Sun. Apr 20th, 2025

ହୀରାକୁଦ ଡ୍ୟାମ୍‌ ନିଷିଦ୍ଧାଞ୍ଚଳରେ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ

By amfnews Dec 16, 2019 #Featured
136 Views

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ଫଟୋ ଉଠାଇବା ବା ଭିଡିଓ ରେକର୍ଡିଂ କରିବା ନିଷିଦ୍ଧ ଓ ଦଣ୍ଡନୀୟ ହୋଇଥିଲେ ମଧ୍ୟ ଜଣେ ଓଲିଉଡ୍‌ ଅଭିନେତ୍ରୀ ମୁଖ୍ୟ ବନ୍ଧ ଉପରେ ନିଜର ଭିଡିଓ ‌କରିବା ସହ ଏହାକୁ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷ ମଧ୍ୟ ଏହି ଘଟଣାକୁ ଗୁରୁତ୍ବର ସହ ନେଇଥିବାବେଳେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଆରମ୍ଭ କରିଥିବା କହିଛନ୍ତି। ତେବେ ଏହି ଘଟଣାରେ ପୁଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଶନିବାର ଓଡ଼ିଆ ସିନେମା ଜଗତର ତିନିଜଣ ଅଭିନେତ୍ରୀ ସମ୍ବଲପୁର ଆସିଥିବାବେଳେ ଡ୍ୟାମ୍‌ ଉପର ଦେଇ ହୀରାକୁଦ ପଟରୁ ବୁର୍ଲା ପଟକୁ ଆସିଥିଲେ। ତେବେ ସେମାନେ ଡ୍ୟାମ୍‌ ଉପରେ ଗାଡ଼ି ଅଟକାଇ ଫଟୋ ଓ ଭିଡିଓ ସୁଟିଂ କରିଥିଲେ। ପରେ ଜଣେ ଅଭିନେତ୍ରୀ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିଲେ। ଏହି ଭିଡିଓରେ ସଂପୃକ୍ତ ଅଭିନେତ୍ରୀ ‘ଆଇ ଆମ୍‌ ଆଟ୍‌ ହୀରାକୁଦ ଡ୍ୟାମ୍‌..’ ବୋଲି ସ୍ପଷ୍ଟ ଭାବେ କହୁଥିବା ଦେଖିବାକୁ ମିଳିଥିଲା।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ସଂପୃକ୍ତ ଅଭିନେତ୍ରୀ ମଧ୍ୟ ଆଜି ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରୁ କାଢ଼ି ନେଇଛନ୍ତି। ତେବେ ସମ୍ବଲପୁରର କିଛି ସଚେତନ ନାଗରିକ ଏହି ଭିଡିଓ ଓ ହୀରାକୁଦ ଡ୍ୟାମ୍‌ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଏ ନେଇ ସଂପୃକ୍ତ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ନେବା ଲାଗି ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ। ସୂଚନାଯୋଗ୍ୟ, କିଛିଦିନ ତଳେ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଶିଳ୍ପାନୁଷ୍ଠାନର କିଛି ବରିଷ୍ଠ ଅଧିକାରୀ ହୀରାକୁଦ ଡ୍ୟାମ୍‌ ଉପରେ ଫଟୋ ଉଠାଇଥିଲେ। ଏହାକୁ ନେଇ ବି ସେତେବେଳେ ଚର୍ଚ୍ଚା ହୋଇଥିଲା।

By amfnews

Related Post