Sat. Mar 7th, 2026

୧୮ରେ ନବରଙ୍ଗପୁର ଜିଲ୍ଲା ବନ୍ଦ

326 Views

ନବରଙ୍ଗପୁର, ଡିସେମ୍ବର ୧୪ : ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆସନ୍ତା ୧୮ ତାରିଖରେ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସମର୍ଥନ କରି ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ମଧ୍ୟ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରିବ। ଆଜି ଏକ ସାମ୍ବାଦିକ ସମ୍ମଳନୀରେ ଜିଲ୍ଲା ଆଇନଜୀବୀ ସଂଘ ସଭାପତି ନରଂସିହ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, କୋର କମିଟି ସଭ୍ୟ ଏନ.ଅହମ୍ମଦ, ଉପସଭାପତି ହରି ନାରାୟଣ ବେହେରା, ଯୁଗ୍ମ ସମ୍ପାଦକ ଦାମୋଦର ତ୍ରିପାଠୀ, କୋଷାଧ୍ୟକ୍ଷ ସୀମାଞ୍ଚଳ ପାତ୍ର ପ୍ରମୁଖ କହିଛନ୍ତି।

ଅବିଭକ୍ତ କୋରାପୁଟ ଜିଲ୍ଲାର ଯେ କୌଣସି ସ୍ଥାନରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ହେବା ଆବଶ୍ୟକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତ୍ବରିତ ନ୍ୟାୟ ପ୍ରଦାନ ପାଇଁ କହୁଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଗରିବ ଜନସାଧାରଣ ନ୍ୟାୟ ପାଇବା ପାଇଁ କଟକ ହାଇକୋର୍ଟର ଦ୍ବାରସ୍ଥ ହୋଇପାରୁ ନାହାନ୍ତି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୨୦୧୩ ମସିହାରୁ କୋର କମିଟି ଗଠନ କରାଯାଇ ଆନ୍ଦୋଳନ ଚାଲୁ ରହିଛି। କୋର କମିଟିର ନିଷ୍ପତ୍ତି ଅନୁଯାୟୀ ପ୍ରତି ମାସର ଶେଷ ୨ କାର୍ଯ୍ୟ ଦିବସରେ କୋର୍ଟ କାର୍ଯ୍ୟ ବନ୍ଦ କରାଯାଉଛି। ଜଷ୍ଟିସ ପାଲ କମିଟି ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ରିପୋର୍ଟ ଦେଇସାରିଛନ୍ତି। କିନ୍ତୁ ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଏହାକୁ ବିରୋଧ କରୁଛନ୍ତି।

କୋରାପୁଟ, ନବରଙ୍ଗପୁର ଓ ମାଲକାନାଗିରି ଜିଲ୍ଲା ଠାରୁ କଟକ ପ୍ରାୟ ୭୦୦ କିମି ଦୂର ହେଉଥିବାରୁ ସ୍ଥାନୀୟ ଗରିବ ଜନସାଧାରଣ ନ୍ୟାୟ ପାଇବା ପାଇଁ କଟକ ଯାଇପାରୁ ନାହାନ୍ତି। ଏଣୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ଥାୟୀ ବେଞ୍ଚ ସ୍ଥାପନ ହେଲେ ସମସ୍ତ ଜନସାଧାରଣ ନ୍ୟାୟ ପାଇପାରିବେ। ଏଣୁ ସାଧାରଣ ଜନତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆସନ୍ତା ୧୫ରୁ ୧୭ ପର୍ଯ୍ୟନ୍ତ ୩ଦିନ କୋର୍ଟରେ ଆଇନଜୀବୀ ମାନେ ସିଜ୍ ୱାର୍କ କରିବା ସହ ଆସନ୍ତା ୧୮ ତାରିଖରେ ନବରଙ୍ଗପୁର ଜିଲ୍ଲା ବନ୍ଦ ରହିବ। ଏହି ବନ୍ଦ ପାଳନରେ ଗାଡି ଚଳାଚଳ ବନ୍ଦ ହେବା ସହ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ, କଲେଜ, ଦୋକାନ ବଜାର ଆଦି ସମ୍ପୂର୍ଣ୍ଣ ବନ୍ଦ ରହିବ। ସକାଳ ୬ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ରହିବ। ଏହି ବନ୍ଦ ପାଳନରେ ସହଯୋଗ କରିବା ପାଇଁ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରାଯାଇଛି। ଆନ୍ଦୋଳନରେ ସମସ୍ତ ଜନସାଧାରଣ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି।

By amfnews

Related Post