Sun. Mar 8th, 2026

୧୯୬୮ ମସିହା ଅଲିମ୍ପିକ୍‌ରେ ଚିତ୍ର ଆଙ୍କିଥିବା ୭ ଜଣ ଭାରତୀୟ ପିଲାଙ୍କୁ ଖୋଜୁଛି ମେକ୍ସିକୋ

193 Views

ନୂଆଦିଲ୍ଲୀ: ଅର୍ଦ୍ଧ ଶତାବ୍ଦୀ ତଳେ ବିଶ୍ୱରେ ପ୍ରଥମ ଥର ଲାଗି ଲାଟିନ୍‌ ଆମେରିକାରେ ମେକ୍ସିକୋ ଅଲିମ୍ପିକ୍‌ କ୍ରୀଡ଼ା ଆୟୋଜିତ କରିବା ଅବସରରେ ଏକ ଆନ୍ତର୍ଜାତିକ ଶିଶୁଚିତ୍ର କଳା ପ୍ରଦର୍ଶନୀ ଆୟୋଜନ କରିଥିଲା। ଭାରତ ସମେତ ୮୦ ଦେଶର ପିଲା ଏଥି ନିମନ୍ତେ ଚିତ୍ର ପଠାଇଥିଲେ। ‘ବନ୍ଧୁତ୍ୱର ବିଶ୍ୱ’ ବିଷୟବସ୍ତୁ ଉପରେ ଆଧାରିତ ଏହି ଚିତ୍ରଗୁଡ଼ିକ ଓ୍ଵାର୍ଲଡ୍‌ ଫେଷ୍ଟିଭାଲ୍‌ ଅଫ୍‌ ଚିଲ୍‌ଡ୍ରେନ୍‌ସ୍‌ ପେଣ୍ଟିଙ୍ଗ୍‌ ନାମରେ ଦେଶର ରାଜଧାନୀ ମେକ୍ସିକୋ ସିଟିରେ ପ୍ରଦର୍ଶୀତ ହୋଇଥିଲା।

ଏବେ ୫୦ ବର୍ଷ ପରେ ନୂଆଦିଲ୍ଲୀସ୍ଥିତ ମେକ୍ସିକୋ ଦୂତାବାସ ସେ ଉତ୍ସବରେ ଅଂଶ ଗ୍ରହଣ କରିଥିବା ଭାରତୀୟ ପିଲାଙ୍କୁ ଖୋଜୁଛି। ଦୂତାବାସ ମୂଳ ଚିତ୍ରଗୁଡ଼ିକୁ ରିଲିଜ୍‌ କରି ପ୍ରସାରଣ କରୁଛି। ତା’ସହ ଖବରକାଗଜରେ ଅଂଶଗ୍ରହଣକାରୀଙ୍କର ଛାପା ଯାଇଥିବା ଅନ୍ୟତମ ଅଂଶଗ୍ରହଣକାରୀ ଲୀଳା ସୁଦାକରନ୍‌ଙ୍କର କଳା-ଧଳା ଫଟୋ ମଧ୍ୟ ରହିଛି। ଉକ୍ତ ଚିତ୍ରଗୁଡ଼ିକରେ ବିଶେଷତଃ, ଭାରତୀୟ ଦୃଶ୍ୟପଟ୍ଟ ବର୍ଣ୍ଣନା ଯଥା:- ଧାଡ଼ିଏ ନର୍ତ୍ତକୀ ଗୋଟିଏ ଠାଣିରେ ରହିଛନ୍ତି, ସାପୁଆକେଳା ତୁମ୍ବି ବଜାଉଛି, ଜନଗହଳିଭରା ହାଟ ଏବଂ ହାତୀ ଚଢ଼ା।

ସେମାନଙ୍କର ଅନେ୍ଵଷଣ ଏକ ବିଶ୍ୱସ୍ତରୀୟ ଉଦ୍ୟମ। ଚିତ୍ର ଉତ୍ସବ ନିମନ୍ତେ ସେ ପିଲାମାନଙ୍କର ଅବଦାନ ପ୍ରତି କୃତଜ୍ଞତା ଜଣାଇବାକୁ ବିଶ୍ୱବ୍ୟାପୀ ଥିବା ମେକ୍‌ସିକୋ ଦୂତାବାସ, ଏବେ ପ୍ରାପ୍ତ ବୟସ୍କ ହୋଇ ଯାଇଥିବା ସେ ଅଂଶଗ୍ରହଣକାରୀଙ୍କୁ ଖୋଜୁଛନ୍ତି ବୋଲି ଏକ ବିବୃତିରେ ଦୂତାବାସ ତରଫରୁ କୁହାଯାଇଛି।

‘ବନ୍ଧୁତ୍ୱର ବିଶ୍ୱ- ୫୦ ବର୍ଷ ପରେ’ ନାମରେ ମେକ୍‌ସିକୋ ସିଟିରେ ପୁଣି ଥରେ ସଂଗୃହୀତ ହୋଇ ରହିଥିବା ଉକ୍ତ ୧୮୦୦ ଚିତ୍ର ପ୍ରଦର୍ଶନ କରାଯିବ।

ଉତ୍ସବ ସମୟରେ ଅଂଶଗ୍ରହଣକରିଥିବା ୮ ଜଣ ଭାରତୀୟ ପିଲାଙ୍କର କେବଳ ନାମ ଓ ବୟସ ଜଣାଅଛି। ପ୍ରାଚୀର ଚିତ୍ର ଅଙ୍କନ କରିବାକୁ ସେମାନଙ୍କ ମଧ୍ୟରୁ ୩ ଜଣ ସେତେବେଳେ ଭାରତୀୟ ଖେଳାଳିଙ୍କ ସହ ମେକ୍‌ସିକୋ ଯାଇଥାଇ ପାରନ୍ତି।

ଦୂତାବାସ କହିବା ଅନୁସାରେ, ସମ୍ଭବତଃ ଅଂଶଗ୍ରହଣକାରୀ ଭାରତୀୟ ପିଲାମାନେ ୧୯୪୯ ମସିହାରେ ଶଙ୍କର ପିଲାଇଙ୍କ ଦ୍ୱାରା ସ୍ଥାପିତ ‘ଶଙ୍କର ଇଣ୍ଟର୍‌ନେସ୍‌ନାଲ୍‌ ଚିଲ୍‌ଡ୍ରେନ୍‌ସ୍‌ ଆର୍ଟ କମ୍ପିଟିସନ୍‌’ ଦ୍ୱାରା ମନୋନୀତ ହୋଇଥିଲେ।

ନୂଆଦିଲ୍ଲୀସ୍ଥିତ ମେକ୍ସିକୀୟ ଦୂତାବାସ କହିଛି କି, ସେ ଅହମଦାବାଦ ସାମ୍ବାଦିକ କେତନ ତ୍ରିବେଦୀଙ୍କ ସହାୟତାରେ ଜିତେନ୍ଦ୍ର ନବନିତଲାଲ୍‌ ନାମକ ଜଣେ ଅଂଶଗ୍ରହଣକାରୀଙ୍କୁ ଠାବ କରିଛି। ଦୁର୍ଭାଗ୍ୟକୁ ପାରିଖ ୧୯୯୮ ମସିହାରେ ଦୀର୍ଘ ଅସୁସ୍ଥତା ପରେ ମୃତ୍ୟୁ ବରଣ କରିଛନ୍ତି। ଅନ୍ୟ ଅଂଶଗ୍ରହଣକାରୀମାନେ ହେଲେ ଦିଲ୍ଲୀର ୧୪ ବର୍ଷୀୟ ସୁଜାତା ଶର୍ମ, ୧୨ ବର୍ଷୀୟ ଇରା ସଚଦେବା, ୧୩ ବର୍ଷିୟ ସନତ କୁଣ୍ଡୁ, ୯ ବର୍ଷିୟ ବିବେକ କୁଚିଭାଦଲା, ୮ ବର୍ଷୀୟ ଇଲା ଏମ୍‌ସ୍‌ ଅଂଶ ଲୀଳା ସୁଦାକରଣ। ଏମାନେ ପ୍ରାଚୀର ଚିତ୍ର ପାଇଁ ସେତେବେଳେ ମେକ୍ସିକୋ ଯାଇଥାଇ ପାରନ୍ତି।

ଯଦି କେହି ଏମାନଙ୍କୁ ଠାବ କରିପାରନ୍ତି, ଦିଲ୍ଲୀ କାର୍ଯ୍ୟାଳୟ ସହ ଯୋଗଯୋଗ କରିବାକୁ ଅନୁରୋଧ କରିଛି ଦୂତାବାସ।

By amfnews

Related Post