ଭୁବନେଶ୍ୱର, ଜାନୁଆରୀ 30 : ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ପରେ ଚେତିଲେ ସରକାର । ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ ସର୍ଜନଙ୍କ ଦାବୀ ମାନିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । 20 ହଜାର ରୁ 28 ହଜାର କୁ ବୃଦ୍ଧି ହେଲା ଷ୍ଟାଇପେଣ୍ଡ । .
ସରକାରୀ ମେଡିକାଲର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି । ରାଜ୍ୟ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ 20 ହଜାରରୁ 28 ହଜାରକୁ ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ଜାନୁୟାରୀ ରୁ ୩ ବର୍ଷ ପାଇଁ ଏହି ଷ୍ଟାଇପେଣ୍ଡ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । 2021 ଜନୁୟାରୀ 1 ରୁ କାର୍ଯ୍ୟରତ ସମସ୍ତ ହାଉସ ସର୍ଜନଙ୍କ ପାଇଁ ଷ୍ଟାଇପେଣ୍ଡ ବୃଦ୍ଧି ନିୟମ ଲାଗୁ କରାଯାଇଛି । ବିଭାଗୀୟ ଉପସଚିବ ଏନେଇ ଡିଏମଇଟି କୁ ଚିଠି ଲେଖି ସୂଚନା ଦେଇଛନ୍ତି ।
ସଂଘ ପକ୍ଷରୁ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନର ଧମକ ଦିଆଯାଇଥିଲା । ତେବେ ଷ୍ଟାଇପେଣ୍ଡ ବୃଦ୍ଧି ବିଷ୍ପତ୍ତି ପରେ ସଂଘ ଆନ୍ଦୋଳନରୁ ଓହରିଯାଇଛି । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଏସସିବିର 250 ଜଣ , ବୁର୍ଲା ଓ ବ୍ରହ୍ମପୁରର 550 ଜଣ ଏହି ଆନ୍ଦୋଳନରେ ଯୋଗ ଦେବେ ବୋଲି ସ୍ଥିର ହୋଇଥିଲା । 2017ରେ ଆନ୍ଦୋଳନ ବେଳେ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରି 3 ବର୍ଷ ପରେ ଏହାର ପୁନର୍ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।