Sat. Mar 14th, 2026

୧୪ରେ ଖୋଲିବ ହୀରାକୁଦ ଗେଟ୍‌ : ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ

266 Views

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ଜଳ ନିଷ୍କାସନ ଅଗଷ୍ଟ ୧୪ ତାରିଖରେ କରାଯିବ। ସେଦିନ ପୂର୍ବାହ୍ନରେ ପୂଜାର୍ଚ୍ଚନା ସହ ଦିନ ୧୧ଟା ପରେ ଗେଟ୍‌ ଖୋଲାଯିବ ବୋଲି ବନ୍ଧ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କେତେ ଗେଟ୍‌ ଖୋଲାଯିବ ତାହା ସେଦିନର ଜଳସ୍ତରକୁ ଦେଖି ସ୍ଥିର କରାଯିବ। ଏଥିଲାଗି ଡ୍ୟାମ୍‌ ତଳମୁଣ୍ଡରେ ରହୁଥିବା ଜନସାଧାରଣଙ୍କ ପାଇଁ ସତର୍କ ସୂଚନା ଜାରି ହୋଇଛି। ସୂଚନାଯୋଗ୍ୟ ଗତ ୭ ତାରିଖରେ ହୀରାକୁଦ ଉପରମୁଣ୍ଡରେ ୮୬ ମିଲିମିଟର ବର୍ଷା ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା। ଆଜି ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୨.୪୩ ଫୁଟରେ ପହଞ୍ଚିଛି। ୧୪ ତାରିଖରେ ଏହା ୬୧୪ ଫୁଟ ଛୁଇଁବାର ସମ୍ଭାବନା ରହିଛି। ୧୨ ତାରିଖରେ ଲଘୁଚାପ ବର୍ଷା ଆଶଙ୍କା ଥିବାରୁ ଜଳସ୍ତର ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏଥିଯୋଗୁଁ ରୁଲ କର୍ଭ ଅନୁସାରେ ଗେଟ ଖୋଲି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ବନ୍ୟା ଜଳ ସହ କିଛି ପଟୁ ମଧ୍ୟ ନିଷ୍କାସିତ ହୋଇ ପାରିବ। ୧୨ ତାରିଖ ପରେ ପୁନର୍ବାର ବଡ଼ ବର୍ଷା ହୋଇ ଆଉ ଥରେ ଜଳଭଣ୍ଡାରକୁ ପାଣି ପ୍ରବେଶ କଲେ ଏହା ରଖିବାକୁ ମଧ୍ୟ ଜଳଭଣ୍ଡାରରେ ସ୍ଥାନ ରହିବ। ଆଜି ରାତିରେ ମିଳିଥିବା ସୂଚନା ଅନୁସାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୨ ହଜାର ୮୧୫ ଘନଫୁଟର ଜଳପ୍ରବେଶ କରୁଛି ଓ ୧୮ ହଜାର ୩୧୧ ଘନଫୁଟ ପାଣି ନିଷ୍କାସିତ ହେଉଛି। ବର୍ତ୍ତମାନ ପାଓ୍ବାର ଚେନାଲକୁ ୧୪ ହଜାର ୫୮୬ କ୍ୟୁସେକ, କେନାଲକୁ ୩୫୫୫ କ୍ୟୁସେକ ଏବଂ ଶିଳ୍ପାନୁଷ୍ଠାନକୁ ୧୭୦ କ୍ୟୁସେକ ପାଣି ଛଡ଼ାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ (୮ ତାରିଖ) ଉପରମୁଣ୍ଡରେ ମାତ୍ର ୫.୮୧ ମିଲିମିଟର ଏବଂ ତଳମୁଣ୍ଡରେ ୪.୮୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।

By amfnews

Related Post