Sun. Mar 8th, 2026

୨୦୨୪ ଅଲମ୍ପିକ୍ସ: ପଦକ ଜିଣିବା ଲାଗି ଓଡ଼ିଶାକୁ ଗୋଟିଏ ଖେଳର ଦାୟିତ୍ବ

317 Views

ଭୁବନେଶ୍ବର: ୨୦୨୪ ଅଲିମ୍ପିକ୍ସରେ ଓଡିଶା ଯେଭଳି ଗୋଟିଏ ସ୍ବର୍ଣ୍ଣ ପଦକ ହାସଲ କରିବ ସେଥିପାଇଁ ରାଜ୍ୟ କର୍ତ୍ତୃପକ୍ଷ ଗୋଟିଏ କ୍ରୀଡ଼ାକୁ ଆପଣେଇବା ପାଇଁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। କ୍ରୀଡ଼ାର ବିକାଶ ସହିତ ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଥିବା ଓଡ଼ିଶାକୁ କେନ୍ଦ୍ର ସରକାର ଏହି ଦାୟିତ୍ବ ଦେବାକୁ ଆଗ୍ରହୀ। କେନ୍ଦ୍ର କ୍ରୀଡ଼ା ସଚିବ ରାଧେଶ୍ୟାମ ଜୁଲାନିଆ କେନ୍ଦ୍ରର ଏଭଳି ନିଷ୍ପତ୍ତି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହିତ ୨୦୨୪ ଅଲିମ୍ପିକ୍ସରେ କ୍ରୀଡ଼ା ଲାଗି ପ୍ରସ୍ତୁତ ରହିବାକୁ କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୦ ଅଲିମ୍ପିକ୍ସ ପାଇଁ ଭାରତର ପ୍ରସ୍ତୁତିକୁ ନେଇ ସମୀକ୍ଷା କରିବା ଅବସରରେ ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡ଼ା ନୀତି ପାଇଁ ପରାମର୍ଶ ଦେଇଛନ୍ତି।

ବିଶେଷଜ୍ଞମାନଙ୍କ ମତରେ ଅଲିମ୍ପିକ୍ସ ଭଳି ଅର୍ନ୍ତଜାତୀୟ ସ୍ତରର କ୍ରୀଡ଼ାରେ ପଦକ ପାଇଁ ପ୍ରସ୍ତୁତ ହେବାକୁ ୮ବର୍ଷରୁ ଅଧିକ ସମୟ ଲାଗିଥାଏ। ଗୋଟିଏ ରାଜ୍ୟ ଗୋଟିଏ କ୍ରୀଡ଼ା ନୀତିର ଲକ୍ଷ୍ୟ ହେଉଛି ଅଲିମ୍ପିକ୍ସ ପଦକ ଲାଗି ରାଜ୍ୟଗୁଡିକ ନିର୍ଦ୍ଦିଷ୍ଟ କ୍ରୀଡ଼ା କ୍ଷେତ୍ରରେ ପ୍ରସ୍ତୁତ ହୋଇପାରିବେ। କେନ୍ଦ୍ର ସରକାର ଏଥିପାଇଁ ପ୍ରଶିକ୍ଷକ, ବୈଷୟିକ ସହାୟକ ଯୋଗାଇବା ସହିତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ଏବଂ ଅନ୍ୟ ସ୍ଥାନକୁ ପରିଦର୍ଶନରେ ପଠାଇବାର ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ଅଛନ୍ତି। ରାଜ୍ୟ ସରକାର ଏଥିପାଇଁ ଆଗକୁ ଆସିବା ସହିତ ଗୋଟିଏ ଖେଳକୁ ବାଛିବା ଦରକାର ।

ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ) ପକ୍ଷରୁ ହକି, ତୀରନ୍ଦାଜି, ଦୌଡ଼କୁଦ, ବ୍ୟାଡ୍‌ମିଣ୍ଟନ, ମୁଷ୍ଟିଯୁଦ୍ଧ, ଟେବୁଲ ଟେନିସ୍‍, କୁସ୍ତି, ଭାରୋତ୍ତୋଳନ, ସାଇକେଲ ଚାଳନା, ଜୁଡୋ, ନୌଚାଳନା, ଅସୀ ଚାଳନା ଏବଂ ସନ୍ତରଣକୁ ନେଇ ଗୋଟିଏ କ୍ରୀଡ଼ା ତାଲିକା ପ୍ରସ୍ତୁତ କରିଛନ୍ତି। ରାଜ୍ୟ ସରକାର ଏଥିମଧ୍ୟରୁ ଗୋଟିକୁ ଚୟନ କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ୩ଟି କ୍ରୀଡ଼ାର ନାମ ଥାଇ ପ୍ରସ୍ତାବ ଦେବେ। ଫଳରେ ଏଥି ମଧ୍ୟରୁ ରାଜ୍ୟ ପାଇଁ ଗୋଟିଏ ଖେଳକୁ ବଛାଯାଇ ପାରିବ। ରାଜ୍ୟରେ ଥିବା କ୍ରୀଡ଼ା ଭିତ୍ତିଭୂମି, ବିଗତ ଦିନର ପ୍ରଦର୍ଶନ ଏବଂ ଲୋକପ୍ରିୟ କ୍ରୀଡ଼ାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ପାଇଁ ଗୋଟିଏ କ୍ରୀଡ଼ାକୁ ବାଛିବେ।

By amfnews

Related Post