Mon. Mar 9th, 2026

ୟୁନେସ୍କୋ କଳିଙ୍ଗ ପୁରସ୍କାର ବିଜେତା ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

250 Views

ଭୁବନେଶ୍ବର: ‌୨୦୧୭ର ୟୁନେସ୍କୋ କଳିଙ୍ଗ ପୁରସ୍କାର ବିଜେତା ବେଲଜିୟମ୍‌ର ବିଶିଷ୍ଟ ବୈଜ୍ଞାନିକ ଏରିକ୍‌ ଜାକ୍ୟୁମିନ୍‌ଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଶ୍ରୀ ଜାକ୍ୟୁମିନ୍‌ଙ୍କୁ ଔପଢୌକନ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ବିଶ୍ବସ୍ତରରେ ବିଜ୍ଞାନର ପ୍ରସାର ଲାଗି ୩୪ବର୍ଷ ବୟସରେ ସ୍ବର୍ଗତ ବିଜୁ ପଟ୍ଟନାୟକ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା କରିଥିଲେ। ଏବେ ସମୟ ଆସିଛି ଆମେ ତାଙ୍କ ପଦାଙ୍କ ଅନୁକରଣ କରିବା ସହ ବିଜ୍ଞାନକୁ ଆଗକୁ ନେବା। ଫଳରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଅତ୍ୟାଧୁନିକ ସୁବି‌ଧା ସୁଯୋଗ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ। ଏବେ ସୁଦ୍ଧା ୨୫ଟି ଦେଶର ୬୯ଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୭ ପାଇଁ ଏହି ସମ୍ମାନଜନକ ପୁରସ୍କାର ପାଇଥିବା ଶ୍ରୀ ଜାକ୍ୟୁମିନ୍‌ଙ୍କୁ ଶୁଭେଚ୍ଛା ଜଣାଉଛି। ବିଜ୍ଞାନ କେନ୍ଦ୍ର ଓ ସଂଗ୍ରହାଳୟକୁ ବିଶ୍ବସ୍ତରରେ ପରିବ୍ୟାପ୍ତ କରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସେ ଏବେ ଅନ୍ୟମାନଙ୍କ ପାଇଁ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବିଜ୍ଞାନ ଓ ବୈଷୟିକ ଜ୍ଞାନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କଳିଙ୍ଗ ଫାଉଣ୍ଡେସନ୍‌ ଟ୍ରଷ୍ଟର ଅଧ୍ୟକ୍ଷ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ଉତ୍ସବରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସ ଓ ନାଇଜର୍‌ର ନିର୍ଦେଶକ ପ୍ରଫେସର୍‌ ସୁଧାକର ପଣ୍ଡା, ମ୍ୟାନେଜିଂ ଟ୍ରଷ୍ଟି ପ୍ରଫୁଲ୍ଲ ସାମଲ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ଟ୍ରଷ୍ଟର ଯୁଗ୍ମ ମ୍ୟାନେଜିଂ ଟ୍ରଷ୍ଟି ବିମଲ ଦାସ ଧନ୍ୟବାଦ ଦେଇଥିଲେ।

By amfnews

Related Post