Sat. Feb 1st, 2025

ହତ୍ୟାକରି ଆତ୍ମହତ୍ୟାର ରୂପ ଦେଇଥିଲେ:୩ କୋର୍ଟ ଚାଲାଣ

By amfnews Aug 20, 2018 #Featured
220 Views

ସୁକିନ୍ଦା : ସୁକିନ୍ଦା ଥାନା ଅନ୍ତର୍ଗତ ଶୁକରଣ ଗ୍ରାମ ଧୋଉରା ସାହିର ୨ ଜଣ ମହିଳା ଓ ଜଣେ ଯୁବକକୁ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଗୁଣି ସନ୍ଦେହରେ ଅଭିଯୁକ୍ତମାନେ ଗତ ୯ ତାରିଖରେ ଏକ ହତ୍ୟାକାଣ୍ଡ ଭିଆଇ ଏହାକୁ ଆତ୍ମହତ୍ୟା ରୂପ ଦେଇଥିଲେ। ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ଖରଡ଼ି ପଞ୍ଚାୟତ ଶୁକରଣ ଗ୍ରାମ ଧୋଉରା ସାହିର କାଏରା ବୁଦିଉଲ୍ଲୀଙ୍କ ପ୍ରଥମ ପତ୍ନୀ ଚାନ୍ଦୁ ବୁଦିଉଲ୍ଲୀ(୩୩), ଚାନ୍ଦୁଙ୍କ ବଡ଼ ଭଉଣୀ ମିଞ୍ଜାରୀ ମୁଣ୍ଡା(୩୬) ଓ ପୁତୁରା ଅଜୟ ମୁଣ୍ଡା(୨୪)। ଅଭିଯୁକ୍ତମାନେ କାଏରାଙ୍କ ଦ୍ୱିତୀୟ ପତ୍ନୀ ଲକ୍ଷ୍ମୀ ବୁଦିଉଲ୍ଲୀ(୪୫)ଙ୍କୁ ଗତ ୯ ତାରିଖରେ ଗୁଣି ସନ୍ଦେହରେ ହତ୍ୟା କରିଥିଲେ। ହେଲେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ମୃତ ଲକ୍ଷ୍ମୀଙ୍କ ବେକରେ ରଶି ଲଗାଇ ଝୁଲାଇ ଦେଇଥିଲେ। ଲକ୍ଷ୍ମୀଙ୍କ ଭାଇ ଶ୍ରୀରାମ ହେମ୍ବ୍ରମ୍‌ ସୁକିନ୍ଦା ଥାନାରେ ଭଉଣୀ ଆତ୍ମହତ୍ୟା କରିଛି ବୋଲି ପ୍ରଥମେ ଏତଲା ଦେଇଥିଲେ। ପୁଲିସ ଶବ ଜବତ କରିବା ସହ ଥାନା କେସ ନମ୍ବର ୧୫/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିଲା।

ହେଲେ ଲକ୍ଷ୍ମୀଙ୍କ ମୃତଦେହ ଝୁଲୁଥିବା ବାରଣ୍ଡାରେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି ଥାନାଧିକାରୀ ସୌମ୍ୟଚିତ୍‌ ମିଶ୍ରଙ୍କର ସନ୍ଦେହ ହୋଇଥିଲା। ପୁଲିସ୍‌ ତଦନ୍ତ ପ୍ରକ୍ରିୟା ବଦଳାଇବା ପରେ ମୁଖ୍ୟ ଅଭିଯୁକ୍ତ ଅଜୟ ଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏହି ଘଟଣାରେ ତାର ଦୁଇ ପିଉସୀ ଚାନ୍ଦୁ ଓ ମିଞ୍ଜାରୀ ମଧ୍ୟ ସାମିଲ ଥିବା ପୁଲିସ୍‌ ଆଗରେ ମାନିଯାଇଥିଲେ। ଆଜି ତିନି ଅଭିଯୁକ୍ତଙ୍କୁୁ ପୁଲିସ୍‌ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କ ବୟାନ ଅନୁଯାୟୀ ଚାନ୍ଦୁ ବୁଦିଉଲ୍ଲୀଙ୍କର ଦେହ ଖରାପ ରହୁଥିବାରୁ ସଉତୁଣୀ ଲକ୍ଷ୍ମୀ ଗୁଣି କରୁଥିବା ସନ୍ଦେହ କରୁଥିଲେ। ଚାନ୍ଦୁ ମଧ୍ୟ ଟମକାର ଜଣେ ଗୁଣିଆ ନିକଟକୁ ଯାଇ ଝଡ଼ାଫୁଙ୍କା କରୁଥିଲେ।
ହେଲେ ଗତ ୧ ତାରିଖରେ ବଡ଼ଭଉଣୀ ମିଞ୍ଜାରୀ ଚାନ୍ଦୁଙ୍କୁ କହିଥିଲେ ଯେ, ଲକ୍ଷ୍ମୀ ନମଲେ ସେ ଆଉ ବଞ୍ଚିବ ନାହିଁ। ତେଣୁ ଲକ୍ଷ୍ମୀଙ୍କୁ ହତ୍ୟା କରିବା ପାଇଁ ଅଭିଯୁକ୍ତମାନେ ୮ ତାରିଖରେ ଯୋଜନା କରିଥିଲେ। ଘଟଣା ଦିନ ବିଳମ୍ବିତ ରାତିରେ ୨ ବର୍ଷର ଝିଅ ସହ ଲକ୍ଷ୍ମୀ ଶୋଇଥିବା ବେଳେ ଅଜୟ ଘରେ ପଶି ତାଙ୍କ ବେକକୁ ଏକ ଗାମୁଛାରେ ବାନ୍ଧି ହତ୍ୟା କରିଥିଲା। ପରେ ଶବକୁ ବାରଣ୍ଡାରେ ଟାଙ୍ଗିଦେଇଥିଲା। ଥାନାଧିକାରୀ ସୌମ୍ୟଚିତ ମିଶ୍ର ଅଭିଯୁକ୍ତମାନଙ୍କ ବୟାନ ରେକର୍ଡ କରିବା ପରେ ଥାନା କେସ ନମ୍ବର ୯୭/୧୮ ଦଫା ୩୦୨ ଓ ୧୨୦ (ଖ)ରେ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।

By amfnews

Related Post