Mon. Jun 16th, 2025

୨୦ କୁକୁରଙ୍କୁ ବିଷ ଦେଇ ମାରିଲେ ସନ୍ଦିଗ୍ଧ ଡକାୟତ ଦଳ

By amfnews Oct 29, 2018 #Featured
289 Views

ଚେନ୍ନାଇ: ଶନିବାର ରାତିରେ କାଞ୍ଚିପୁରମ୍‌ ଜିଲ୍ଲା ଅନ୍ତର୍ଗତ ମଦୁରଅଣ୍ଟକମ୍‌ ନିକଟରେ ଦଳେ ଅଜ୍ଞାତ ଡକାୟତ ୨୦ଟି କୁକୁରକୁ ବିଷ ଦେଇ ମାରିଥିବା କଥା ଅନୁମାନ କରାଯାଉଛି। ସନ୍ଦିଗ୍ଧମାନଙ୍କୁ ଧରିବାକୁ ପୁଲିସ ତଲାସ ଆରମ୍ଭ କରିଛି।

ମଦୁରଅଣ୍ଟକମ୍‌ ନିକଟବର୍ତ୍ତୀ କରାସାଙ୍ଗଲ୍‌, ଓରାତି ଏବଂ ଅନାଇକୁଟ୍ଟୁର ବାସିନ୍ଦାମାନେ ରବିବାର ସକାଳୁ ଉଠି ଦେଖିଲେ କି, ସେମାନଙ୍କ କୁକୁର ସବୁ ମରିଯାଇଛନ୍ତି। ମର୍ମାହତ ବାସିନ୍ଦାମାନେ ଓରାତି ପୁଲିସକୁ ସୂଚନା ଦେବାରୁ ସେମାନେ ଘଟନାସ୍ଥଳକୁ ଆସି ମୃତ କୁକୁରମାନଙ୍କ ପାଖରେ ଜମା ହୋଇଥିବା ଗ୍ରାମବାସୀଙ୍କ ସହ ତଦନ୍ତ ଚଳାଇଲେ।

୨୦ଟି କୁକୁରଙ୍କୁ ହରାଇ ଗ୍ରାମବାସୀମାନେ ବାହୁନୁଥିଲେ। ମୃତ୍ୟୁ ସହ ସଂଗ୍ରାମ କରୁଥିବା ବାକି ୩ଟି କୁକୁରଙ୍କୁ ପଶୁ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେମାନଙ୍କୁ ବଞ୍ଚାଇ ହେଲା ନାହିଁ।

ଗତ କେତେ ବର୍ଷ ହେବ ସେ ଅଞ୍ଚଳରେ ବର୍ଷାଭାବ ଯୋଗୁଁ ଲୋକେ ଚାଷବାସ ଛାଡ଼ି ଗାଈ, ଛେଳି ଏବଂ କୁକୁଡ଼ା ଆଦି ପଶୁ ପାଳନ କରୁଛନ୍ତି। ଗୃହପାଳିତ ପଶୁପକ୍ଷୀଙ୍କୁ ଚୋରଙ୍କ ଦାଉରୁ ରକ୍ଷା କରିବାକୁ ସେମାନେ ଏକ ସଭା ଡକାଇ କୁକୁର ପାଳିବାକୁ ନିଷ୍ପତ୍ତି ନେଇ ୬ ମାସ ହେବ କୁକୁର ରଖିଥିଲେ।

ରାତିବିକାଳି କେହି ଅଜ୍ଞାତ ବ୍ୟକ୍ତି ଗାଁ’ରେ ପ୍ରବେଶ କଲେ କୁକୁରମାନେ ଭୁକାଭୁକି କରୁଥିଲେ। ଏହା ଚୋରମାନଙ୍କ ବେଉସାରେ ବାଧା ସୃଷ୍ଟି କରୁଥିବାରୁ, ସେମାନଙ୍କୁ ନିପାତ କରାଯାଇଥିବା କଥା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

By amfnews

Related Post