Mon. May 12th, 2025

ହଜିଗଲା ମାନବିକତା : ଶବକୁ ରିକ୍ସାରେ ବୋହିଲେ

By amfnews Oct 7, 2018 #Featured
304 Views

ଡାକ୍ତରଖାନାରେ ମିଳିଲାନି ମହାପ୍ରୟାଣ ଗାଡ଼ି, ଅଛୁଆଁ କହି ଶବ ନେବାକୁ ମନା କଲେ ଅଟୋ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପୁଣି ଥରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଥର ଟ୍ରଲି ନୁହେଁ, ଦିନ ଦିପହରରେ ରିକ୍ସାରେ ଶବ ବୁହାହୋଇଛି। ଅଛୁଆଁ କହି ଘଉଡ଼ାଇ ଦିଆଯାଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଦୂର ଉତ୍ତର ପ୍ରଦେଶରୁ ଦୌଡ଼ି ଆସିଥିବା ଭକ୍ତଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ କରାଯାଇଛି। ସାହାଯ୍ୟ ଆଳରେ ମେଡିକାଲର କର୍ମଚାରୀମାନେ ଏହି ଭକ୍ତମାନଙ୍କୁ ବାରଦୁଆର ଦୌଡ଼ାଇଛନ୍ତି। ଘଣ୍ଟା ଘଣ୍ଟା ଧରି ଏଠିସେଠି ହେବା ପରେ ଶେଷରେ ମୃତକଙ୍କ ପରିବାର ଲୋକେ ନିଜ କାନ୍ଧରେ ଶବକୁ ଉଠାଇ ରିକ୍ସାରେ ସ୍ବର୍ଗଦ୍ବାର ନେଇ ଦାହ ସତ୍କାର କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଉତ୍ତର ପ୍ରଦେଶର ତୁଳସୀପୁର ନୈକିନିୟାର ବେଲିଖୁର୍ଡ ଗାଁର ୧୫ରୁ ଅଧିକ ଭକ୍ତ ଗତ ସୋମବାର ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ବଡ଼ଦାଣ୍ଡରେ ଥିବା ସ୍ଥାନୀୟ ଏକ ଧର୍ମଶାଳାରେ ଏମାନେ ସମସ୍ତେ ରହିଥିଲେ। ତୀର୍ଥଯାତ୍ରାରେ ଆସିଥିବା ବେଲିଖୁର୍ଡର ସ୍ବାମୀନାଥଙ୍କ ସ୍ତ୍ରୀ ରାମକାଲି (୬୨)ଙ୍କ ଦେହ ଗତରାତିରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲା। ତାଙ୍କ ସହ ଆସିଥିବା ଅନ୍ୟ ଭକ୍ତମାନେ ରାମକାଲିଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। କିନ୍ତୁ ଗତକାଲି ରାତି ପ୍ରାୟ ୨ଟା୩୦ରେ ରାମକାଲିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ପରେ ମୃତଦେହ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ନେଇଯିବାକୁ ସ୍ବାମୀନାଥ ମେଡିକାଲ କର୍ମଚାରୀଙ୍କୁ ଗୁହାରି ହୋଇଥିଲେ। କିନ୍ତୁ ମେଡିକାଲରେ ଥିବା କର୍ମଚାରୀମାନେ ଏଠାକୁ ଯାଅ, ସେଠାକୁ ଯାଅ କହି ମୃତକଙ୍କ ପରିବାରକୁ ଅଯଥାରେ ଦୌଡ଼ାଇଥିଲେ। ଏହା ଭିତରେ ରାତି ପାହି ସକାଳ ହୋଇ ଯାଇଥିଲେ ମଧ୍ୟ କେହି ଗୁହାରି ଶୁଣିନଥିଲେ। ସମସ୍ତଙ୍କଠାରୁ ନିରାଶ ହେବା ପରେ ଶେଷରେ ‌ଅଟୋଚାଳକଙ୍କ ଆଶ୍ରୟ ନେଇଥିଲେ ଭକ୍ତମାନେ। କିନ୍ତୁ ଅଟୋଚାଳକମାନେ ଶବ ଛୁଇଁବାକୁ ମନା କରି ଦେଇଥିଲେ। ଶେଷରେ ଜଣେ ରିକ୍ସା ଚାଳକଙ୍କୁ ବୁଝାଇ ସୁଝାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ମୃତଦେହକୁ ନେଇଥିଲେ ଏହି ଭକ୍ତମାନେ।

By amfnews

Related Post