Tue. Mar 4th, 2025

୧୧୦୦ କେନ୍ଦ୍ରରେ ହେବ +୨ ପରୀକ୍ଷା : ଏଥର କପି ଜଗିବ ସିସିଟିଭି

By amfnews Oct 8, 2018 #Featured
418 Views

ଡିସେମ୍ବର ସୁଦ୍ଧା କଲେଜ କତୃର୍ପକ୍ଷ ନ ଲଗାଇଲେ ପରୀକ୍ଷା କେନ୍ଦ୍ର ହେବନି

ଭୁବନେଶ୍ବର : ଗତବର୍ଷ ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷା ସମୟରେ କପିକୁ ନେଇ ବଦନାମ ମୁଣ୍ତାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଥର ଆଗୁଆ ପଦକ୍ଷେପ ନେଇଛି। ସମସ୍ତ ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦେଶ ଦିଆଯିବା ପରେ ତତ୍ପରତା ପ୍ରକାଶ ପାଇଛି। ୨୦୧୯ ଜାନୁଆରି ତୃତୀୟ ସପ୍ତାହରୁ ପ୍ରାକ୍ଟିକାଲ ଓ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ୨ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଥିଓରି ପରୀକ୍ଷା ଆରମ୍ଭ ହେବ। ତେଣୁ ଡିସେମ୍ବର ସୁଦ୍ଧା ସମସ୍ତ ପରୀକ୍ଷା‌ କେନ୍ଦ୍ରରେ ସିସିଟିଭି ଲଗାଇବାକୁ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।

ପରିଷଦର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ‌ଯେ ପରୀକ୍ଷା କେନ୍ଦ୍ର ହେଉଥିବା ଯୁକ୍ତ୨ କଲେଜଗୁଡ଼ିକ ପାଇଁ ଏଥର ସିସିଟିଭି ବାଧ୍ୟତାମୂଳକ ହୋଇଛି। ତେଣୁ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ଗତବର୍ଷ ଯେଉଁ କଲେଜରେ ପରୀକ୍ଷା କେନ୍ଦ୍ର ହୋଇଥିଲା ‌ଯଦି ସେମାନେ ଡିସେମ୍ବର ଶେଷ ସୁଦ୍ଧା ସିସିଟିଭି ନ ଲଗାନ୍ତି ‌େତ‌େବ ସେଠାରେ ‌ଏଥର ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ପରୀକ୍ଷା ହଲ୍‌, ପ୍ରଶ୍ନପତ୍ର ଖୋଲାଯାଉଥିବା ଓ ଉତ୍ତର ଖାତା ସିଲ୍‌ ହେଉଥିବା ସ୍ଥାନରେ ସିସିଟିଭି ବାଧ୍ୟତାମୂଳକ। ଏଥିସହ ପରୀକ୍ଷା କେନ୍ଦ୍ରର ପ୍ରବେଶ ପଥ ଓ ଅଭିଭାବକମାନେ ଛିଡ଼ା ହେଉଥିବା ସ୍ଥାନରେ ସିସିଟିଭି ଲଗାଇବାକୁ କୁହାଯାଇଛି। ସିସିଟିଭି କ୍ୟାମେରାଗୁଡ଼ିକ ୨ ମେଗା ପିକ୍ସେଲ୍‌ ହୋଇଥିବା ଆବଶ୍ୟକ

ଅନ୍ୟପକ୍ଷରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯିବା ପରେ ଏହାକୁ କେତେକ କଲେଜ କର୍ତ୍ତୃପକ୍ଷ ବିରୋଧ କରିଛନ୍ତି। ସେମାନଙ୍କର କହିବା କଥା ହେଲା ଏଥିପାଇଁ ଲକ୍ଷାଧିକ ଟଙ୍କା‌ ଖର୍ଚ୍ଚ ହେବ। ଅଧିକାଂଶ କଲେଜର ଭିତ୍ତିଭୂମି ସୁଦୃଢ଼ ନାହିଁ। କେତେକ କ୍ୟାମ୍ପସରେ ଏପର୍ଯ୍ୟନ୍ତ ପାଚେରୀ ବୁଲିପାରି ନାହିଁ। ତେଣୁ ଟଙ୍କା କେଉଁଠି ଆସିବ ବୋଲି ପ୍ରଶ୍ନ ଉଠିଛି। ଯଦି ସିସିଟିଭି ଲଗାଯିବ ତେବେ ରାଜ୍ୟ ସରକାର ଏଥିପାଇଁ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତୁତ କରନ୍ତୁ ବୋଲି କଲେଜଗୁଡ଼ିକ ଦାବି କରିଛନ୍ତି। ପରିଷଦ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ସାହୁ କହିଛନ୍ତି ଯେ କେଉଁ ହେଡ୍‌ରୁ ଅର୍ଥ ଆସି ସିସିଟିଭି ଲାଗିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ସୂଚନା ଦିଆଯିବ। ଗତବର୍ଷ ପରି ଏଥର ମଧ୍ୟ ପ୍ରାୟ ୧୧୦୦ଟି ପରୀକ୍ଷା କେନ୍ଦ୍ର ଓ ଉପକେନ୍ଦ୍ର କରିବାକୁ ଏପର୍ଯ୍ୟନ୍ତ ସ୍ଥିର ହୋଇଛି। ଫର୍ମ ପୂରଣ ପରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ କିଛିଟା ପରିବର୍ତ୍ତନ କରାଯାଇପାରେ।

By amfnews

Related Post