ରାଉରକେଲା, ୧୧/୭ : କୌଣସି କମ୍ପାନୀ ନଥାଇ ତା ନାମରେ ୧୫ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜିଏସ୍ଟି ଠକେଇ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଓ ରାଉରକେଲା ଡାଇରେକ୍ଟର ଜେନେରା ସେଣ୍ଟ୍ରାଲ ଏକ୍ସାଇଜ୍ ଆଣ୍ଡ ଇଣ୍ଟେଲିଜେନ୍ସ (ଡିଜିସିଇଆଇ) ମିଳିତ ଭାବେ ରାଉରକେଲାରେ ଚଢଉ କରି ଜଣେ ଆଇନ୍ଜୀବୀ ଓ ଜଣେ ବ୍ୟବସାୟୀକୁ ଗିରଫ କରିଛନ୍ତି । ଏମାନେ ପ୍ରାୟ ଏକ ବର୍ଷରୁ ଊଦ୍ଧ୍ୱର୍ ସମୟ ମଧ୍ୟରେ ୧୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ଗିରଫ କରି ଡିଜିସିଇଆଇ କାର୍ଯ୍ୟାଳୟରେ ଅଟକ ରଖାଯାଇଛି ।
ବିଶ୍ୱସ୍ତ ସୂଚନା ଅନୁସାରେ ଜନୈକ ଟ୍ୟାକ୍ସ ଆଇନ୍ଜୀବୀ ଓ ବ୍ୟବସାୟୀ ମିଳିତ ଭାବେ ଭୂତ କମ୍ପାନୀ ଖୋଲି ଏହି ଠକେଇ କରିଛନ୍ତି । ଉଭୟ ବର୍ଷକ ମଧ୍ୟରେ ପ୍ରାୟ ୧୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ସରକାରଙ୍କୁ ଠକିଥିବା ମିଳିଛି । ଉଭୟ ବେଶ୍ ଚତୁରତା ସହିତ ବିଭିନ୍ନ କମ୍ପାନୀ ନାଁରେ ଟ୍ୟାକ୍ସ ଇନ୍ଭଏସ୍ କାଟି ଏଭଳି ଠକେଇ କରିଛନ୍ତି । ପ୍ରକୃତରେ ଏସବୁ କମ୍ପାନୀ ନାହିଁ କି ଏସବୁ କମ୍ପାନୀ କୌଣସି କାରବାର କରିନଥିବା କୁହାଯାଉଛି । କିନ୍ତୁ ଏମାନେ ଦୁହେଁ ଏସବୁ କମ୍ପାନୀ ନାଁରେ ଟ୍ୟାକ୍ସ ଇନ୍ଭଏସ୍ କାଟି ୧୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା ।
ତେଣୁ ଭୁବନେଶ୍ୱର ଡିଜିସିଇଆଇ ଓ ରାଉରକେଲା ଡିଜିସିଇଆଇ ଅଧିକାରୀମାନେ ଉଭୟଙ୍କ କାର୍ଯ୍ୟାଳୟରେ ଚଢଉ କରି ବହୁ ନକଲି କାଗଜପତ୍ର, ଫାଇଲ୍, ଷ୍ଟାମ୍ପ ଓ ନକଲି ଟ୍ୟାକ୍ସ ଇନ୍ଭଏସ୍ ଆଦି ଜବତ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ । ଉଭୟଙ୍କୁ ରାଉରକେଲା କୋର୍ଟରେ ହାଜର କରାଯାଇଥିଲେ ମଧ୍ୟ କୋର୍ଟ ଏହି ଗିରଫଦାରୀକୁ ଗ୍ରହଣ କରିନାହାନ୍ତି । ବିଭାଗୀୟ ସେଣ୍ଟ୍ରାଲ କମିଶନରଙ୍କ ବିନା ନିର୍ଦ୍ଦେଶରେ ଗିରଫ କରାଯାଇଥିବାରୁ କୋର୍ଟ ଏହାକୁ ଗ୍ରହଣ କରିନଥିବା ସୂଚନା ମିଳିଛି । ଦୁଇ ଅଭିଯୁକ୍ତକୁ ଡିଜିସିଇଆଇ ଅଧିକାରୀମାନେ ତାଙ୍କ କାର୍ଯ୍ୟାଳୟରେ ଅଟକ ରଖିଛନ୍ତି ।