Sat. Mar 7th, 2026

ହାତୀ ଉତ୍ପାତରେ ଜଣେ ମୃତ; ସରକାରୀ କରତକଳରେ ୧୦ ହାତୀ

306 Views

ରାଉରକେଲା, ଅକ୍ଟୋବର, ୨୨: ରବିବାର ରାତିରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ରାଜଗାଙ୍ଗପୁର ରେଞ୍ଜ୍‌ ଅଞ୍ଚଳର ଧାନବିଲ ଜଗିଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ମାରି ପକାଇଛି।ସୋମବାର ସକାଳେ ଲୋକେ ବିଲରେ ତାଙ୍କର ଶବ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।

କେନ୍ଦୁକୁଦର ଅନ୍ତର୍ଗତ ମଦିଢ଼ିପା ପଡ଼ାର ୫୦ ବର୍ଷିୟ ଗୋବର୍ଦ୍ଧନ ଲାକ୍ରା ଗତରାତିରେ ଏକଲା ଧାନବିଲ ଜଗିବାକୁ ଯାଇଥିଲେ। ବିଲରେ ହାତୀପଲ ପଶିବାରୁ ସେମାନଙ୍କୁ ହୁରୁଡ଼ାଇବାକୁ ଗୋବର୍ଦ୍ଧନ ଉଦ୍ୟମ କରିବା ବେଳେ ପଲରୁ ଦନ୍ତାହାତୀଟାଏ ତାଙ୍କୁ ଦଳି ମାରି ପକାଇଥିଲା।

ଖବର ପାଇ ସମ୍ପୃକ୍ତ ରେଞ୍ଜର୍‌ ଏବଂ ସ୍ଥାନୀୟ ପୁଲିସ ଆସି ଘଟନାସ୍ଥଳରୁ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ରାଜଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି।

ଏହାଛଡ଼ା, ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଅାଁରମୁଣ୍ଡା ଅଞ୍ଚଳର କଲ୍ଲଗାଁ ଠାରେ ଥିବା ସରକାରୀ କରତକଳ ମଧ୍ୟକୁ ଗତ ରାତିରୁ ପଶି ଥିବା ୧୦ରୁ ଅଧିକ ହାତୀ ଥିବା ଗୋଟିଏ ପଲ ଏ ପର୍ଯ୍ୟନ୍ତ ସେଠାରେ ଅଛନ୍ତି। ସେଠାରୁ ସେମାନଙ୍କୁ ବାହାର କରିବାରେ ସ୍ଥାନୀୟ ପୁଲିସ ବିଫଳ ହେବା ପରେ ଆଜି ସକାଳୁ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ ଆସି ପହଞ୍ଚିଛନ୍ତି।

ହାତୀପଲକୁ କରତକଳରୁ ବାହାର କରିବାକୁ ସେମାନେ ଉଦ୍ୟମ ଚଳାଇଥିବା ବେଳେ ହାତୀ ଦେଖିବାକୁ ସ୍ଥାନୀୟ ଲୋକେ ସେଠାରେ ଗହଳି କରିଛନ୍ତି।

By amfnews

Related Post