Wed. Jan 8th, 2025

ହତ୍ୟାକାଣ୍ଡ ଅଭିଯୋଗ ଏତଲା ପୋଲିସ ନରଖିବାରୁ ୬ ଘଂଟା ଜାତୀୟ ରାଜପଥ ଅବରୋଧ

By amfnews Oct 6, 2018 #Featured
800 Views

ଯାଜପୁର,୬/୧୦ : ଘଂଟାଏ କି ଅଧ ଘଂଟାଏ ନୁହେଁ, ଦୀର୍ଘ ୬ ଘଂଟା ଜାତୀୟ ରାଜପଥ ଅଚଳ ହୋଇଗଲା । ପ୍ରସଙ୍ଗ ବି ଯଥେଷ୍ଟ ସମ୍ବେଦନଶୀଳ । ଏକ ଅନୁସୂଚିତ ଜାତିର ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କୁ ହତ୍ୟାକାଣ୍ଡ ଅଭିଯୋଗରେ ପୋଲିସ ଏତଲା ନରଖିବା ପ୍ରତିବାଦରେ ଏଭଳି ରାସ୍ତାରୋକ କରାଯାଇ ଥିଲା । ଶେଷକୁ ବି.ଜେ.ଡି ଯୁବନେତାଙ୍କ ହସ୍ତକ୍ଷେପ ଓ ଯାଜପୁର ଏସ.ପିଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ ।

ଅଭିଯୋଗରୁ ପ୍ରକାଶ, ଜେନାପୁର ଥାନା ସୋରେଇ ଗ୍ରାମରେ ଗତ ୩ ତାରିଖ ବୁଧବାର ଦିନ ରାତି ୯ ଟା ୫୦ ମିନିଟରେ ଦୀପକ ଦଳାଇଙ୍କୁ ଗ୍ରାମର ଲାଗୁ ସ୍ୱାଇଁ ଏବଂ ସମର ପଣ୍ଡା ଡାକିକି ନେବା ପରେ ତାଙ୍କର ଶବ ପରଦିନ ଗୁରୁବାରରେ ପାଣିକୋଇଲି ଥାନା ପୋଲିସ ଦ୍ୱାରା ଜବତ ହୋଇଥିଲା । ଘରୁ ଡାକି ନେଇଥିବା ଦୁଇଜଣ ଯୁବକ ଦୃଷ୍ଟ ପ୍ରକୃତିର ଏବଂ ସେମାନେ ଦୀପକଙ୍କୁ ମାରିଦେଇ ପାଣିକୋଇଲି ନିକଟରେ ରାସ୍ତାରେ ଫିଙ୍ଗି ଦେଇ ଦୁର୍ଘଟଣାର ରୂପ ଦେଇଚନ୍ତି ବୋଲି ଦୀପକଙ୍କ ସ୍ତ୍ରୀ ଝରଣା ଦଳେଇ ଜେନାପୁର ଥାନାରେ ଲିଖିତ ଅଭିଯୋଗ ଗତକାଲି ଶୁକ୍ରବାର କରିଥିଲେ । ହେଲେ ଥାନାରେ ଉପସ୍ଥିତ ଥିବା ପୋଲିସ ଏତଲାକାରୀଙ୍କ ଏତଲା ନରଖିବା ସହ ଏତଲା କପି ପ୍ରଦାନ କରିନଥିଲେ । ଏଥିନେଇ ଏତଲାକାରୀଙ୍କ ପରିବାର ସହ ଯୁକ୍ତିତର୍କ ହେବାପରେ ଏତଲାକାରୀ ପରିବାର ଏତଲା କାଗଜ ଥାନାରେ ଥୋଇଦେଇ ପଳାଇ ଆସିଥିଲେ ବୋଲି ଝରଣା ଅଭିଯୋଗ କରିଛନ୍ତି ।

ଏହାପରେ ରାତିରେ ସ୍ଥାନୀୟ ଅଂଚଳରେ ଏଥିନେଇ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଶୁକ୍ରବାର ରାତିରେ ଦୀପକଙ୍କ ଶବକୁ ଆଉ ସଂସ୍କାର କରାଯାଇ ନଥିଲା । ଶନିବାର ସକାଳୁ ଲୋକେ ପୋଲିସର କାର୍ଯ୍ୟଧାରା ଉପରେ ଅସନ୍ତୋଷ ପ୍ରକାଶ କରି ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥର କବାଟବନ୍ଧ ନିକଟସ୍ଥ ଦଳଗାଁ ଛକ ନିକଟରେ ଶବ ରଖି ସକାଳ ୫ ଟାରୁ ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତାରୋକ ସ୍ଥଳରେ ଉପସ୍ଥିତ ଯାଜପୁର ଅତିରିକ୍ତ ଏସ.ପି, ଏସ.ଡି.ପି.ଓ ଏବଂ ଜେନାପୁର ଥାନା ଅଧିକାରୀ ବାରମ୍ବାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ବି ରାସ୍ତାରୋକ ହଟି ନଥିଲା । ଏହାପରେ ଘଟଣା ସ୍ଥଳରେ ଉପସ୍ଥିତ ନଥିଲେ ମଧ୍ୟ ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଏଥିନେଇ ଯାଜପୁର ଏସ.ପିଙ୍କ ସହ ଆଲୋଚନା କରିଥିଲେ । ଯାଜପୁର ଏସ.ପି ଏହି ଘଟଣାରେ ସମସ୍ତ ଦିଗକୁ ତର୍ଜମା କରାଯାଇ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରତିଶୃତି ଦେବା ପରେ ସତୀଶ ଏଥିନେଇ ଆନ୍ଦୋଳନକାରୀଙ୍କ ସହ ଫୋନରେ କଥା ହେବା ପରେ ଏସ.ପିଙ୍କ ପ୍ରତିଶୃତି ମୁତାବକ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

ପ୍ରକାଶ ଥାଉ କି, ଏହି ପରିବାରର ଶଙ୍କର୍ଷଣ ଦଳାଇଙ୍କୁ ଗତ ତା୧୪.୧୦.୧୫ ରିଖରେ ହତ୍ୟା କରାଯିବା ନେଇ ଜେନାପୁର ଥାନାରେ ରୁଜୁ ହୋଇଥିବା କେସ (ନଂବର-୧୬୩/୨୦୧୫) ନେଇ ଅଦ୍ୟାବଧି କୌଣସି ନ୍ୟାୟ ମିଳିନାହିଁ । ଏଥିନେଇ ଜେନାପୁର ପୋଲିସକୁ ଅଭିଯୋଗକାରୀ ପରିବାର ତରଫରୁ ସୂଚନା ଅଧିକାରରେ ମଗାଯାଇଥିବା ତଥ୍ୟ ଜେନାପୁର ପୋଲିସ ଦେଉ ନଥିବା ବେଳେ ନିକଟ ଅତୀତରେ ଏଥିନେଇ ସୂଚନା କମିଶନ ଦେଇଥିବା ନିର୍ଦ୍ଦୋକୁ ବି ଜେନାପୁର ଥାନା ପୋଲିସ ମାନୁନାହିଁ । ଏ ସଂକ୍ରାନ୍ତରେ ଯାଜପୁର ଏସ.ପି ଏବଂ ଏସ.ପିଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ମଧ୍ୟ ଜେନାପୁର ଥାନାରେ କାର୍ଯ୍ୟକାରୀ ହେଉନାହିଁ । ସେହିପରି ଗତ ୨୭ ଅପ୍ରେଲ ୨୦୧୮ ରିଖରେ ଜେନାପୁର ଥାନା ଅନ୍ତର୍ଗତ ଚଉଷଠିପଡାରେ ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିବା ଦେବପ୍ରସାଦ ଦେବଙ୍କ ବିରୋଧରେ ପୋଲିସ ଆକ୍ରୋଶ ମୂଳକ ଭାବେ ଓଲଟା ୩୦୭ ଦଫା ଲଗାଇବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ ଆସିଥିଲା । ଏଥିନେଇ ଯାଜପୁର ଏସ.ପିଙ୍କ ତରଫରୁ ତଦନ୍ତ ନିର୍ଦ୍ଦେଶ ଆସିବାର ୬ ମାସ ବିତିଥିଲେ ବି ଜେନାପୁର ପୋଲିସ ସବୁ ନିର୍ଦ୍ଦେଶକୁ ମାଡି ବସିଛି । ଏଭଳି କେତେକ ଘଟଣା ପାଇଁ ପୋଲିସ ସାଧାରଣରେ ବିଶ୍ୱାସ ହରାଉଥିବାର ଆଲୋଚନା ହୋଇ ଘୋର ଉଦବେଗ ପ୍ରକାଶ ପାଉଛି ।

ପୋଷ୍ଟମର୍ଟମ ରିପୋର୍ଟ ନେଇ ଅଭିଯୋଗ
ଏହି ହତ୍ୟାକାଣ୍ଡକୁ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରୁଥିବା ଦୁର୍ବୁତ୍ତମାନେ ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଉଦ୍ୟମ କରୁଥିବାର କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପାଇଁ ଉଚ୍ଚସ୍ତରୀୟ ମେଡିକାଲ ଟିମ ଏହାର ଅନୁଧ୍ୟାନ କରିବାକୁ ସାଧାରଣରେ ଦାବି ହେଉଛି ।

By amfnews

Related Post