Sun. Mar 8th, 2026

ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ନେବା ଥାନା ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

195 Views

କୋଣାର୍କ :  ଜଣେ ହତ୍ୟା ଅଭିଯୁକ୍ତ ସହ ସେଲ୍‌ଫି ଉଠାଇ ଚର୍ଚ୍ଚାକୁ ଆସିଥିବା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ବିରୋଧରେ ପୁରୀ ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରାଯାଇଛି।

ସୂଚନା ଅନୁଯାୟୀ, ଗତ ୫ ତାରିଖରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳସାହି ଛକରେ ସାଧୁ ସ୍ୱାଇଁ ଓ ତାଙ୍କ ପୁଅ ଦିଲୀପଙ୍କ ଉପରେ କିଛି ଲୋକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଦିଲୀପଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପା ଗୁରୁତର ଭାବେ ଆହତ ହୋଇଥିଲେ। ଏଥିସହ ଦିଲୀପଙ୍କ ଜଣେ ସାଙ୍ଗ ବିପିନ ମୁଦୁଲି ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିଲା। ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଧା ମୋହନ ବିଶ୍ୱାଳ ଓରଫ ମୁନା ଫେରାର ଥିଲା। ଅସ୍ତରଙ୍ଗ ପୁଲିସ୍‌ ମୁନାକୁ ଖୋଜୁଥିବା ବେଳେ ଗତକାଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୁଲିସ୍‌ ତାକୁ ଗିରଫ କରିଥିଲା। ଗିରଫ କରିବା ପରେ ଚନ୍ଦ୍ରଭାଗା ପୁଲିସ୍‌ ତାକୁ ନିମାପଡ଼ା ଥାନାକୁ ଆଣିଥିଲା। ତେବେ ସେହି ସମୟରେ ଗାଡ଼ି ଭିତରେ ଆଇଆଇସି ବୁଲୁ ମୁଣ୍ଡା ତା’ ସହିତ ସେଲ୍‌ଫି ଉଠାଇଥିଲେ। ଆଉ ଏହା ସୋଶାଲ୍ ମିଡିଆରେ ଭାଇରାଲ୍‌ ହେବା ପରେ ଆଇଆଇସି ଚର୍ଚ୍ଚାକୁ ଆସିଥିଲେ।

ଏହି ସେଲ୍‌ଫିକୁ ଦେଖିଲେ ଲାଗୁଛି ଜଣେ ହତ୍ୟା ଅଭିଯୁକ୍ତକୁ ଅତି ଖାମଖିଆଲି ଭାବେ ପୁଲିସ୍ ନେଇ ଯାଉଛି। ଫଟୋଟିକୁ ଦେଖିବା ପରେ ଲୋକଙ୍କ ମନରେ ଏହି ଧାରଣା ଉତ୍ପନ୍ନ ହୋଇଥିଲା ଓ ସମସ୍ତେ ଏଥିପାଇଁ ପୁଲିସ୍‌କୁ ଖୁବ୍ ସମାଲୋଚନା କରିଥିଲେ।

By amfnews

Related Post