Wed. Mar 11th, 2026

ହେଲମେଟ ନ ପିନ୍ଧି ଟ୍ରାକ୍ଟର ଚଳାଇବାରୁ କଟା ହେଲା ଚାଲାଣ!

289 Views

ଲକ୍ଷ୍ନୌ  : ସେପ୍ଟେମ୍ୱର ୧ରେ ଦେଶରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି। ଯେଉଁମାନେ ନୂଆ ଆଇନକୁ ମାନୁ ନାହାନ୍ତି ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡ଼ୁଛି। ହେଲେ ଭୁଲ୍ ନକରି ଅନେକ ଗାଡ଼ି ଚାଳକଙ୍କ ବିରୋଧରେ ଚାଲାଣ କଟା ଯାଉଥିବା ଦେଖିବାକୁ ମିଳିଛି।

ଉତ୍ତର ପ୍ରଦେଶ ହାପୁଡ଼ ସ୍ଥିତ ଗଢ଼ମୁକ୍ତେଶ୍ୱରର ଜଣେ ଟ୍ରାକ୍ଟର ଡ୍ରାଇଭର ହେଲମେଟ ପିନ୍ଧିନଥିବାରୁ ଏବଂ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ ନେଇନଥିବାରୁ ତାଙ୍କ ବିରୋଧରେ ୩ ହଜାର ଟଙ୍କାର ଚାଲାଣ କାଟିଥିଲା ସ୍ଥାନୀୟ ପୁଲିସ। ଖାଲି ଏତିକି ନୁହେଁ ଚାଲାଣରେ ଅନ୍ୟ ଏକ ଗାଡ଼ିର ନମ୍ୱର ମଧ୍ୟ ଲେଖା ହୋଇଥିଲା। ଏହାପରେ ଡ୍ରାଇଭର ଜଣଙ୍କ ଆପତ୍ତି ଉଠାଇବାରୁ ପୁଲିସ ଅଧିକାରୀ ନିଜ ଭୁଲ୍ ବୋଲି ସ୍ୱୀକାର କରିଥିଲେ। ଟ୍ରାଫିକ ଇନ-ଚାର୍ଜ ପୁଲିସ ଏବାବଦରେ ଅବଗତ ହେବା ପରେ କହିଛନ୍ତି ଟାଇପିଂ ଭୁଲ୍ ହୋଇଥିଲା। ତେଣୁ ଏହି ଚାଲାଣକୁ ବାତିଲ କରାଯାଇଛି।

ବୁଧବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ପ୍ରସଙ୍ଗରେ ଟ୍ରାଫିକ ପୁଲିସଙ୍କୁ ଆହ୍ୱାନ କରିଥିଲେ, ଗାଡ଼ି ଚାଳକଙ୍କ ନିକଟରୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ମୋଟା ଅଙ୍କର ଚାଲାଣ କାଟିବା ପରିବର୍ତ୍ତେ ତାଙ୍କୁ ସଚେତନ କରିବାକୁ କହିଥିଲେ।

ପୂର୍ବରୁ ଉତ୍ତର ପ୍ରଦେଶ ଅଲିଗଡ଼ରେ ଜଣେ କାର୍‌ ଚାଳକ ହେଲମେଟ୍ ପିନ୍ଧିନଥିଲା ବୋଲି ଟ୍ରାଫିକ୍ ପୁଲିସ୍ ୫୦୦ ଟଙ୍କାର ଚାଲାଣ କାଟିଥିଲା। ଏହାପରେ କାର୍‌ ଚାଳକ ଜଣକ ହେଲମେଟ୍ ପିନ୍ଧି ସ୍ଥାନୀୟ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ।

By amfnews

Related Post