଯାଇଥିଲେ। ମାର୍ଚ୍ଚ ୩୦ରେ ଡାକ୍ତର ବାପାଙ୍କୁ ଅମ୍ଳଜାନ ଓ ଆମ୍ବୁଲାନ୍ସ ଯୋଗେ ଘରକୁ ନେଇ ଯିବାକୁ କହିଥିଲେ। ମୁଁ ଓ ଆସାମରେ ରହୁଥିବା ଜଣେ ସାଙ୍ଗ ଆମ୍ବୁଲାନ୍ସ ଠିକ କରି ମାର୍ଚ୍ଚ ୩୧ରୁ ଯାତ୍ରା ଆରମ୍ଭ କରିଥିଲୁ।

ଆମ୍ବୁଲାନ୍ସ ପକ୍ଷରୁ ମୋତେ ୧.୬ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ମୁଁ, ମୋ ବାପା ଓ ମୋ ଦାଦା ଆମେ ଏହି ଆମ୍ବୁଲାନ୍ସରେ ଘରକୁ ଫେରିଥିଲୁ। ଆମ୍ବୁଲାନ୍ସରେ ଦୁଇ ଜଣ ଡ୍ରାଇଭର ଥିଲେ। ସେମାନେ ପ୍ରତିଦିନ ୨୩ ଘଣ୍ଟା ଲେଖାଏ ଗାଡ଼ି ଚଳାଉଥିଲେ।

ମାର୍ଚ୍ଚ ୩୧ ଦିନ ୧୦ଟାରୁ ଆମର ଯାତ୍ରା ଆରମ୍ଭ ହୋଇଥିଲା ଓ ଆମେ ଏପ୍ରିଲ ୨ ରାତି ୧୦ଟା ବେଳକୁ ସେଠାରେ ପହଞ୍ଚିଥିଲୁ। ଟ୍ରେନ ଆମ୍ବୁଲାନ୍ସରେ ଆମକୁ ୧.୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଥିଲା। ସଡ଼କ ପଥରେ ଆମ୍ବୁଲାନ୍ସ ଆମ ଠାରୁ ୧.୬ ଲକ୍ଷ ଟଙ୍କର ନେଇଛି। ମୋ ଯାତ୍ରା ଅତ୍ୟନ୍ତ କଷ୍ଟକର ଥିଲା।

ହେଲେ ମୁଁ ଘରକୁ ଫେରିଥିବାରୁ ବହୁତ ଖୁସି। ଆମ୍ବୁଲାନ୍ସରେ ଆସୁଥିଲେ ମଧ୍ୟ ଆମକୁ ପୁଲିସ୍‌ ପଶ୍ଚିମବଙ୍ଗରେ ୪ ଘଣ୍ଟା ଓ ବେଙ୍ଗଲ-ଆସାମ ବର୍ଡରେ ୨ ଘଣ୍ଟା ଅଟକାଇ ଯାଞ୍ଚ କରିଥିଲା। ଆମେ ଆସାମରେ ପହଞ୍ଚିବା ପରେ ଆମର କରୋନା ଟେଷ୍ଟ ହେବା ସହ ଦୁଇ ଡ୍ରାଇଭର ଓ ଆମ ସମସ୍ତଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯାଇଥିଲେ। ଏପ୍ରିଲ ୧୬ରେ ଏହି ଅବଧି ଶେଷ ହୋଇଛି।”

By amfnews

Related Post