Fri. Mar 6th, 2026

୨୦୧୨ରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଚାହୁଁଥିଲେ ଶୀଲା

402 Views

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ଗତକାଲି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ହୃଦ୍‌ରୋଗରେ ପୀଡ଼ିତ ଥିଲେ ଓ କିଛି ଦିନ ହେଲା ଅସୁସ୍ଥ ଥିଲେ।

୧୯୩୮ ମସିହା ୩୧ ମାର୍ଚ୍ଚରେ ପଞ୍ଜାବର କପୁରଥାଲାଠାରେ ଜନ୍ମିତ ଶୀଲା ତାଙ୍କ ଶ୍ୱଶୁର ତଥା ଇନ୍ଦିରା ଗାନ୍ଧିଙ୍କ ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ କଂଗ୍ରେସ ନେତା ଉମାଶଙ୍କର ଦୀକ୍ଷିତଙ୍କଠାରୁ ରାଜନୀତିକ ପ୍ରେରଣା ପାଇଥିଲେ। ସେ ଲଗାତାର ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ସେ ଏହି ପଦରେ ବସିଥିଲେ। ତେବେ ୨୦୧୨ରେ ଅସୁସ୍ଥତା କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନସ୍ଥ କରିଥିଲେ। କିନ୍ତୁ ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ପରେ ସେ ନିଜ ନିଷ୍ପତ୍ତି ବଦଳାଇ ଦେଇଥିଲେ। ସେତେବେଳେ ଦିଲ୍ଲୀରେ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ସେ ତାଙ୍କ ନିଷ୍ପତ୍ତି ବଦଳାଇ ଥିଲେ।

ଶୀଲା ଦୀକ୍ଷିତ ତାଙ୍କ ଆତ୍ମଜୀବନୀ ‘ସିଟିଜେନ୍ ଦିଲ୍ଲୀ: ମାଇଁ ଟାଇମ୍, ମାଇଁ ଲାଇଫ୍‌’ରେ ଏ କଥା ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି,“ମୋ ପରିବାର ଲୋକେ ମୋତେ କହିଥିଲେ ଯେ, ସ୍ୱାସ୍ଥ୍ୟ ହେଉଛି ପ୍ରଥମ। ମୋତେ ପ୍ରଥମେ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବା ଆବଶ୍ୟକ। ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ହୋଇସାରିଥିଲି। ସେତେବେଳେ ବିଧାନସଭା ନିର୍ବାଚନ ପାଇଁ ଆହୁରି ବର୍ଷେ ସମୟ ଥିଲା। ଦଳ ପାଖରେ ମୋର ବିକଳ୍ପ ଖୋଜିବାକୁ ବି ସମୟ ଥିଲା।”

ଶୀଲା ଲେଖିଛନ୍ତି,“ଇସ୍ତଫା ପ୍ରସଙ୍ଗରେ ମୁଁ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରାଇବା ପାଇଁ ବି ପ୍ରସ୍ତୁତ ହୋଇଯାଇଥିଲି। ଏହି ସମୟରେ ୨୦୧୨ ଡିସେମ୍ବର ୧୬ ତାରିଖରେ ଦିଲ୍ଲୀରେ ଏକ ବସ୍‌ରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣା ପରେ ମୋ ଉପରେ ଚାପ ବଢ଼ିଯାଇଥିଲା। ମୁଁ କେମିତି ଚାପରେ ରହୁଥିଲି, ତାହା ମୋ ପରିବାର ଦେଖିଥିଲା। ତେଣୁ ଯେତେ ଶୀଘ୍ର ସମ୍ଭବ ପଦ ଛାଡ଼ିବାକୁ ସେମାନେ ମୋତେ ପରାମର୍ଶ ଦେଇଥିଲେ। କିନ୍ତୁ ମୁଁ ଅନୁଭବ କରିଥିଲି ଯେ, ସେହି ସମୟରେ ପଦ ଛାଡ଼ିବା ଅର୍ଥ ଯୁଦ୍ଧଭୂମି ଛାଡ଼ି ପଳାୟନ କରିବା। ମୁଁ ଜାଣିଥିଲି ଏ ଘଟଣାରେ ବିରୋଧୀ ଦଳ ମୋ ସରକାର ଉପରେ ଅଭିଯୋଗ ଆଣିବେ। କିନ୍ତୁ କାହାକୁ ତ ଏଥିପାଇଁ କେହି ତ ଉତ୍ତରଦାୟୀ ହୋଇଥା’ନ୍ତେ। ତେଣୁ ମୁଁ ନିଜକୁ ଏଥିପାଇଁ ଉତ୍ତରଦାୟୀ କରିଥିଲି।”

By amfnews

Related Post