Thu. Jan 23rd, 2025

ହାତୀ ଆତଙ୍କ; ଦନ୍ତା ଭାଙ୍ଗୁଛି ଘର

188 Views

ଗଁଦିଆ: ଢେଙ୍କାନାଳ ବନଖଣ୍ଡ ଷଡଙ୍ଗୀ ବନାଞ୍ଜଳ ଅନ୍ତର୍ଗତ ଭାଟକାଟେଣୀ, ଛଡାସିଂହ, ଭୁଇଁପୁର ଆଦି ଗ୍ରାମରେ ଶୁକ୍ରବାର ରାତିରେ ଏକ ଦନ୍ତା ହାତୀ ପଶି ଉପଦ୍ରବ କରିଥିବା ଜଣାପଡିଛି  । ଷଡଙ୍ଗୀ ବନାଞ୍ଚଳ ଯୋରନ୍ଦା ସେକ୍ସନ ଅନ୍ତର୍ଗତ ଏହି ଗ୍ରାମ ଗୁଡିକରେ ଦନ୍ତା ହାତୀ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛି  । ଭାଟକାଟେଣୀ ରଗଡି ସାହିର ବୈକୁଣ୍ଠ ଦେହୁରୀଙ୍କ ଘରେ ରାତି ପ୍ରାୟ ୧୦ ସମୟରେ ଏକ ଦନ୍ତା ହାତୀ ପଶି ତାଙ୍କର ଘର ଭାଙ୍ଗିଦେବା ଫଳରେ ଘରର ଗୋଟିଏ ପାଖ ବଳଦ ଦୁଇଟି ଉପରେ ପଡି ଯାଇଥିଲା  ।

ସେମାନେ ଘର ଭିତରେ ଥିବା ସମୟରେ ଦନ୍ତା ହାତୀଟି ବାରମ୍ବାର ସେ ଘରକୁ ଶୁଣ୍ଢ ବଢାଇଥିଲା । ଫଳରେ ବୈକୁଣ୍ଠ ମହାନ୍ତି ଏବଂ ତାର ପିଲାମାନେ ଅଧ ଘଣ୍ଟାଏ ଧରି ଭୟଭୀତ ଅବସ୍ଥାରେ ଭଙ୍ଗା ଘର ଭିତରେ ଚିକ୍ରାର କରୁଥିଲେ  । ତାଙ୍କର ୩ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଛି  । ବାହାରୁ ଲୋକମାନଙ୍କର ପାଟି ଶୁଣିବାରୁ ଦନ୍ତା ଟି ଘରର ଅନ୍ୟାନ୍ୟ ଜିନିଷପତ୍ର ଭାଙ୍ଗି ସେଠାରୁ ଚାଲି ଯାଇଥିଲା । ଲୋକମାନେ ଶ୍ରୀ ଦେହୁରୀଙ୍କ ପରିବାର ସମେତ ଗୋରୁ ଦୁଇଟିକୁ ଉଦ୍ଧାର କରିଥିଲା  । ସେହିପରି ତାଙ୍କ ଘର ନିକଟସ୍ଥ ଗୋପିନ ପଲେଇଙ୍କ ଘରର କିଛି ଅଂଶ ଏବଂ ଛଡାସିଂହ ଗ୍ରାମର ବାଇଧର ଦଳେଇଙ୍କ ଗୋଟିଏ ବଖରା ଘର ଭାଙ୍ଗି ଦେଇଥିବା ବେଳେ ବାଇଧର ଦଳେଇ ତାଙ୍କ ବାପାଙ୍କୁ ପ୍ରାଣ ବିକଳରେ ଟେକି ନେଇ ଦୌଡି ପଳାଇଥିଲେ  ।

ଫଳରେ ଦନ୍ତାଟି କୈଳାଶ ସ୍ୱାଇଁ, ଖଗେଶ୍ୱର ସ୍ୱାଇଁ, ସତ୍ୟଭାମା ରାଉତ, ଅଲେଖ ମହାନ୍ତି, ହରିହର ମହାନ୍ତି, ପ୍ରଶାନ୍ତ ପଣ୍ଡା, ଜିତେନ୍ଦ୍ର ଶତପଥୀ, ବିଜୟ ଶତପଥୀ, ରବିନାରାୟଣ ମହାନ୍ତି, ଅଶୋକ ମହାନ୍ତି ଏହିପରି ୨୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଚେରୀ ଭାଙ୍ଗିଥିବାର ଜଣାପଡିଛି  । ସକାଳୁ ଖବରପାଇ ଯୋରନ୍ଦା ଫରେଷ୍ଟ ବିଟ୍ ର ଗାର୍ଡ କଳ୍ପନା ବେହେରା ହାତୀ ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ପରେ କିଛି ଉତ୍ୟକ୍ତ ଲୋକ ତାଙ୍କୁ ଅଟକ ରଖିବାରୁ ଷଡଙ୍ଗୀ ବନାଞ୍ଚଳ ଅଧିକାରୀ ଅଶୋକ  କୁମାର ଭଞ୍ଜ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ  । ଘର ଭାଙ୍ଗିଥିବା ଲୋକଙ୍କ ପାଇଁ ମୋ କୁଡିଆ ଯୋଜନାରେ ଗୃହ ଯୋଗାଇଦେବାପାଇଁ ବିଡିଓଙ୍କୁ ସୁପାରିଶ କରିବା ସହ କ୍ଷୟକ୍ଷତିର ଆକଳନ କରି ଯଥାଶୀଘ୍ର କ୍ଷତିପୂରଣ ଦିଆଯିବବୋଲି ପ୍ରତିଶୃତି ଦେବାପରେ ଲୋକମାନେ ତାଙ୍କୁ ଛାଡିିଥିଲେ  ।

Related Post