Sun. Mar 8th, 2026

୧୫୪୫ କୋଟି ଟଙ୍କାର ପ୍ରକଳ୍ପ ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ

162 Views

ବଲାଙ୍ଗୀର,ଜାନୁଆରୀ ୧୪  : ଆସନ୍ତା ୧୫ ତାରିଖ ଦିନ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମେ ପ୍ରଧାନମନ୍ତ୍ରୀ ରେଳ ଷ୍ଟେସନ ନିକଟରେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ପଥରଚେପାଠାରେ ଦଳୀୟ ସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ଆସି ମୋଟ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ରବିବାର ଏ ନେଇ ବଲାଙ୍ଗୀର ରେଳ ଷ୍ଟେସନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ରେଳବାଇର ମୁଖ୍ୟ ଜନସଂପର୍କ ଅଧିକାରୀ ଜେ. ପି. ମିଶ୍ର, ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ତିଆ (ଏଏସଆଇ) ଡେପୁଟି ସୁପରିଟେଣ୍ଡେଣ୍ଟ ରାଜୀବ ଦ୍ବିବେଦୀ, ବିଦେଶ ମନ୍ତ୍ରଣାଳୟର ପାସପୋର୍ଟ ସୁପରିଟେ‌ଣ୍ଟେଣ୍ଟ ଗୌରବ କୁମାର ତ୍ୟାଗୀ, ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶମ୍ଭୁ ପ୍ରସାଦ କଣ୍ଟା ପ୍ରମୁଖ ସବିଶେଷ ସୂଚନା ଦେଇଛନ୍ତି।

ଝାରସୁଗୁଡାଠାରେ ନିର୍ମାଣ ହୋଇଥିବା ମଲ୍‌ଟି ମୋଡେଲ ଲଜିଷ୍ଟିକ ପାର୍କ, ସମ୍ବଲପୁର-ଅନୁଗୁଳ ଲାଇନ ବିଦ୍ୟୁତୀକରଣ କାର୍ଯ୍ୟ ଶେଷ ହୋଇଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ବଲାଙ୍ଗୀର- ଦେଓଗାଁ ଓ ବରପାଲି–ଡୁଙ୍ଗୁରିପାଲି ମଧ୍ୟରେ ରେଳ ଲାଇନର ଦୋହରୀକରଣ କାମ ସରିଛି। ୩୧କିମି ରେଳ ଲାଇନ ପାଇଁ ୧୮୯.୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସମ୍ବଲପୁର–ଟିଟିଲାଗଡ଼ ଦୋହରୀକରଣ ପ୍ରକଳ୍ପର ଏହି ଦୁଇଟି ଅଂଶର କାମ ସଂପୂର୍ଣ୍ଣ ହୋଇଛି। ଥେରୁବାଲି–ସିଙ୍ଗାପୁର ନାଗାବଳୀ ନଦୀ ଉପରେ ବ୍ରିଜକୁ ମଧ୍ୟ ଲୋକାର୍ପଣ କରିବେ। ବଲାଙ୍ଗୀର–ଖୋର୍ଦ୍ଧା ଲାଇନରେ ବଲାଙ୍ଗୀର ପଟୁ ଟ୍ରେନ ଚାଲିବ। ବଲାଙ୍ଗୀରରୁ ବିଛୁପାଲି ଯାଏଁ ରେଳ ଲାଇନ ଓ ବିଛୁପାଲି ଷ୍ଟେସନ୍‌ ଉଦ୍‌ଘାଟିତ ହେବ। ବଲାଙ୍ଗୀରରୁ ବିଛୁପାଲି ଯାଏଁ ଦୁଇ ଯୋଡି ଟ୍ରେନ ପ୍ରତିଦିନ ଗଡ଼ିବ। ଏହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ।

ଏଥିସହ ରାଣୀପୁର ଝରିଆଲ, ଚାରିଶମ୍ଭୁ, ପଶ୍ଚିମ ସୋମନାଥ, ଅସୁରଗଡ଼ର ବିକାଶ, ବଲାଙ୍ଗୀରର ରାଣୀପୁର ଝରିଆଲ ଚଉଷଠୀ ଯୋଗିନୀ ମନ୍ଦିରର ସୋମେଶ୍ବର ମନ୍ଦିର, ଇନ୍ଦ୍ରଲାଠ ମନ୍ଦିର ସହ ସେଠାକାର ସୌନ୍ଦର୍ଯ୍ୟକରଣ କରାଯିବ। ଏଥିପାଇଁ ୯.୬ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ବୌଦ୍ଧ ନୀଳମାଧବ ଓ ସିଦ୍ଧେଶ୍ବର ମନ୍ଦିର ଯାହାକି ଚାରିଶମ୍ଭୁ ଭାବେ ଜଣାଯାଏ ତା’ର ବିକାଶ ମଧ୍ୟ କରାଯିବ। କଳାହାଣ୍ଡିର ଅସୁରଗଡ଼ ଐତିହାସିକ ସ୍ଥଳର ପୁନରୁଦ୍ଧାର କରାଯିବ। ଏହି ସବୁ କାମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।

ସେହିପରି ବଲାଙ୍ଗୀର, ଫୁଲବାଣୀ, ଜଗତସିଂହପୁର, ବରଗଡ଼, ପୁରୀ ଓ କେନ୍ଦ୍ରାପଡ଼ାରେ ପୋଷ୍ଟ ଅଫିସ ପାସପୋର୍ଟ କେନ୍ଦ୍ରର ଶୁଭାରମ୍ଭ କରିବେ। ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ କୋଠା ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ବି ରହିଛି। ଏହା ପାଇଁ ୧୦ ଏକର ଜମିରେ ୧୫. ୮୧ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।

By amfnews

Related Post