Sat. Jan 11th, 2025

୧୫ତମ ଜିଲ୍ଲାସ୍ତରୀୟ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରୀ ସମ୍ପନ୍ନ

By amfnews Jan 13, 2019 #Featured
171 Views

ରାଉରକେଲା, ଜାନୁଆରୀ ୧୩ : ସେକ୍ଟର-୨୧ ସ୍ଥିତ ଓଏସ୍ଏପି ଉଚ୍ଚବିଦ୍ୟାଳୟରେ ୧୫ତମ ଜିଲ୍ଲାସ୍ତରୀୟ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପୋରୀ ସମ୍ପନ୍ନ ହୋଇଯାଇଛି । ଏହି ତ୍ରିବସୀୟ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ ସ୍କାଉଟ୍ ଗାଇଡ୍ର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର କାଳୀ ପ୍ରସାଦ ଯୋଗଦେଇ ନିଷ୍ଠା ଓ ସଂଯମତା ବଳରେ ଆଗାମୀ ଭବିଷ୍ୟତ ସୁନେଲି ହୋଇଥାଏ ବୋଲି ଉଲ୍ଲେଖ କରିଥିଲେ ।

ସେହିପରି ମୁଖ୍ୟବକ୍ତା ଭାବେ ଏଡିଇଓ ରାଜଶ୍ରୀ ପଟ୍ଟନାୟକ, ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ସଙ୍ଗୀତା ଜେନା ପ୍ରମୁଖ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ସଭାପତି ନାରାୟଣ ପତି, ଗାଇଡ୍ କମିଶନର ମଞ୍ଜୁ ମୁଖାର୍ଜୀ ସ୍କାଉଟ୍ କମିଶନର ବ୍ରଜେନ୍ଦ୍ର ଦାଶ, ବରିଷ୍ଠ ଶିକ୍ଷୟିତ୍ରୀ କ୍ରିଷ୍ଣାରାଣୀ ମହାନ୍ତି, ଓଏସ୍ଏପି ସହାୟକ ଦୁର୍ଗପତି ଦୀପକ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିବା ବେଳେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉଚ୍ଚକୋଟୀର ସଂଳାପ ପାଇଁ ଓଏସ୍ଏପି ସ୍କୁଲର ଅର୍ପିତା ବେହେରା, ପିରାମିଡ୍ ପାଇଁ ଇସ୍ପାତ ଶିକ୍ଷା ସଦନ, ଚିନ୍ମୟ ଓ ଇଣ୍ଡୋ ସ୍କୁଲର କ୍ୟାଡେଟ୍ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଆକର୍ଷଣୀୟ ପିଜାଣ୍ଟ ଶୋ’ ପରେ ଏହି କ୍ୟାମ୍ପେରୀ ସମ୍ପନ୍ନ ହୋଇଥିଲା ।

ସ୍କାଉଟ ଓ ଗାଇଡ୍ ଯୁଗ୍ମ ସମ୍ପାଦକ ରଶ୍ମିତା ସାହାଣୀ କ୍ୟାମ୍ପ ରିପୋର୍ଟ ପାଠ କରିଥିଲେ । ଜିଲ୍ଲା ସମ୍ପାଦକ ସନ୍ତୋଷ ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ କୋଷାଧ୍ୟକ୍ଷ ଗୌରାଙ୍ଗ ଚନ୍ଦ୍ର ପାହାଡ଼ି ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ କୁଞ୍ଜବିହାରୀ ରାଉତ କ୍ୟାଡେଟ୍ମାନଙ୍କୁ ଶିକ୍ଷା ଓ କର୍ତ୍ତବ୍ୟନିଷ୍ଠ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିମାଦ୍ରୀ ମହନ୍ତ, ଶିଶିର ପାଣି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

By amfnews

Related Post