Fri. Mar 6th, 2026

ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ସିବିଆଇ ତଦନ୍ତ ଲାଗି ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

252 Views

ଲକ୍ଷ୍ନୌ, ଅକ୍ଟୋବର ୦୪ : ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଘଟଣାର ତଦନ୍ତ ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂତ୍ର ଅନୁସାରେ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କ ସହିତ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଯୋଗୀ ଏହି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଶନିବାର ପ୍ରମୁଖ ଶାସନ ସଚିବ (ଗୃହ) ଅବନୀଶ କୁମାର ଅଓ୍ଵସ୍ଥି ଓ ଡିଜିପି ହିତେଶ ଚନ୍ଦ୍ର ଅଓ୍ଵସ୍ଥିଙ୍କ ସହ ହାଥରସ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଇଥିଲେ।
ଏହା ପୂର୍ବରୁ ରାଜ୍ୟ ସରକାର ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ଏସ୍‌ପି, ଡିଏସ୍‌ପି, ଇନ୍ସପେକ୍ଟର ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ନିଲମ୍ବିତ ପୋଲିସ କର୍ମଚାରୀଙ୍କ ତାଲିକାରେ ହାଥରସ୍‌ ଏସ୍‌ପି ବିକ୍ରାନ୍ତ ବୀର, ଡିଏସ୍‌ପି ସିଓ ରାମ ଶାବଦ, ଇନ୍‌ସପେକ୍ଟର ଦିନେଶ କୁମାର ବର୍ମା, ଏସ୍‌ଆଇ ଜଗବୀର ସିଂହ ଓ ମୁଖ୍ୟ କନ୍‌ଷ୍ଟେବଳ ମହେଶ ପାଲ ସାମିଲ ଅଛନ୍ତି। ଏସ୍‌ଆଇଟିର ପ୍ରଥମ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ପରେ ଏବେ ବିନୀତ ଜୟସ୍ୱାଲଙ୍କୁ ହାଥରସ୍‌ର ନୂଆ ଏସ୍‌ପି ଦାୟିତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲାପାଳ ପ୍ରବୀଣ କୁମାରଙ୍କ ଉପରେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଗୁରୁତର ଅଭିଯୋଗ ଆଣି କହିଥିଲେ ଯେ, ସେ ପରିବାର ଲୋକଙ୍କୁ ଧମକ ଦେବା ଚାପ ପ୍ରୟୋଗ କରିବାକୁ ଉଦ୍ୟମ କରିଥିଲେ। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଅସନ୍ତୁଷ୍ଟ ଥିଲେ। ସେ ବିଳମ୍ବିତ ସନ୍ଧ୍ୟାରେ ରିପୋର୍ଟ ମାଗିଥିଲେ। ଏହା ପରେ ନିଜର ନିଷ୍ପତ୍ତି ଶୁଣାଇଥିଲେ।

By amfnews

Related Post