Tue. Mar 10th, 2026

ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଳାଇବାରୁ ଯାଇଛି ୪୩, ୬୦୦ ଜୀବନ

199 Views

ନୂଆଦିଲ୍ଲୀ : ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନା ଆଦାୟକୁ ନେଇ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି। କିଛି ରାଜ୍ୟ ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିବାକୁ ମଧ୍ୟ ଚାହୁଁନାହାନ୍ତି। ତେବେ ଟ୍ରାଫିକ୍‌ ଉଲ୍ଲଙ୍ଘନର ଭୟଙ୍କର ସ୍ଥିତି କ’ଣ ହୋଇପାରେ, ତାହା ୨୦୧୮ରେ ଘଟିଥିବା ସଡ଼କ ଦୁର୍ଘଟଣା ତଥ୍ୟ ବୟାନ କରୁଛି।

ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୧୮ରେ ୪୩,୬୦୦ ଜଣ ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୧୭ରେ ବିନା ହେଲମେଟ୍‌ରେ ୩୫,୯୭୫ ଜଣଙ୍କ ଜୀବନ ଯାଇଥିଲା।

ବାଇକ୍‌ ପଛରେ ବିନା ହେଲମେଟ୍‌ରେ ବସିଥିବା ଲୋକଙ୍କ ମୃତ୍ୟୁସଂଖ୍ୟା ୧୫,୩୬୦। ଏଥିରୁ ସ୍ପଷ୍ଟ ଯେ କେବଳ ବାଇକ୍‌ ଚାଳକ ନୁହନ୍ତି, ପଛରେ ବସୁଥିବା ବ୍ୟକ୍ତିବିଶେଷମାନେ ମଧ୍ୟ ହେଲମେଟ୍‌ ପିନ୍ଧିବା ଜରୁରୀ। କେନ୍ଦ୍ର ସରକାର ନୂଆ ଆଇନ୍‌ରେ ଏହି ବ୍ୟବସ୍ଥା କରିଛନ୍ତି। କିନ୍ତୁ ଗୁଜରାଟ ଓ ଝାରଖଣ୍ଡ ଭଳି ରାଜ୍ୟ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍‌ ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରିଛନ୍ତି।

ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଉତ୍ତର ପ୍ରଦେଶରେ ସର୍ବାଧିକ ୬ ହଜାର ୨୦ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୁଜରାଟରେ ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ୯୫୮ଙ୍କ ଜୀବନ ଯାଇଥିବା ବେଳେ ବିନା ହେଲମେଟ୍‌ରେ ପଛରେ ବସିଥିବା ବ୍ୟକ୍ତିଙ୍କ ମୃତ୍ୟୁସଂଖ୍ୟା ୫୬୦ ରହିଛି। ଝାରଖଣ୍ଡରେ ଏହି ସଂଖ୍ୟା ଯଥାକ୍ରମେ ୭୯୦ ଓ ୪୫୦। ମହାରାଷ୍ଟ୍ରରେ ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ୫,୨୩୨ ଓ ତାମିଲନାଡୁରେ ୫୦୪୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଅନ୍ୟପକ୍ଷରେ କାର୍‌ରେ ସିଟ୍‌ ବେଲଟ୍‌ ନ ବାନ୍ଧି ଡ୍ରାଇଭରଙ୍କ ସମେତ ୨୪ ହଜାର ୪ଶହ ଲୋକଙ୍କ ଜୀବନ ଯାଇଛି। ୨୦୧୭ରେ ଏହି ସଂଖ୍ୟା ୨୮,୯୦୦ ଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସିଟ୍‌ ବେଲଟ୍‌ ନ ବାନ୍ଧି ୧୫,୧୦୦ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ଡ୍ରାଇଭରଙ୍କ ସଂଖ୍ୟା ୯,୩୫୦ ରହିଛି।

By amfnews

Related Post