Mon. Mar 9th, 2026
220 Views

ହାଇଦ୍ରାବାଦ: ହୁହୁ ହୋଇ ସାରା ଦେଶରେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଯେଉଁ ପିଆଜ ୧୩୦ ଓ ୧୪୦ ଟଙ୍କାରେ କେଜି ପିଛା ବିକ୍ରି ହେଉଥିଲା, ଆଜି ସକାଳୁ ତାହା ୧୫୦ ଟଙ୍କା ଛୁଇଁଛି।

ଆଜି ହାଇଦ୍ରାବାଦ ବିଭିନ୍ନ ମାର୍କେଟରେ ପିଆଜ କେଜି ପିଛା ଦର ୧୫୦ ଟଙ୍କା ରହିଛି। ହଠାତ୍‌ ୧୦ରୁ ୨୦ ଟଙ୍କା ଦର ବୃଦ୍ଧିକୁ ନେଇ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି କହିଛନ୍ତି, “ସହରରେ ମିଳୁଥିବା ପିଆଜରେ ହାତ ମାରି ହେଉନାହିଁ।

ଦିନକୁ ଦିନ ପିଆଜ ଦର ‍‍ବୃଦ୍ଧି ପାଇବାରେ ଲାଗିଛି। ହଁ ବଡ଼ ଲୋକମାନେ ଏହି ବର୍ଦ୍ଧିତ ଦରକୁ ନେଇ ଚିନ୍ତିତ ନୁହନ୍ତି। ହେଲେ ଆମ ଭଳି ଗରିବ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ବଜେଟକୁ ପିଆଜ ଦର ଭାରି କଷ୍ଟ ଦେଉଛି।”

ପିଆଜ ଦର ୧୫୦ ଛୁଇଁଥିବାରୁ ଆଜି ଅଧିକାଂଶ ଲୋକ ଏଥିରେ ହାତ ମାରୁନାହାନ୍ତି। ସେହିପରି କିଛି ଲୋକ ଗୋଟିଏ କେଜି ବଦଳରେ ୨୫୦ ଗ୍ରାମ ନେଇ କାମ ଚଳାଉଥିବା ଦେଖିବାକୁ ମିଳୁଛି।

ଭଲ ପିଆଜର ଦର ହାଇଦ୍ରାବାଦରେ ୧୫୦ ଟଙ୍କା ହୋଇଥିବା ବେଳେ ପୋଚା ଓ ନଷ୍ଟ ପିଆଜର ଦର କେଜି ପିଛା ୬୦ ଟଙ୍କା ରହିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୁର୍କୀରୁ ଆଉ ୪ ହଜାର ଟନ୍‌ ପିଆଜ ଆମଦାନୀ କରିବାକୁ ନିଷ୍ପତ୍ତି ହୋଇଛି।

By amfnews

Related Post