Sat. Mar 7th, 2026

ହାଇକୋର୍ଟରେ ୨ ବିଚାରପତିଙ୍କ ଶପଥ ଗ୍ରହଣ

152 Views

କଟକ, ନଭେମ୍ବର ୧୯: ଓଡିଶା ହାଇକୋର୍ଟର ବିଚାରପତି ଭାବରେ ଆଜି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ ଓ ଜଷ୍ଟିସ  ଅକ୍ଷୟ କୁମାର ମିଶ୍ର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ  କେ. ଏସ .ଜାଭେରୀ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସମେତ ହାଇକୋର୍ଟ ବରିଷ୍ଠ ବିଚାରପତି ମାନେ ଉପସ୍ଥିତ ରହିଥିଲେ।

ବରିଷ୍ଠ ଆଇନବିଶାରଦ ତଥା ଓଡିଶା ହାଇକୋର୍ଟର ରେଜିଷ୍ଟ୍ରର ଜେନେରାଲ ଭାବରେ କାର୍ଯ୍ୟରତ ଡକ୍ଟର ଅକ୍ଷୟ କୁମାର ମିଶ୍ରଙ୍କୁ ନୂତନ ବିଚାରପତି ଭାବରେ ନିଯୁକ୍ତି ମିଳିଛି। ମାଡ୍ରାସ ହାଇକୋର୍ଟରେ ବିଚାରପତି ଭାବରେ କାର୍ଯ୍ୟରତ ଥିବା ଶତ୍ରୁଘ୍ନ ପୂଜାହାରୀଙ୍କୁ ନୂତନ ବିଚାରପତି ଭାବରେ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଛି। ଗତ ଅକ୍ଟୋବର ୩୧ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ କୁମାର ଗୋଗେଇଙ୍କ ଦ୍ୱାରା ଗଠିତ ହୋଇଥିବା କଲେଜିୟମରେ ଦୁହିଁଙ୍କୁ ନିଯୁକ୍ତି ମିଳିଥିଲା। ଉଭୟେ ଯୋଗଦେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୪ରେ ପହଂଚିଛି।

ଏଠାରେ ଉଲ୍ଲେଖଯୋଗ୍ୟ, ଓଡିଶା ହାଇକୋର୍ଟରେ ଥିବା ୨ ଜଣ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଅନ୍ୟତ୍ର ବଦଳି ପାଇଁ ସୁପ୍ରିମକୋର୍ଟର କଲେଜିୟମ୍ ସୁପାରିଶ କରିଥିଲେ। ଓଡିଶା ହାଇକୋର୍ଟର ବିଚାରପତି ଇନ୍ଦ୍ରଜିତ ମହାନ୍ତି ଏବଂ ଜଷ୍ଟିସ୍‌ ସୁଜିତ ନାରାୟଣ ପ୍ରସାଦଙ୍କୁ ବଦଳି ପାଇଁ ସୁପାରିଶ କରାଯାଇଥିବା ବେଳେ ମାଡ୍ରାସ ହାଇକୋର୍ଟରେ ଥିବା ଓଡିଆ ବିଚାରପତିଙ୍କୁ ଓଡ଼ିଶା ହାଇକୋର୍ଟକୁ ଆଣିବାକୁ କଲେଜିୟମ୍ ପକ୍ଷରୁ ସୁପାରିଶ୍ କରାଯାଇଥିଲା ।

By amfnews

Related Post